ଅସମ୍ଭାଳ ଶୀତରେ ଥରୁଛି ଓଡ଼ିଶା, ୩ରୁ ୫ଡିଗ୍ରୀ ହ୍ରାସ ପାଇଛି ତାପମାତ୍ରା

ଭୁବନେଶ୍ୱର: କଲବଲ କରୁଛି ଜାଡ଼ ।  ଅସମ୍ଭାଳ ଶୀତରେ ଥରୁଛି ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ଜାରି ରହିଛି ଶୀତ ଲହରୀ । ରାଜ୍ୟରେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଏହା ସହିତ ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଶୁଷ୍କ ପବନ ରାଜ୍ୟରେ ଶୀତ ବଢାଉଛି  । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଏପରି ସ୍ଥିତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଶୀତ ସହିତ ଘନ କୁହୁଡ଼ି ମଧ୍ୟ ଅସ୍ତବ୍ୟସ୍ତ କରିବ ।

ବାୟୁମଣ୍ଡଳର ସ୍ଥିରତା ଏବଂ ଜଳୀୟବାଷ୍ପର ଉପସ୍ଥିତି ପାଇଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ପଡ଼ୁଛି । ଆଜି ୧୩ଟି ଜିଲ୍ଲାରେ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମଧ୍ୟରାତିରୁ ସକାଳ ପର୍ଯ୍ୟନ୍ତ ସତର୍କ ରହିବା ସହିତ ଯାତାୟତ ବେଳେ ଗାଡି ଚାଳକ ମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି  । ବିଭିନ୍ନ ସ୍ଥାନରେ ୨ଶହ ମିଟର ତଳେ ଦୃଶ୍ୟମାନ କ୍ଷମତା ରହିବ । ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ଥିବାରୁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି ।

Leave a Reply