ରିପୋର୍ଟ ଦେଖି ଟିକାକରଣ କେନ୍ଦ୍ର ବଢାଇବୁ: ବିଜୟ ପାଣିଗ୍ରାହୀ
ଭୁବନେଶ୍ୱର: ଦେଶରେ କରୋନା ଟିକାକରଣର ୨ୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ଅବସରରେ କରୋନା ଟିକା ନେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ଟିକା ନେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିକା ନେଇଥିଲେ ।
ଏସମ୍ପର୍କରେ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଆଜି ରାଜ୍ୟରେ ମୋଟ ୧୫୩ଟି କେନ୍ଦ୍ରରେ ଟିକାକରଣ କରାଯାଉଛି। ସେଥି ମଧ୍ୟରେ ୧୩୨ଟି ସରକାରୀ ହସ୍ପିଟାଲ ଥିବା ବେଳେ ୨୧ଟି ବେସରକାରୀ ହସ୍ପିଟାଲ ରହିଛି । ଆଗାମୀ ଦିନରେ ରାଜ୍ୟରେ ଟୀକାକରଣ କେନ୍ଦ୍ର ସଂଖ୍ୟା ୧୮୩କୁ ବଢ଼ାଯିବ। ସେଲ୍ଫ ରେଜିଷ୍ଟ୍ରେସନ ଓ ଅନ ଦି ସ୍ପଟ ରେସିଷ୍ଟ୍ରେସନରେ ନିଜ ନାଁ ପଞ୍ଜିକରଣ କରି ଟିକା ନେବାର ବ୍ୟବସ୍ଥା କରାଯାଇଛି। ଆଜିର ରିପୋର୍ଟ ଦେଖି ଧୀରେ ଧୀରେ ଆମେ କେନ୍ଦ୍ର ସଂଖ୍ୟା ବଢାଇବୁ।
ତେବେ ଭୁବନେଶ୍ୱରରେ ଆଜି ୨୨ଟି କେନ୍ଦ୍ରରେ ଟୀକାକରଣ କରାଯାଉଛି। ଯେଉଁଥିରେ ୧୨ଟି ସରକାରୀ ଓ ୧୦ଟି ବେସରକାରୀ ହସ୍ପିଟାଲ ସାମିଲ ଅଛି।
ଉଲ୍ଲେଖଯୋଗ୍ୟ, ୬୦ରୁ ଅଧିକ ଓ ଦୁରାରୋଗ୍ୟରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କର ଲୋକଙ୍କୁ ମିଳିବ ଟିକା । ପ୍ରତ୍ୟେକ ଦିନ ୬୦ ଜଣଙ୍କୁ ଦିଆଯିବ ଟିକା । ଟିକା ନେବାକୁ ଆରୋଗ୍ୟ ସେତୁ ଓ କୋଭିଡ ନ୍ୟୁ ପୋର୍ଟାଲ ୨.୦ରେ ରେଜିଷ୍ଟ୍ରେସନ କରିପାରିବେ । ସୋମବାର କୋଭିଡ ନ୍ୟୁ ପୋର୍ଟାଲ ୨.୦ କାର୍ଯ୍ୟକ୍ଷମ ହେବ । ସେପଟେ ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।
ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିକା ଗ୍ରହଣ କରିଛନ୍ତି । ଦିଲ୍ଲୀର ଏମ୍ସ ହସ୍ପିଟାଲରେ ପହଞ୍ଚି ପ୍ରଧାନମନ୍ତ୍ରୀ ଟିକା ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କରୋନା ଟିକା ‘କୋଭାକ୍ସିନ୍’ ଦିଆଯାଇଛି । ଏହି ଅବସରରେ କମ୍ ସମୟ ମଧ୍ୟରେ ଟିକା ପ୍ରସ୍ତୁତ କରିଥିବା ବୈଜ୍ଞାନିକ ଓ ଡାକ୍ତରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀ ଟିକା ନେବା ସହ ଭାରତକୁ କୋଭିଡ୍ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।