ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଲା ତିନି ରଥ

ପୁରୀ: ଆସନ୍ତାକାଲି ପବିତ୍ର ଘୋଷଯାତ୍ରା । ଆଜି ତିନି ରଥଙ୍କୁ ଶ୍ରୀମନ୍ଦିର ସମ୍ମୁଖକୁ ଅଣାଯାଇଛି । ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ଆଜ୍ଞାମାଳ ଆସିବା ପରେ ତିନି ରଥରେ ବିଜେ କରାଯାଇଥିଲା । ପୂଜାପାଠ ଓ ରୀତିନୀତି ଶେଷ ହେବା ପରେ ରଥଖଳାରୁ ଶ୍ରୀମନ୍ଦିର ସମ୍ମୁଖକୁ ତିନି ରଥକୁ ଅଣାଯାଇଛି । ଘଣ୍ଟ ଘଣ୍ଟା କାହାଳି ନାଦ ସହ କର୍ଡନ କରି ରଥ ଟଣା ଯାଇଥିଲା । ସଂକୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ବନିରେ କମ୍ପି ଉଠିଥିଲା ପରିବେଶ । ଭକ୍ତ ଓ ଦାୟିତ୍ବରେ ଥିବା ସୁରକ୍ଷାକର୍ମୀମାନେ ଗୋଟିଏ ପରେ ଗୋଟିଏ ରଥକୁ ଟାଣି ନେଇଥିଲେ । ଏବେ ସିଂହଦ୍ବାର ସମ୍ମୁଖରେ ଉଭା ହୋଇଛନ୍ତି ନନ୍ଦିଘୋଷ, ଦେବ ଦଳନ ଓ ତାଳଧ୍ବଜ । ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗମନକୁ ଅପେକ୍ଷା ।