ବିଲକୁ ଯିବାବେଳେ ୩ ଜଣଙ୍କୁ ମାରିଦେଲା ଭାଲୁ

ନୂଆପଡ଼ା: ରକ୍ତମୁଖା ଭାଲୁ ଆକ୍ରମଣରେ ୩ ମୃତ । ୨ ଜଣ ଗୁରୁତର । କୋମନା ବ୍ଲକ ଲଖନା ଥାନା ସମରସିଂ ଗ୍ରାମରେ ଭାଲୁ ଆତଙ୍କ । ସକାଳୁ କାମ କରିବା ଲାଗି କିଛି ଲୋକ ବିଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣ କରିଥିଲା । କାମକୁ ଯାଇ ଲୋକେ ନ ଫେରିବା ପରେ ସେମାନଙ୍କୁ ଖୋଜିବାକୁ ସନ୍ଧ୍ୟାରେ ଯାଇଥିଲେ ଗ୍ରାମବାସୀ । ମାତ୍ର ସେତେବେଳକୁ ଆହତଙ୍କ ମଧ୍ୟରୁ ୩ ଜଣ ପ୍ରାଣ ହରାଇଥିବାବେଳେ ୨ ଜଣ ଗୁରୁତର ଅବସ୍ଥାରେ ଥିଲେ ।

ଉତ୍ତ୍ୟକ୍ତ ଲୋକେ ଭାଲୁକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଲୋମହର୍ଷକ ଖବର ପରେ ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ସମରସିଂ ଗାଁର ରତନ, ନକୁଳ ମାଝି ଓ ରବି ରଣା । ଗାଁର କୁନା ମାଝି ଓ ପରମେଶ୍ବର ମାଝି ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେପଟେ ଘରେ ପଶିଗଲା ଭାଲୁ । ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସ୍ଥିତ ମୂର୍ତ୍ତୃମା ଗ୍ରାମର ନିମାୟ ମଜୁମଦାରଙ୍କ ନୀଳଗିରି ବଗିଚା ଭିତରେ ଥିବା ଏକ ଘରେ ଭାଲୁ ପଶିଯାଇଛି । ଭାଲୁଟି ଜଙ୍ଗଲ ଭିତରେ ଖାଦ୍ୟ ସଂଗ୍ରହ କରିବା ସମୟରେ ଗାଁ ଭିତରକୁ ପଶି ଆସିଥିଲା । ତେବେ ପରିତ୍ୟକ୍ତ ଘର ଭିତରେ ରହିଯାଇଥିଲା ଭାଲୁ । ଭାଲୁକୁ ଦେଖି ଗାଁ ଲୋକେ ଆତଙ୍କିତ ହୋଇ ଉମରକୋଟ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ୱାଇଲ୍ଡ ଲାଇଫ ଟିମ ସମସ୍ତ ସରଞ୍ଜାମ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ ।

ତେବେ ଭାଲୁଟି ଫିଲ୍ମ ଷ୍ଟାଇଲରେ ଚକମା ଦେଇ ଝରକା ତାଡି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ଅଳ୍ପକେ ରକ୍ଷା ପାଇଯାଇଥିଲେ ବନ ବିଭାଗ କର୍ମଚାରୀ, ସାମ୍ବାଦିକ ଓ ଦେଖଣାହାରୀ ।