ସ୍ବଦେଶ ଫେରିଲେ ୨୭୬ ଭାରତୀୟ, ଫ୍ରାନ୍ସରେ ରହିଗଲେ ୨୭ ଯାତ୍ରୀ
ସ୍ବଦେଶ ଫେରିଲେ ଫ୍ରାନ୍ସରେ ଅଟକିଥିବା ଭାରତୀୟ । ଅଟକିଥିବା ୩୦୩ ଯାତ୍ରୀଙ୍କ ମଧ୍ୟରୁ ମୁମ୍ବାଇରେ ପହଞ୍ଚିଛନ୍ତି ୨୭୬ ଯାତ୍ରୀ। ମାନବ ଚାଲାଣ ଅଭିଯୋଗ ହେବା ପରେ ଗତ ୨୨ ତାରିଖରୁ ଫ୍ରାନ୍ସରେ ଅଟକିଥିଲା ବିମାନ । ଫ୍ରାନସରେ ରହିବାକୁ ଅନୁମତି ମିଳିବା ପରେ ୨୭ ଭାରତୀୟ ସେଠାରେ ରହିଛନ୍ତି । ଅବଶିଷ୍ଟ ୧୭୬ ଯାତ୍ରୀ ଭାରତ ଫେରିଛନ୍ତି ।
ଗତକାଲି ଗ୍ରୀନ ସିଗନାଲ ମିଳିବା ପରେ ଅପରାହ୍ଣ ସାଢେ ୨ଟାରେ ରୋମାନିଆ କମ୍ପାନି ଲିଜେଣ୍ଡ ଏୟାରଲାଇନ୍ସର ବିମାନ ଆଜି ମୁମ୍ବାଇରେ ପହଞ୍ଚିଥିଲା । ଫ୍ରାନ୍ସର ରହିଥିବା ୨୭ ଯାତ୍ରୀ ଆଶ୍ରୟ ନେବାକୁ ଚାହିଁଥିବାରୁ ସେମାନଙ୍କୁ ସେଠାରେ ରଖାଯାଇଛି । ଗତ ଗୁରୁବାର ୩୦୩ ଯାତ୍ରୀଙ୍କୁ ନେଇ ୟୁଏଇର ଦୁବାଇରୁ ଏକ ବିମାନ ନିକାରାଗୁଆ ଯିବା ବାଟରେ ପ୍ୟାରିସ ଠାରୁ ୧୫୦ କିଲୋମିଟର ଦୂର ଭାଟ୍ରି ବିମାନବନ୍ଦରରେ ଅବତରଣ କରିଥିଲା ।
ଏହି ଯାତ୍ରୀଙ୍କ ମଧ୍ୟରେ ଥିଲେ ୧୧ ନାବାଳକ ଓ ଜଣେ ୨୧ ମାସର ଶିଶୁ । ବିମାନକୁ ଭାରତ ଫେରାଇ ନେବା ଲାଗି ପ୍ୟାରିସସ୍ଥିତ ଭାରତୀୟ ଦୂତାବାସ ହସ୍ତକ୍ଷେପ କରିଥିଲା । ବିମାନଟି ଆମେରିକା ବା କାନାଡ଼ାରେ ବେଆଇନ ଭାବେ ପ୍ରବେଶ କରିବା ସମ୍ଭାବନା ଥିଲା । ୨୦୨୩ରେ ପ୍ରାୟ ୯୭ ହଜାର ଭାରତୀୟ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ସୂଚନା ମିଳିଛି । ଗତ ବର୍ଷ ତୁଳନାରେ ଏହି ହାର ୫୧ ଦଶମିକ ୬୧ ପ୍ରତିଶତ ଅଧିକ । ପ୍ରାୟ ୪୧ ହଜାର ୭୭୦ ଭାରତୀୟ ମେକ୍ସିକୋ ସୀମା ଅତିକ୍ରମ କରି ଆମେରିକାରେ ପ୍ରବେଶ ଲାଗି ଉଦ୍ୟମ କରିଥିଲେ ।