ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ । ପ୍ରାର୍ଥିପତ୍ର ପ୍ରତ୍ଯାହାରର ସମୟ ଶେଷ ହେବାପରେ ବିପକ୍ଷରେ ପ୍ରାର୍ଥୀ ନଥିବାରୁ ସମସ୍ତେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସମସ୍ତଙ୍କୁ ନିର୍ବାଚିତ ହେବାର ସାର୍ଟିଫିକେଟ ପ୍ରଦାନ କରିଛନ୍ତି ରିଟର୍ଣ୍ଣିଂ ଅଫିସର । ଓଡ଼ିଶାର ତିନିଟି ରାଜ୍ଯସଭା ଆସନ ପାଇଁ ନିର୍ବାଚନ ହେଉଥିଲା । ବିଜେଡି ଦୁଇଜଣଙ୍କୁ ପ୍ରାର୍ଥୀ କରିଥିଲା । ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ବିଜେଡି ତରଫରୁ ନାମାଙ୍କନ ଦାଖଲ କରିଥିଲେ । ବିଜେଡିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଓଡ଼ିଶା ରାଜନୀତିରେ ସକ୍ରିୟ ଥିବା ବିଜେଡିର ଏହି ହେଭିଓ୍ବେଟ ନେତାଙ୍କୁ ଦିଲ୍ଲୀ ଯାଇ ରାଜ୍ୟ ପାଇଁ ଶାଣିତ ସ୍ବର ଉଠାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି । ସେହିପରି ପୁରୀ ଜିଲ୍ଲା ରାଜନୀତିର ଚର୍ଚ୍ଚିତ ଯୁବ ଚେହେରା ଶୁଭାଶିଷ ଖୁଣ୍ଟିଆଙ୍କୁ ବି ନବୀନଙ୍କ ଆଶୀର୍ବାଦ ମିଳିଛି । ତୃତୀୟ ଆସନ ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେପି ପୁଣି ପ୍ରାର୍ଥୀ କରିଥିଲା । ମାତ୍ର ଅଶ୍ବିନୀଙ୍କ ବିଜୟ ପାଇଁ ବିଜେପି ପାଖରେ ସଂଖ୍ଯା ନଥିଲା । ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅଶ୍ବିନୀଙ୍କୁ ସମର୍ଥନ ଘୋଷଣା କରିଥିଲା ବିଜୁ ଜନତା ଦଳ । ରାଜ୍ଯରେ ରେଳ ଓ ଟେଲିକମ ସେବାର ବୃହତ୍ତର ବିକାଶ ପାଇଁ ଦଳ ସମର୍ଥନ କରିଥିଲା ।