ବନ୍ୟା ପାଣି ଛାଡିବା ପରେ ବଢିଛି ଝାଡାବାନ୍ତି ଆଶଙ୍କା, ବିଭିନ୍ନ ଜିଲ୍ଲାରେ ୨୯ ଟିମ ମୁତୟନ

ଭୁବନେଶ୍ବର: ବନ୍ୟା ପାଣି ଛାଡିବା ପରେ ଝାଡା ବାନ୍ତି ପରି ରୋଗର ଭୟ ବଢିଛି । କାରଣ ଜଳ ଉତ୍ସ ଗୁଡିକରେ ବନ୍ୟା ପାଣି ମିଶି ଦୂଷିତ କରିଦେଇଥାଏ । ଏ ନେଇ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିକାରମୂଳକ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର । ଝାଡାବାନ୍ତିର ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତେ ପ୍ରସ୍ତୁତ ଅଛନ୍ତି ।

ବର୍ତ୍ତମାନ ସୁଦ୍ଧା ୪୮ ମେଡିକାଲ ରିଲିଫ ଶିବିର କରାଯାଇଛି । ୨୯ ଟିମ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି । ପ୍ରାୟ ୧୧ ହଜାର ଓଆରଏସ ବଣ୍ଟା ଯାଇଛି । ୨୮ ହଜାରରୁ ଅଧିକ ହେଲୋଜେନ ବଣ୍ଟା ଯାଇଛି । ବନ୍ୟାଞ୍ଚଳରେ ପ୍ରାୟ ୧୩୯୦ ଲୋକ ଚିକିତ୍ସା ପାଇଛନ୍ତି । ୩୬ ଡାଏରିଆ ରୋଗୀ ଚିକିତ୍ସିତ ହୋଇଛନ୍ତି । କେହି ବି ହସ୍ପିଟାଲରେ ଭର୍ତ୍ତି ହୋଇ ନାହାନ୍ତି । ଏବେ କୂଅରେ ବ୍ଲିଚିଙ୍ଗ ପାଉଡର ସ୍ପ୍ରେ କରାଯିବ ।

ବନ୍ୟା ପାଣି ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି । ଲୋକେ ହାତ ସଫା ରଖିବାକୁ ମଧ୍ୟ ସଚେତନ କରାଯାଉଛି । ଶୌଚ ପରେ ଓ ଖାଇବା ଆଗରୁ ହାତ ସଫା କରିବାକୁ ଲୋକମାନଙ୍କୁ ବୁଝାଯାଉଛି । ଯେଉଁଠି ଆବଶ୍ୟକ ସେଠାରେ ମେଡିକାଲ କ୍ୟାମ୍ପ କରାଯାଉଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।