ଅଲୋଡ଼ା କରିଦେଲେ ସମ୍ପର୍କୀୟ, ବାପାଙ୍କ ଶବକୁ କାନ୍ଧ ଦେଲେ ୩ ଝିଅ

ମହାକାଳପଡ଼ା: ମୃତଦେହକୁ ଶ୍ମଶାନକୁ ନେବା ପାଇଁ ୪ କାନ୍ଧ ଲୋଡ଼ା। ହେଲେ ଏଠି ୩ କାନ୍ଧରେ ହେଲା ଶେଷ ଯାତ୍ରା। ଆଖିରୁ ଝରୁଥିଲା ଲୁହ ଆଉ ମୁହଁରୁ ଶୁଭୁଥିଲା ରାମନାମ ସତ୍ୟ ହେ। ନାରୀଙ୍କୁ ଶ୍ମଶାନକୁ ଯିବା ପାଇଁ ବାରଣ। ହେଲେ ଏଠି ଘନ ଅନ୍ଧାରରେ ୩ ଝିଅଙ୍କ କାନ୍ଧରେ ହେଲା ଶେଷ ଶୋଭାଯାତ୍ରା। ରାତି ଦେଖିଲା ଯେଉଁଠି ସମ୍ପର୍କୀୟ ଅଲୋଡ଼ା ହୁଅନ୍ତି ସେଠି ପରମ୍ପରାକୁ ଜଳାଞ୍ଜଳି ଦେବାକୁ ପଡ଼େ। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ତେରଗାଁ ରେ।

ସୂଚନା ଅନୁଯାୟୀ ମୃତକ ଜଣକ ହେଉଛନ୍ତି ଶ୍ରୀଧର ବେହେରା। ପ୍ରଥମେ ଜଣ୍ଡିସ ଏବଂ ପରେ କିଡନି କର୍କଟରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ତାଙ୍କର ହଠାତ ମୃତ୍ୟୁ ହୋଇଥିଲା। ପାରିବାରିକ କଳହ ଯୋଗୁଁ ଶ୍ରୀଧରଙ୍କ ଘର ବାହାରେ ୧୨ ଘଣ୍ଟା ପଡ଼ିରହିଲା ଶବ। ନା କେହି ଶବ ଉଠାଇବା ପାଇଁ ଆସିଲେ ନା କେହି ଆହା ପଦେ କହିଲେ। ହେଲେ କେହି ଆସିଲେନି ବୋଲି କ’ଣ ବାପାଙ୍କ ଶବ ବାସୀ ହୋଇ ରହିଯିବ। ସବୁ କଷ୍ଟକୁ ସାମର୍ଥ୍ୟ କରି ବାପାଙ୍କ ଶବକୁ ମଶାଣିକୁ କାନ୍ଧେଇ ନେଲେ ୩ ଝିଅ। ବିଳମ୍ବିତ ରାତିରେ ହେଲା ଶେଷକୃତ୍ୟ।

ଆଉ ଏବେ ଆଖିରେ ଲୁହ ଅଟକୁନି। ବାପା ଚାଲିଯାଇଛନ୍ତି ହେଲେ ପ୍ରେସ୍କ୍ୟୁସନରୁ ବାପାକୁ ଖୋଜିବାକୁ ଚେଷ୍ଟା କରୁଛି ଝିଅ। ଅଭାବି ଦୁନିଆରେ ସାହାରା ପାଲଟିଥିବା ବାଦଲ ଆଜି ଏଡ଼େଇ ଯାଇଛି। ଯେଉଁଠି ଆଗତ ଭବିଷ୍ୟତ ପାଇଁ ଚିନ୍ତା ଲାଗୁନଥିଲା ସେଠି ଆଜି ସବୁ ଅସମ୍ଭବ ବୋଲି ଲାଗୁଛି। ଜଳ ଜଳ ଦିଶୁଥିବା ରାସ୍ତା ଆଜି ଘନ ଅନ୍ଧାର। ବାପାଙ୍କ ଚିକିତ୍ସାରେ ସବୁ ଅର୍ଥ ଖର୍ଚ୍ଚ ହୋଇଗଲା। ଏବେ ବାପାଙ୍କର ଶୁଦ୍ଧିକ୍ରିୟା କିପରି କରାଯିବ ସେନେଇ ଚିନ୍ତାରେ ସାରା ପରିବାର। ପରିବାର କହିଲେ ଏବେ ମାଆ, ବଡ଼ଝିଅ ପୂଜା,ମଝିଆ ଝିଅ ରୋଜା, ସାନଝିଅ ଲକ୍ଷ୍ମୀ। ଶୁଦ୍ଧିକ୍ରିୟା ପାଇଁ ସରକାରଙ୍କ ସହାୟତା ଆବଶ୍ୟକ ବୋଲି କହିଛି ସାନ ଝିଅ। ସେପଟେ ଏନେଇ ସାହାଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ସରକାରୀ ଅଧିକାରୀ।

ଅସମୟରେ ଶ୍ରୀଧରଙ୍କ ବିୟୋଗ ସମସ୍ତଙ୍କୁ ଅନ୍ଧାରକୁ ଠେଲି ଦେଇଛି। ବର୍ତ୍ତମାନ ପରିବାର କେମିତି ଚଳିବ। ବଡ଼ଝିଅ +୩ରେ ପଢ଼ୁଥିବା ବେଳେ, ମଝିଆ ଝିଅ +୨ ଓ ସାନଝିଅ ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେବେ। ପାଠ ପଢ଼ାରେ ଡ଼ୋରି ଲାଗିବା ପୂର୍ବରୁ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ସାନ ଝିଅ। ଅପରପକ୍ଷରେ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ଶୁଦ୍ଧିକ୍ରିୟା ଓ ପିଲାମାନଙ୍କର ଉଚ୍ଚଶିକ୍ଷା ପାଇଁ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।

ଗୋଟିଏ ପଟେ ଅସହାୟ ପରିବାର ଓ ଅନ୍ୟପଟେ ଆର୍ଥିକ ସାହାଯ୍ୟର ଆବଶ୍ୟକତା ଥିବା ବେଳେ ପ୍ରଶାସନ ଏମାନଙ୍କୁ କିପରି ସହଯୋଗ କରୁଛି ତାହାକୁ ସମସ୍ତଙ୍କ ଅପେକ୍ଷା।

 

 

Leave a Reply