ଯୁକ୍ତ ତିନିରେ ହେବନି ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର… ସିଲାବସ୍ର ୨୫ ଭାଗ ଏଣିକି ଘରେ ବସି ପଢ଼ିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଯୁକ୍ତ ତିନିରେ ହେବନି ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର । ଖାଲି ସେତିକି ନୁହେଁ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମରେ ମଧ୍ୟ ହେବନି ଦ୍ୱିତୀୟ ସେମିଷ୍ଟାର । ଏନେଇ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ବିଶ୍ୱବିଦ୍ୟାଳୟରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ପରବର୍ତ୍ତୀ ସେମିଷ୍ଟାରକୁ ଉତିର୍ଣ୍ଣ କରାଯିବ । ଏହାସହ ପ୍ରଥମ ଥର ପାଇଁ ରାଜ୍ୟରେ ଯୁକ୍ତ ତିନି ଓ ପିଜି ସିଲାବସ୍ରେ ୨୫ ପ୍ରତିଶତ ସେଲ୍ଫ ଷ୍ଟଡି ଦ୍ୱାରା କଭର କରାଯିବ । ୟୁଜି ଓ ପିଜି ସେମିଷ୍ଟାର ପରୀକ୍ଷା ନେଇ ଲୋକସଭା ଭବନରେ ବୈଠକ ହୋଇଥିଲା । ଏଥିରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯିବା ପରେ ଏହି ନିଷ୍ପତି ନିଆଯାଇଛି ।
ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା +୩ ମହାବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟରେ +୩ର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ପରୀକ୍ଷା କରାଯିବ ନାହିଁ । ସେହିପରି ସ୍ନାତକୋତର ଶ୍ରେଣୀର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ହେବନାହିଁ । ବିଶ୍ୱବିଦ୍ୟାଳୟ ଗୁଡ଼ିକ ଦ୍ୱାରା ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ସେମିଷ୍ଟାରକୁ ଉତିର୍ଣ୍ଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ତେବେ ମେ ୬ ତାରିଖରେ ଅନୁଷ୍ଠିତ କୁଳପତିମାନଙ୍କ ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ +୩ର ୬ଷ୍ଠ ସେମିଷ୍ଟାର ଫାଇନାଲ୍ ପରୀକ୍ଷା ଏବଂ ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର ଫାଇନାଲ ପରୀକ୍ଷା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଅନୁଷ୍ଠିତ ହେବ । ପୁର୍ବ ନିଷ୍ପତି ଅନୁଯାୟୀ +୩ର ୬ଷ୍ଠ ସେମିଷ୍ଟାର ଫାଇନାଲ ପରୀକ୍ଷା ଜୁନ୍ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ । ସେହିପରି ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର (ଫାଇନାଲ୍) ପରୀକ୍ଷା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଶେଷ କରାଯିବ ଏବଂ ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ତାରିଖ ମଧ୍ୟରେ ପ୍ରକାଶ ପାଇବ ।
ଆଜି ଲୋକସେବା ଭବନ ଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଭିଡ–୧୯ ପରିସ୍ଥିତିରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ, ଛାତ୍ରଛାତ୍ରୀମାନଙ୍କ ନାମଲେଖା ଓ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା ହୋଇଥିଲା ।
ଅନଲାଇନ୍, ଅଫଲାଇନ୍ ଏବଂ ପାଠ୍ୟ ପୁସ୍ତକ ମାଧ୍ୟମରେ ଉନ୍ନତ ଷ୍ଟଡି ମାଟେରିଆଲ୍ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀମାନେ ଏଗୁଡିକୁ ନିଜେ ପଢ଼ିବେ ଏବଂ ଟ୍ୟୁଟୋରିଆଲ୍ କ୍ଲାସ୍ରେ ଅଧ୍ୟାପକମାନଙ୍କ ଠାରୁ ସେମାନଙ୍କର ଡାଉଟ୍ କ୍ଲିୟର କରିବେ । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଜିଜ୍ଞାସା ବଢିବା ସହିତ ସମାଲୋଚନାତ୍ମକ ଚିନ୍ତାଶକ୍ତି, ଅନୁଶୀଳନ ଦକ୍ଷତା ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ । ଏହାଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଛନ୍ତି ।