ରକ୍ଷାବନ୍ଧନରେ ରାକ୍ଷୀ ଦେଖିଲା ଅନେକ କିଛି: କେଉଁଠି ଭାଇକୁ ଅବାଟରୁ ବାଟକୁ ରାକ୍ଷୀ ଟାଣି ଆଣିଛି ତ କେଉଁଠି ରାକ୍ଷୀ ଉପରେ ପଡ଼ିଛି ଚଡ଼କ

ନନ୍ଦିଘୋଷ ବ୍ୟୁରୋ: ଭାଇ, ଭଉଣୀର ସମ୍ପର୍କର ପବିତ୍ର ରକ୍ଷାବନ୍ଧନ । ହେଲେ ଏହି ପବିତ୍ର ପର୍ବରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ଚିତ୍ର । କେଉଁଠି କରୋନା ପାଇଁ ଭାଇ ପାଖକୁ ଭଉଣୀଟିଏ ପଠାଇପାରିନି  ସ୍ନେହର ଡୋର ତ ଆଉ କେଉଁଠି ମାତ୍ର ୧୦ ହାତ ଦୂରେ ଥାଇ ଭାଇ ହାତରେ ଭଉଣୀ ବାନ୍ଧି ପାରିନି ରାକ୍ଷୀ । ଅନ୍ୟପଟେ ଭୂତାଣୁ ଦାଉରୁ ଜନଜୀବନକୁ ବଞ୍ଚାଇବା ପାଇଁ ନିଜ କର୍ମକୁ ଗୁରୁତ୍ୱ ଦେଇଛନ୍ତି କରୋନା ଯୋଦ୍ଧା । ଅନ୍ୟପଟେ ରକ୍ଷା ବନ୍ଧନ ପାଳନ ବେଳେ ଦଇବ ନେଇଛି ଦୁହିଁଙ୍କ ଜୀବନ । ଏପରିକି ରାକ୍ଷୀ ବାନ୍ଧିବା ପାଇଁ ଭଉଣୀର ସର୍ତ୍ତ ରକ୍ଷା କରି ହାର୍ଡକୋର ନକ୍ସଲ ମଲ୍ଲା ପୋଲିସ ନିକଟରେ ସରେଣ୍ଡର କରିଛି ।

 

ହସ ଉଲ୍ଲାସର ସହ, କରୋନା କଟକଣା ଭିତରେ ସବୁଠି ପାଳନ ହୋଇଛି ରକ୍ଷା ବନ୍ଧନ ଉତ୍ସବ  । ଭାଇ ହାତରେ ସୁରକ୍ଷାର ଡୋର ବାନ୍ଧି ତାର ଦୀର୍ଘାୟୁ କାମନା କରିଛି ସୁନାନାକି ଭଉଣୀ । ହେଲେ ମହାମାରୀ ପାଇଁ ଘରକୁ ନଯାଇ ନିଜ ଡ୍ୟୁଟିକୁ ଗୁରୁତ୍ବ ଦେଇଛନ୍ତି କରୋନା ଯୋନ୍ଧା । ଡହ ଡହ ଖରାରେ ଛିଡା ହୋଇ ଲୋକଙ୍କୁ ସୁରକ୍ଷା ଦେଇଛନ୍ତି ପୋଲିସ  ଓ ଟ୍ରାଫିକ୍ କର୍ମଚାରୀ  । ସେମାନଙ୍କ ମନୋବଳ ବଢାଇବାକୁ ଆଗେଇ ଆସିଥିଲେ କିଛି ସହୃଦୟବାନ ମହିଳା ଓ ଛାତ୍ରୀ ।

ସେପଟେ କିନ୍ତୁ ଲୁହରେ ଭିଜିଛି ରକ୍ଷା ବନ୍ଧନ  । ଘଟିଛି ଦୁଇ ଦୁଇଟି ହୃଦୟ ବିଦାରକ ଘଟଣା  । ଭୁବନେଶ୍ବରର ଝାରପଡା ଜେଲ ଆଗରେ ଭଉଣୀ ଆଖିରୁ ଝରିଛି ଲୁହ  । ଜେଲର ପାଚେରି ଆରପଟେ ଥିବା ଭାଇକୁ ନଦେଖି କୋହ ସମ୍ଭାଳି ପାରିନି ହତଭାଗିନୀ ଭଉଣୀ   । ଅନ୍ୟପଟେ ଭାଇର ମୃତ୍ୟୁ ପଥରେ ବି ଏକାଠି ଚାଲିଛି ଭଉଣୀ  । ରକ୍ଷା ବନ୍ଧନ ପାଳନ ବେଳେ ଚାଲିଯାଇଛି ଉଭୟଙ୍କ ଜୀବନ  । ବାଲେଶ୍ୱର ଜିଲ୍ଲା ମଣ୍ଡ ଗାଁ ରେ ପର୍ବ ପାଳନ ବେଳେ ବଜ୍ରାଘାତ ଯୋଗୁ ଆଶା ବେହେରା ଓ ସୁଶାନ୍ତ ଦଳେଇଙ୍କ ମୃତ୍ୟୁ ହୋଇଛି  ।

ରାକ୍ଷୀ ରହିଲା ସାକ୍ଷୀ । ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ କଥାରେ ଆତ୍ମସମର୍ପଣ କଲେ ନକ୍ସଲ ନେତା ମଲ୍ଲା  । ରାକ୍ଷୀର ମହତ ରଖିଲା ଦୁର୍ଦ୍ଦାନ୍ତ ନକ୍ସଲ ମଲ୍ଲା । ଭଉଣୀ କଥାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ମଲ୍ଲା । ଭଉଣୀ ସର୍ତ୍ତ ରଖିଥିଲା ଆତ୍ମସମର୍ପଣ କଲେ ରାକ୍ଷୀ ବାନ୍ଧିବି । ଶେଷରେ ମଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା ଏବଂ ଲିଙ୍ଗେ ଥାନାରେ ଭାଇକୁ ରାକ୍ଷୀ ପିନ୍ଧାଇଛି । ସେପଟେ ଶ୍ରୀଜିଉ ବି ପାଳିଛନ୍ତି ପବିତ୍ର ରକ୍ଷା ବନ୍ଧନ ଉତ୍ସବ  । ଭଉଣୀ ସୁଭଦ୍ରା ବଡ ଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପାଟରା ସେବାୟତଙ୍କ ଦ୍ୱାରା ନିର୍ମିତ ରାକ୍ଷୀ  ପିନ୍ଧାଇଛନ୍ତି  ।

Leave a Reply