କେରଳରେ ତିନି ଥର ଭୂସ୍ଖଳନ, ୨୯୬ ମୃତ୍ୟୁ ଏବେବି ୨୪୦ ଜଣ ନିଖୋଜ

ଥିରୁଅନନ୍ତପୁରମ: କେରଳର ୱାଏନାଡ଼ ଜିଲ୍ଲାରେ ପ୍ରକୃତି ତାଣ୍ଡବ ରଚିଛି । ତିନି ତିନି ଥର ଭୂସ୍ଖଳନ ଘଟିବା ଫଳରେ ଅନେକ ଗାଁ ଧ୍ବଂସସ୍ତୁପରେ ପରିଣତ ହୋଇଛି । ଦିନକୁ ଦିନ ମୃତ୍ଯୁ ସଂଖ୍ଯା ବଢିବାରେ ଲାଗିଛି । ଏଯାଏଁ ୨୯୬ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୧୩୨ ଜଣ ଆହତ ହୋଇଛନ୍ତି । ୨୪୦ରୁ ଅଧିକ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି । ଏବେ ବି ଧ୍ବଂସସ୍ତୂପ ତଳୁ ଖୋଜା ଚାଲିଛି ମୃତଦେହ। ମାଟି କାଦୁଅ ତଳେ ଆହୁରି ଅନେକ ମୃତଦେହ ପୋତିହୋଇ ରହିଥିବା ଆଶଙ୍କା କରାଯାଉଛି।

ତେଣୁ ମୃତ୍ଯୁ ସଂଖ୍ଯା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଉଦ୍ଧାର କାମରେ ୩ ସେନା ଓ ଏନଡିଆରଏଫ୍ ନିୟୋଜିତ ହୋଇଛନ୍ତି । ଭୂସ୍ଖଳନରେ ୱାୟନାଡର ମୁନ୍ଦାକାଇ, ଚୋରଲମାଲା, ଅଟ୍ଟମାଲା ଓ ନୁଲପୁଝା ଗ୍ରାମ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ହଜାର ହଜାର ଲୋକ ବାସହରା ହୋଇଛନ୍ତି ।

ଉଦ୍ଧାର ଓ ରିଲିଫ ଉପରେ କେରଳ ସରକାର ପ୍ରାଥମିକତା ଦେଇଛନ୍ତି । ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ୱାଇନାଡରେ ପହଞ୍ଚି ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଓ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ଆଲୋଚନା କରିଥିଲେ ।