ରାଷ୍ଟ୍ରପତିଙ୍କ ଗସ୍ତ ପରେ NITରେ କରୋନା ସଂକ୍ରମିତ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୩ରେ ପହଞ୍ଚିଲାଣି

NIT‌ Rourkela

ରାଉରକେଲା: ରାଷ୍ଟ୍ରପତିଙ୍କ ଗସ୍ତ ପରେ ରାଉରକେଲା ଏନ୍‌ଆଇଟି (ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ)ରୁ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ମାସକ ଭିତରେ ପ୍ରାୟ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଚଳିତମାସ ୧୦ ଓ ୧୫ ତାରିଖରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ରାଷ୍ଟ୍ରପତିଙ୍କ ଗସ୍ତ ସରିବା ପରେ ୨୨ ତାରିଖରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ତିନି ଜଣ ଆକ୍ରାନ୍ତଙ୍କୁ କ୍ୟାମ୍ପସ ଭିତରେ ହିଁ ସଂଗରୋଧରେ ରଖାଯାଇଛି ।

ତେବେ ରାଉରକେଲା ଏନ୍‌ଆଇଟି ଏଭଳି ଏକ ସ୍ଥାନ ଯେଉଁଠି ଦେଶର ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀ ଆସି ପାଠ ପଢ଼ନ୍ତି । ଓଡ଼ିଶାରେ କରୋନା ସଂକ୍ରମଣ ସେତେଟା ଅଧିକ ନଥିଲେ ମଧ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ରାଜ୍ୟରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ କଲେଜରେ ପାଠ ପଢ଼ା ସହ ସେମିଷ୍ଟାର ପାଖେଇ ଆସୁଥିବାରୁ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଯଥାଶୀଘ୍ର କ୍ଲାସ୍‌ରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହି ନିର୍ଦ୍ଦେଶକୁ ଅନୁପାଳନ କରି ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀ କଲେଜକୁ ଫେରୁଛନ୍ତି । ତେବେ ବାହାରୁ ଆସୁଥିବା ଛାତ୍ରଛାତ୍ରୀ ଯୋଗୁଁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା କରାଯାଉଛି ।

ତେବେ ସବୁଠାରୁ ବଡ଼ କଥା ହେଲା, କଲେଜରେ ଏକ ବିରାଟ ସମାବର୍ତ୍ତନ ଉତ୍ସବର ଆୟୋଜନ ହୋଇଥିଲା । ଯେଉଁଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇଥିଲେ । ଖାଲି ସେତିକି ନୁହେଁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ସମାଗମ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ସେହିଭଳି ଭୁବନେଶ୍ୱର ଜାଭିୟର ମ୍ୟାନେଜ୍‌ମେଣ୍ଟ କଲେଜରେ ମଧ୍ୟ ଏକ ବିରାଟ ସମାବର୍ତ୍ତନ ଉତ୍ସବର ଆୟୋଜନ ହୋଇଥିଲା । ସମାବର୍ତ୍ତନ ଉତ୍ସବ ପରେ ସେଠାରେ ପ୍ରଥମେ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରେ ଏହା ୪୫ରେ ପହଞ୍ଚିଥିଲା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅନୁଷ୍ଠାନକୁ ସିଲ୍‌ କରିଦିଆଯାଇଛି ।

Leave a Reply