ଇସ୍ରାଏଲ ହମାସ ମଧ୍ୟରେ ଏବେବି ଯୁଦ୍ଧ ଜାରି, ଲେବାନନରେ ଜାରି ରହିଛି ଷ୍ଟ୍ରାଇକ୍

1 min read

ଗାଜା: ଇସ୍ରାଏଲ-ହମାସ ମଧ୍ୟରେ ଏବେ ବି ଯୁଦ୍ଧ ଜାରି ରହିଛି । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅକ୍ଟୋବର ୭ରେ ଇସ୍ରାଏଲ ସହ ଯୁଦ୍ଧ ଆରମ୍ଭ ହେବା ପର ଠାରୁ ପାଲେଷ୍ଟାଇନ ଅଞ୍ଚଳରେ ଅତି କମ୍‌ରେ ୨୩ ହଜାର ୮୪ ଲୋକ ପ୍ରାଣ ହରାଇଛନ୍ତି ଏବଂ ୫୮ ହଜାର ୯୨୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୨୪୯ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ମନ୍ତ୍ରଣାଳୟ ପ୍ରକାଶ କରିଛି ।

ସୋମବାର ଦକ୍ଷିଣ ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣରେ ହେଜବୁଲ୍ଲାର ଏଲିଟ୍ ରାଦ୍ୱାନ୍ ଫୋର୍ସର ଜଣେ ବରିଷ୍ଠ କମାଣ୍ଡର ନିହତ ହୋଇଛି ବୋଲି ଜଣାପଡ଼ିଛି । ହମାସକୁ ସମର୍ଥନ କରି ଲେବାନନ ସୀମା ସେପଟେ ବୋମାମାଡ଼ ଆରମ୍ଭ ହେବା ପରେ ଇସ୍ରାଏଲ ପ୍ରତିଆକ୍ରମଣ କରିଥିଲା । ଦକ୍ଷିଣ ଲେବାନନରେ ହେଜବୁଲ୍ଲା ଆତଙ୍କବାଦୀ ସଂଗଠନର ୧୩୦ରୁ ଅଧିକ ସଦସ୍ୟ ପ୍ରାଣ ହରାଇଲେଣି ।

ଇସ୍ରାଏଲ ସେନା ଦକ୍ଷିଣ ଗାଜାରେ ଅତି କମ୍ରେ ୧୦ ଜଣ ପାଲେଷ୍ଟାଇନ ଲଢୁଆଙ୍କୁ ନିହତ କରିଛି । ହମାସଶାସିତ କେନ୍ଦ୍ରୀୟ ଅଂଚଳରେ ଅପରେସନ କରି ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ବୋମା ମାଡ଼ କରିବା ସହ ଏକ ସୁଡ଼ଙ୍ଗ ଠାବ କରିଛି । ଖାନ ୟୁନିସରେ ଏହି ଆକ୍ରମଣ ହୋଇଥିଲା । ଯେଉଁଠାରେ ଇସ୍ରାଏଲ ସେନା ୩୦ଟି ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା ।