spot_img

Latest Posts

ଆଜି ରଥଯାତ୍ରା ଲାଗି ଦ୍ୱିତୀୟ ସମନ୍ବୟ କମିଟି ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରା ଲାଗି ଦ୍ୱିତୀୟ ସମନ୍ବୟ କମିଟି ବୈଠକ । ଚଳିତବର୍ଷ ଜୁନ ୨୭ ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ଦିନ ୧୧ଟାରେ ପୁରୀ ପୌରସଦନରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଦ୍ୱିତୀୟ ରଥ ସମନ୍ୱୟ କମିଟି ବୈଠକ । ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ କରିବେ । ଏହା ପୂର୍ବରୁ ଆରଡିସିଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରଥମ ରଥ ସମନ୍ୱୟ କମିଟି ବୈଠକରେ ଏନେଇ ସବୁ ଅଧିକାରୀଙ୍କୁ ଡେଡଲାଇନ ଦିଆଯାଇଥିଲା । ଅନ୍ୟପଟେ ରଥ ନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା, ନୀତିକାନ୍ତି, ଭକ୍ତଙ୍କ ଦର୍ଶନ କିଭଳି ଶୃଙ୍ଖଳିତ ହୋଇପାରିବ ସେ ନେଇ ଆଲୋଚନା ହେବ ।

ସୁରକ୍ଷା ବ୍ୟବସ୍ଥା ଓ ରଥଯାତ୍ରାକୁ ନେଇ ସମସ୍ତ ବ୍ୟବସ୍ଥାବଳୀ ଉପରେ ବୈଠକରେ ଆଲୋଚନା ହେବ । ସେପଟେ ପ୍ରଥମ ରଥ ସମନ୍ୱୟ ବୈଠକରେ ସରକାର ପରିଚାଳନା କମିଟି ଗଠନ ନକରିବା ନେଇ ସେବାୟତମାନେ ପ୍ରଶ୍ନ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଅବହେଳାକୁ ନେଇ ହୋହଲ୍ଲା ହୋଇଥିବା ବେଳେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ଆହତ ଓ ଗୁରୁତରଙ୍କୁ ସ୍ୱାସ୍ଥ୍ୟ ସେବା ନମିଳିବାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ସେବାୟତ ଓ ବୁଦ୍ଧିଜୀବୀ । ପ୍ରଶାସନିକ ସ୍ତରରେ ବୈଠକକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବିଭାଗୀୟ ଅଧିକାରୀମାନେ ସେତେଟା ତତ୍ପରତା ଦେଖାଇନଥିବା ଜଣାପଡିଛି ।

ରାସ୍ତା ମରାମତି,ନାଳ ସଫା,ବିଦ୍ୟୁତ,ଇତ୍ୟାଦିରେ ଅବ୍ୟବସ୍ଥା ଏବେବି ପରିଲକ୍ଷିତ ହେଉଛି । ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବିଭାଗ ଗୁଡିକ କେତେ ସକ୍ରିୟ ଅଛନ୍ତି ତାହାର ଆକ୍ସନ ପ୍ଲାନ ରିପୋର୍ଟ ଆଇନମନ୍ତ୍ରୀଙ୍କ ଆଗରେ ଦାଖଲ କରିବେ। ଆଜି ହେବାକୁ ଥିବା ବୈଠକରେ ଜିଲ୍ଲାପାଳ,ଏସପି,ବିଧାୟକ,ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ,ସେବାୟତ,ବୁଦ୍ଧିଜୀବୀ ଉପସ୍ଥିତ ରହିବେ ।

Latest Posts

Don't Miss