ବୁଲୁଛି 5T ଖଣ୍ଡା, ବୁଧବାର ଭିଜିଲାନ୍ସର ୩ଟି ବଡ଼ ଆକ୍ସନ

1 min read

ଭୁବନେଶ୍ୱର: ବୁଲୁଛି 5T ଖଣ୍ଡା । ଦୁର୍ନୀତି ଖୋରଙ୍କୁ ନିସ୍ତାର ନାହିଁ ।  ବୁଧବାର ଭିଜିଲାନ୍ସର ୩ଟି ବଡ଼ ଆକ୍ସନ । କିଏ ସମ୍ପତ୍ତି ଠୂଳ କରିଥିଲା ତ ଆଉ କିଏ ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଭଞ୍ଜନଗରର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ ସାହୁ । ଯୋଗାଣ ଅଧିକାରୀଙ୍କ ଟଙ୍କା ଯୋଗାଡ଼ । କିରାସିନି, ଡାଲି ଚାଉଳରୁ ଆତ୍ମସାତ କରୁଥିଲେ ଟଙ୍କା । ଗନ୍ଧ ବାରିଲା ଭିଜିଲାନ୍ସ, ଭୋରରୁ ପଡିଲା ରେଡ୍ । ପ୍ରାଇମ ଲୋକେସନରେ ଦାମୀ ଫ୍ଲାଟ । ଆୟବର୍ହିଭୂତ ସମ୍ପତ୍ତି ଠୂଳର ଚାଲିଛି ହିସାବ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୋରରୁ ଏକକାଳୀନ ରେଡ୍ କରିଥିଲା କଟକ ଭିଜିଲାନ୍ସ । ଭୁବନେଶ୍ବରରେ ୪ଟି ଜାଗା, ଭଞ୍ଜନଗରରେ ୨ଟି ସ୍ଥାନ ଅଫିସ ଓ ଭଡା ଘର ଓ ପୈତୃକ ବାସଭବନ ମୟୁରଭଞ୍ଜ ଜିଲ୍ଲାର ପାଣ୍ଡରାସିଲା । ଭୁବନେଶ୍ବର ପଟିଆ ଚନ୍ଦ୍ରଶେଖରପୁରରେ ଦୁଇଟି ୩ BHK ଫ୍ଲାଟ । ଚନ୍ଦ୍ରଶେଖପୁରରେ ଗୋଟିଏ ଘର, ଖୋର୍ଦ୍ଧା ଓ ନହରକଣ୍ଟାରେ ୩ଟି ପ୍ଳଟ୍ । ୧୬ ଲକ୍ଷ ୮୬ ହଜାର ଟଙ୍କାର ଇନ୍ୟୁରାନ୍ସ ପଲିସ୍, ବ୍ୟାଙ୍କ ଆକାଉଣ୍ଟ , ୨୦୦ ଗ୍ରାମ ସୁନା ଓ ଗୋଟିଏ କାର ଠାବ ହୋଇଛି । ଯୋଗାଣ ବିଭାଗର ଅଧିକାରୀ ଥିବା ବେଳେ ବିଭିନ୍ନ କଣ୍ଟ୍ରୋଲର ମାନଙ୍କଠାରୁ ମୋଟା ଅଙ୍କର କମିଶନ ନେଉଥିବା ଭିଜିଲାନ୍ସ ସନ୍ଦେହ କରୁଛି ।

ସେପଟେ କୋରାପୁଟ ଭିଜିଲାନ୍ସ ହାତରେ ବନ୍ଧୁଗାଁର ସିଡିପିଓ ନମିତା ରାଣୀ ପାଉଲ ଓ ସିନିୟର ରେଭିନ୍ୟୁ ଅଫିସର ଅଶ୍ବିନୀ ପ୍ରଧାନ । ଅଭିଯୋଗକାରୀଙ୍କ ଝିଅଙ୍କୁ ଅଙ୍ଗନବାଡି କର୍ମୀ ଭାବରେ ନିଯୁକ୍ତି ଦେବା ପାଇଁ କାଗଜପତ୍ର ଗ୍ରହଣ ବାବଦରେ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରେଡ୍ କରି ଅଟକ ରଖି ତଦନ୍ତକାରୀ ଟିମ୍ । ସେହିଭଳି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ ବାର୍ଦ୍ଧକ୍ୟ ଭତ୍ତା କରାଇଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି । ଭତ୍ତା ପାଇଁ ଲାଞ୍ଚ ମାଗୁଥିବା ନେଇ ମଠସରସିଂ ପଞ୍ଚାୟତର ସମିତି ସଭ୍ୟା ପ୍ରତିନିଧି ଝଡିଆ ସ୍ବାଇଁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁସାରେ ଲାଞ୍ଚ ଦେଉଥିବା ବେଳେ କାବୁ କରିବା ସହ ୬ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ବିଭାଗ 5T ଅଧିନକୁ ଆସିବା ପରେ ୧୭୦ରୁ ଅଧିକାରୀଙ୍କ ଉପରେ ପଡ଼ିଛି ଛାଟ । ଏବେ ସ୍କାନରରେ ଅନେକ ଲାଞ୍ଚୁଆ ଅଫିସର ।