ଅକ୍ଟୋବରରୁ ମହଙ୍ଗା ହେବ ଅନଲାଇନ ଗେମ୍, ଆଦାୟ ହେବ ୨୮ ପ୍ରତିଶତ ଜିଏସଟି

ନୂଆଦିଲ୍ଲୀ: ଅନଲାଇନ୍ ଗେମିଂ, କ୍ୟାସିନୋ ଓ ଘୋଡ଼ାଚଢ଼ା ଭଳି କ୍ରୀଡ଼ା ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବ । ଜିଏସଟି ପରିଷଦର ୫୧ ତମ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ ଅନଲାଇନ୍ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ଅକ୍ଟୋବର ୧ରୁ ଲାଗୁ ହେବ । ଏହା କାର୍ଯ୍ୟକାରୀ ହେବାର ୬ ମାସ ପରେ ଏହାର ସମୀକ୍ଷା କରାଯିବ । ଦୀର୍ଘ ୩ ବର୍ଷର ଆଲୋଚନା ପରେ ୨୮ ପ୍ରତିଶତ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜିଏସଟି କାଉନସିଲ ଅନଲାଇନ୍ ଗେମିଂ ଉପରେ ଟିକସ ଲଗାଇବା ପାଇଁ ଆବଶ୍ୟକ ସଂଶୋଧନ ଉପରେ ଆଲୋଚନା କରିଛି । ଜିଏସଟି କାଉନସିଲ ବୈଠକରେ ଦିଲ୍ଲୀ, ଗୋଆ ଏବଂ ସିକ୍କିମ ଅନଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ନିଷ୍ପତ୍ତିର ସମୀକ୍ଷା କରିବାକୁ ଦାବି କରିଥିଲେ । ଗେମିଂ କମ୍ପାନିମାନେ ବି ଏହାକୁ ବିରୋଧ କରିଥିଲେ । କିନ୍ତୁ ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ବିହାର ସମେତ ଅନ୍ୟାନ୍ୟ ରାଜ୍ୟ ୨୮ ପ୍ରତିଶତ ଟିକସ ସପକ୍ଷରେ ଅଛନ୍ତି ଏବଂ ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ସେ ଚାହୁଁଛନ୍ତି ।