ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣା, ୩ ବିଜେପି ବିଧାୟକ ନିଲମ୍ବିତ

1 min read
3 BJP MLA Suspends From Odisha Assembly Over Shoe Throw To Speaker

ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ନିଲମ୍ବିତ ହେଲେ ୩ ଜଣ ବିଧାୟକ । ବିଜେପିର ତିନି ବରିଷ୍ଠ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ବିଜେପି ବିଧାୟକ ମୋହନ ମାଝି, ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀଙ୍କୁ ଚଳିତ ଅଧିବେଶନରୁ ବାଚସ୍ପତି ନିଲମ୍ବତ କରିଛନ୍ତି ।

ଆଜି ମଧ୍ୟାହ୍ନରେ ଗୃହରେ ସଂଶୋଧିତ ଲୋକାୟୁକ୍ତ ବିଲ୍ ପାରିତ ପରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଇୟର ଫୋନ୍, ଡଷ୍ଟବିନ୍ ସହ ଚପଲ ଫିଙ୍ଗିଥିଲେ । ଯାହାକୁ ନିନ୍ଦା କରିଥିଲେ ସମସ୍ତେ । ଅପରାହ୍ଣ ଅଧିବେଶନରେ ବାଚସ୍ପତି ଭିଡିଓ କ୍ଲିପିଂ ଅନୁଧ୍ୟାନ କରିବା ପରେ ୩ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବା ସହ ଗୃହ ଛାଡ଼ି ଚାଲିଯିବାକୁ ରୁଲିଂ ଦେଇଛନ୍ତି । ବିଜେପିର ୩ ବିଧାୟକଙ୍କୁ ସସପେଣ୍ଡ କରାଯିବା ପରେ ସମସ୍ତ ବିଜେପି ବିଧାୟକ କକ୍ଷ ତ୍ୟାଗ କରି ଚାଲି ଯାଇଛନ୍ତି । ନିଲମ୍ବିତ କରିବା ଲାଗି ପ୍ରମିଳା ମଲ୍ଲିକ ଗୃହରେ ପ୍ରସ୍ତାବ ଆଣିଥିଲେ ।

ଗୃହରୁ ବାହାରି ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବିଜେପି ବିଧାୟକ ଧାରଣା ଦେଇଛନ୍ତି । ନିଲମ୍ବିତ ବିଧାୟକ ମୋହନ ମାଝୀ କହିଛନ୍ତି- ମୁଁ ଚପଲ ଫିଙ୍ଗିନି, ହେଡଫୋନ୍ ଫିଙ୍ଗିବା କିଛି ଭୁଲ୍ ନୁହେଁ । ଅନ୍ୟପଟେ ଜୟନାରାୟଣ କହିଛନ୍ତି- ମୋତେ ମୋ ପକ୍ଷ ରଖିବାକୁ ସୁଯୋଗ ଦିଆ ନଯିବାରୁ ଡଷ୍ଟବିନ୍ ଫିଙ୍ଗିବାକୁ ବାଧ୍ୟ ହୋଇଥିଲି ।

ତେବେ ବିଧାନସଭା ଭଳି ପବିତ୍ର ଗୃହରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ପରେ ବି ବିଜେପି ବିଧାୟକ ଅନୁତପ୍ତ ନଥିଲେ । ଓଲଟା ବିଜେପି ବିଧାୟକ ବିଷ୍ଣୁ ସେଠୀ ଚପଲ ନୁହେଁ ଆଉ କିଛି କରିବା ଦରକାର ବୋଲି କହିଥିଲେ । ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକ ଅଶୋଭନୀୟ କାର୍ଯ୍ୟ କରିବା ପରେ ଦୁଃଖିତ ନହୋଇ ଓଲଟା ଯୁକ୍ତି କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଏଥିସହ ପଢ଼ନ୍ତୁ- ବାଚସ୍ପତିଙ୍କ ଉପରକୁ ବିଧାନସଭାରେ ଚପଲ ଫିଙ୍ଗିଲେ ବିଜେପି ବିଧାୟକ

Leave a Reply