୧୯ ଲକ୍ଷ ଟଙ୍କା ନକଲି ନୋଟ କାରବାର ଅଭିଯୋଗରେ ୩ ଗିରଫ

ବ୍ରହ୍ମପୁର: ନକଲି ନୋଟ କାରବାର ରାକେଟର ପର୍ଦ୍ଦାଫାଶ । ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କୁ ଠକି ୧୯ ଲକ୍ଷ ଟଙ୍କାର ନକଲି ନୋଟ ରଖି ସେହି ପରିମାଣର ଅସଲି ନୋଟ ନେଇ ଚମ୍ପଟ ମାରିଥିବା ଠକଙ୍କୁ କାବୁ କଲା ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ । ନକଲି ନୋଟ୍ କାରବାର ସଂପୃକ୍ତ ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ପି ଜଣେ ଅଭିଯୁକ୍ତ ଫେରାର୍ ଅଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ କଟକର ଅଜୟ ମହାପାତ୍ର, ବଟକୃଷ୍ଣ ପ୍ରଧାନ ଏବଂ ବ୍ରହ୍ମପୁରର ଶିବଶଙ୍କର ପଟ୍ଟନାୟକ । ପୂର୍ବ ଆଲୋଚନା ଅନୁଯାୟୀ ୬୦ ଲକ୍ଷ ଟଙ୍କାର ଝୁମର ପାଇଁ ପ୍ରଥମେ ୧୯ ଲକ୍ଷ ଟଙ୍କା ଦେବାକୁ ବ୍ରହ୍ମପୁରର ବ୍ୟବସାୟୀ ପ୍ରମୋଦ ସାହୁଙ୍କୁ  କହିଥିଲେ ଦଲାଲ । ପ୍ରମୋଦ ଟଙ୍କା ଦେବାକୁ କଟକର ୨ ଜଣ ବ୍ୟକ୍ତିଙ୍କୁ ନୂଆ ବସ୍‌ଷ୍ଟାଣ୍ଡ ନିକଟକୁ ଡାକିଥିଲେ । ସୁଯୋଗ ଦେଖି ଅଭିଯୁକ୍ତମାନେ ପ୍ରମୋଦଙ୍କ ଟ୍ରଙ୍କର ତାଲା ଖୋଲି  ଅସଲି ୧୯ ଲକ୍ଷ ବାହାର କରି ନକଲି ୧୯ ଲକ୍ଷ ଟଙ୍କାର କାଗଜ ନୋଟ ଭର୍ତ୍ତି କରି ଦେଇଥିଲେ । ଏହାପରେ ଅଭିଯୁକ୍ତମାନେ ପ୍ରମୋଦ ଏବଂ ତାଙ୍କ ସହଯୋଗୀଙ୍କୁ ଟ୍ରଙ୍କଟିକୁ ଅନ୍ୟ ଏକ ସ୍ଥାନକୁ ଆଣିବାକୁ କହିଥିଲେ । ଟ୍ରଙ୍କଟି ପୂର୍ବାପେକ୍ଷା ଓଜନିଆ ଲାଗିବାରୁ ପ୍ରମୋଦ ଓ ତାଙ୍କ ସହଯୋଗୀ ଯାଞ୍ଚ କରିବା ବେଳେ ସେଥିରୁ ନକଲି କାଗଜ ନୋଟ୍ ବାହାରିଥିଲା । ପ୍ରମୋଦ ବୈଦ୍ୟନାଥପୁର ଥାନାକୁ ଖବର ଦେଇ ଏନେଇ ଜଣାଇଥିଲେ ।

ବୈଦ୍ୟନାଥପୁର, ଗୋପାଳପୁର, ଗୋଳନ୍ଥରା ଓ ଛତ୍ରପୁର ଆଇଆଇସିଙ୍କୁ ନେଇ ଗଠିତି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୯ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।