PMAY: ୩ କୋଟିରୁ ଅଧିକ ପକ୍କା ଘର ନିର୍ମାଣ ଶେଷ, ପ୍ରଧାନମନ୍ତ୍ରୀ କହିଲେ, ଏହା ମହିଳା ସଶକ୍ତିକରଣ

ନୂଆଦିଲ୍ଲୀ:  ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । କେନ୍ଦ୍ର ସରକାର ପିଏମ ଆବାସ ଯୋଜନା ମାଧ୍ୟମରେ ୩ କୋଟିରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି ।  ଯାହାର ସୂଚନା ନିଜେ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି । ଶୁକ୍ରବାର ଏକ ଟୁଇଟ୍ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି । ତେବେ ଏହାକୁ ମହିଳା ସଶକ୍ତିକରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତିଯେ, ଦେଶର ପ୍ରତ୍ୟେକ ଗରିବଙ୍କୁ ପକ୍କାଘର ଯୋଗାଇ ଦେବା ନିମନ୍ତେ କରିଥିବା ସଙ୍କଳ୍ପରେ ଆମେ ଗୁରୁତ୍ୱପୂର୍ଣ୍ଣ ପାହାଚ ଅତିକ୍ରମ କରିଛୁ। କେବଳ ଜନସାଧାରଣଙ୍କ ଭାଗୀଦାରୀରେ ୩ କୋଟିରୁ ଅଧିକ ଘର ନିର୍ମାଣ କରିବା ସମ୍ଭବ ହୋଇପାରିଛି।

ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨.୫୨ କୋଟି ପକ୍କାଘର ନିର୍ମାଣ ସମ୍ପନ୍ନ ହୋଇଛି। ଏଥିପାଇଁ ୧.୯୫ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା।

ନଗରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏ ପର୍ଯ୍ୟନ୍ତ ପ୍ରାୟ ୫୮ ଲକ୍ଷ ପକ୍କାଘର ନିର୍ମାଣ ଶେଷ ହୋଇଛି। ଏ ଉଦ୍ଦେଶ୍ୟରେ ୧.୧୮ ଲକ୍ଷ କୋଟି ଟଙ୍କା ମଞ୍ଜୁର ହୋଇଥିଲା।

ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ୍‌ ସଂଯୋଗ କରାଯିବା ସହ ଘରେ ଘରେ ଜଳ ଓ ବିଜୁଳି ସଂଯୋଗ ଭଳି ମୌଳିକ ସୁବିଧା ରହିଛି।

ସୂଚନାଯୋଗ୍ୟ ଅର୍ଥାଭାବରୁ ଘର ନିର୍ମାଣ କରିପାରୁନ ଥିବା ଦେଶର ଗରିବ ଜନସାଧାରଣଙ୍କୁ ପକ୍କାଘର ଯୋଗାଇ ଦେବା ନିମନ୍ତେ ୨୦୧୫ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରାଯାଇଥିଲା।