ଓଡି଼ଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା : ଧରାପଡ଼ୁନି ମୁଖ୍ୟ ଅଭିଯୁକ୍ତ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଂଗ ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାରେ ପୋଲିସ ଏଯାଏ ମୁଖ୍ୟ ଅଭିଯୁକ୍ତକୁ ଧରିପାରିନି। ତା ପାଖରେ ପହଞ୍ଚି ପାରିନି ପୋଲିସ। ଚାରିଆଡ଼େ ଜାଲ ବିଛାଇଥିଲେ ମଧ୍ୟ ତାକୁ ଧରାଯାଇପାରିନି। ଦୁର୍ଗାପୁର ଶୋଭାପୁରରେ ଥିବା ପ୍ରାଇଭେଟ ମେଡିକାଲରେ ଦ୍ଵିତୀୟ ବର୍ଷ ଏମବିବିଏସ୍ ଛାତ୍ରୀ ଥିବା ଓଡ଼ିଆ ଝିଅକୁ ଗଣଦୁଷ୍କର୍ମ କରାଯାଇଥିଲା ଗତ ଶୁକ୍ରବାର। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ ପରେ ୩ ଅଭିଯୁକ୍ତଙ୍କୁ ୧୦ ଦିନ ପୋଲିସ ରିମାଣ୍ଡରେ ପଠାଇଛନ୍ତି କୋର୍ଟ। ଏହି ସମୟରେ ପୋଲିସ ସେମାନଙ୍କୁ ଘନ ଘନ ଜେରା କରିବ ଓ ସତ ଓଗାଲିବ ବୋଲି ଜଣାପଡ଼ିଛି । ଗିରଫ ବ୍ୟକ୍ତିଙ୍କ ନିକଟରୁ ପୀଡିତା ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ମିଳିଛି । ଘଟଣାରେ ହସ୍ତକ୍ଷେପ ପାଇଁ ପଶ୍ଚିମବଙ୍ଗ ଡାକ୍ତର ସଂଘ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଛନ୍ତି । ଛାତ୍ରଛାତ୍ରୀଙ୍କ ସମେତ ବିଜେପି ଓ ବାମପନ୍ଥୀମାନେ ଆନ୍ଦୋଳନ କରିଛନ୍ତି ।

ତେବେ ପଶ୍ଚିମବଂଗ ଦୁର୍ଗାପୁର ଗସ୍ତରେ ବାହାରିଛନ୍ତି ରାଜ୍ୟ ମହିଳା କମିଶନର ଟିମ୍ । ଦୁର୍ଗାପୁରରେ ଘରୋଇ ମେଡିକାଲକୁ ଯାଇ ସ୍ଥିତି ବିଷୟରେ ପଚାରି ବୁଝିବ ଏହି ଟିମ। ପଶ୍ଚିମବଂଗ ପ୍ରଶାସନିକ ଅଧିକାରୀଙ୍କ ସହ ପୀଡ଼ିତାଙ୍କ ସ୍ଵାସ୍ଥ୍ୟାବସ୍ଥା ନେଇ ଆଲୋଚନା କରିବେ। ମାମଲାରେ ତଦନ୍ତ ଅଗ୍ରଗତି ନେଇ ପଚାରି ବୁଝିବ ଟିମ । ପୀଡ଼ିତା ଛାତ୍ରୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନେଇ ଗୁରୁତ୍ଵାରୋପ କରିବ ରାଜ୍ୟ ମହିଳା କମିଶନ ଟିମ । ପୀଡ଼ିତା ଏବଂ ତାଙ୍କ ପରିବାର ଲୋକଙ୍କୁ ଭେଟିବେ କମିଶନର ଟିମ। ଘଟଣାରେ ପୀଡ଼ିତାଙ୍କୁ ଯେପରି ନ୍ୟାୟ ମିଳିପାରିବ ସେ ନେଇ ଅଧିକ ଗୁରୁତ୍ଵ ଦେବ ରାଜ୍ୟ ମହିଳା କମିଶନ ଟିମ।

ନ୍ୟାୟ ପାଇଁ ଦୁର୍ଗାପୁରରେ ଓଡି଼ଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବିଜେପିର ପ୍ରତିବାଦ। ଦୁର୍ଗାପୁର ସିଟି ସେଣ୍ଟର୍ ଆଗରେ ଧାରଣା ମଞ୍ଚ ତିଆରି କରୁଥିବାବେଳେ ପୋଲିସ ଦ୍ବାରା ମନା କରାଯାଇଥିଲା। ଏଠାରେ ବିଜେପି କର୍ମୀ ଧାରଣା ଦେଇଥାନ୍ତେ। ପୋଲିସ ଅନୁମତି ନଦେବାରୁ ଏହାର ପ୍ରତିବାଦ କରି ବିଜେପି କର୍ମୀ ଓ ନେତା ଧାରଣା ଦେଇଛନ୍ତି। ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ବିଜେପି କର୍ମୀ ଓ ମେଡିକାଲ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ବ୍ୟାରିକେଡ଼କୁ ହଟାଇ ଧସେଇ ପସିବାକୁ ଉଦ୍ୟମ କରିଥିଲେ ବିଜେପି କର୍ମୀ। ଏହାକୁ ନେଇ ଉତ୍ତେଜନା ଲାଗି ରହିଛି।