ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଗ୍ରୀଷ୍ମ ପ୍ରବାହ

ନନ୍ଦିଘୋଷ ବ୍ୟୁରୋ: ଆହୁରି ୩ ଦିନ ଯାଏ ସିଝିବ ଓଡ଼ିଶା । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଗ୍ରୀଷ୍ମ ପ୍ରବାହ ।  ଆଜି ୪୩.୫ ସହ  ବୌଦ୍ଧ ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି । ସେହିପରି ୪୨ ତାପମାତ୍ରା ସହ ବରଗଡ଼ ଦ୍ବିତୀୟ ଏବଂ ୪୦.୭ ସହ ଅନୁଗୁଳ ତୃତୀୟରେ ରହିଛି । ଟିଟିଲାଗଡ଼ ୪୦.୫, ମାଲକାନଗିରି ୪୦.୨, ଝାରସୁଗୁଡା ୩୯.୮, ସମ୍ବଲପୁର  ୩୯.୬, ହୀରାକୁଦ ୩୯.୧, ରାଉରକେଲା ୩୭.୧, କଟକ ୩୭, ଚାନ୍ଦବାଲି ୩୬.୮,ଭୁବନେଶ୍ବର ୩୬.୭  ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ଯାଏ ସିଭିୟର ହିଟ ୱେଭ ରହିଥିବା ବେଳେ  ବଲାଙ୍ଗୀର, ଅନୁଗୁଳ ଝାରସୁଗୁଡା ଓ ବୌଦ୍ଧ ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ସମ୍ବଲପୁର, ସୁନ୍ଦରଗଡକୁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ ଗଜପତିକୁ ଜିଲାକୁ ମଧ୍ୟ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ୩ ଦିନ ପରେ ଅର୍ଥାତ ୨୦ ତାରିଖ ବେଳକୁ କମିବ ତାପମାତ୍ରା । ୨ ରୁ ୪ ଡିଗ୍ରୀ ତାପମାତ୍ରା  ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତାପମାତ୍ରା ହ୍ରାସ ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠୁ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି ।  ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୩୦ ରୁ ୪୦ କିମି ପବନ ବହିବ । ସେହିପରି ୨୦ ତାରିଖରେ ଉପକୂଳ  ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ଵର୍ଷା ହେବାର ସମ୍ଭାବନା ରହିଛି ।