ବାଟ ଛାଡିଲେନି ବେଫିକର, ଶୁଣିଲେନି ଆତୁର ଚିତ୍କାର ଆଖିବୁଜିଲେ ଯୁବକ

1 min read

ମୁମ୍ବାଇ: ଅନ୍ୟର ଜୀବନ ପାଇଁ ଆମେ ବିଲକୁଲ ଯତ୍ନବାନ ନୋହୁଁ । ସାମାଜରେ ସ୍ୱାର୍ଥପରତା ସାଙ୍ଗକୁ ବେଫିକର ମନଭାବ ପାଇଁ ବଳି ପଡୁଛି ଅନେକ ଜୀବନ । କେଉଁଠି ସଡକ ନିୟମକୁ ଫୁ କରି ଉଡାଇ ଦିଆଯାଉଛି ତ, ଆଉ କେଉଁଠି ସାମାନ୍ୟ ସମବେଦନା ପାଇଁ ନିରୀହ ଲୋକଙ୍କ ଜୀବନ ଅକାରଣରେ ଚାଲି ଯାଉଛି । ଏମିତି ଏକ କାହାଣୀର ଜ୍ୱଳନ୍ତ ଘଟଣା ଦେଖିବାକୁ ମିଳିଛି ମାୟା ନଗରୀ ମୁମ୍ବାଇରେ । ହଁ ଆଜ୍ଞା, ଏହି ଘଟଣାଟି ଯେତିକି ବ୍ୟଥିତ କରୁଛି, ସମାଜରେ ବାସ କରୁଥିବା ବେଖାତିର ବ୍ୟକ୍ତିଙ୍କ ଉପରେ ସେତିକି ଘୃଣା ମଧ୍ୟ ଜମାଇଛି ।

ଦେଶର ସର୍ବାଧିକ ଜନଗହଳି ସହର ମୁମ୍ବାଇ । ଯେଉଁଠି ଥରେ ପରିଜନଙ୍କ ହାତ ଛାଡିଦେଲେ, ପାଇବା ସହଜ ନୁହେଁ । ଏମିତି ଏକ ପରିସ୍ଥିତିରେ ଏହି ସହର ନେଇଯାଇଛି ଜଣେ ୨୭ ବର୍ଷୀୟ ଯୁବକର ଜୀବନ । ବଞ୍ଚିବା ପାଇଁ ଆଉଟ ପାଉଟ ହେଉଥିବା ଏହି ଯୁବକକୁ ମାରି ଦେଇଛି ଟ୍ରାଫିକ ଜାମ୍ । ମୁମ୍ବାଇର ପଶ୍ଚିମ ମଲାଡରେ ବାସ କରନ୍ତି ୨୭ ବର୍ଷୀୟ ଯୁବକ ଜିଗ୍ନେଶ ପରମାର । ହଠାତ ୮ ତାରିଖ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଜିଗ୍ନେଶ । ପରିବାର ଲୋକେ ଆମ୍ବୁଲାନ୍ସରେ ଜିଗ୍ନେଶକୁ ଭର୍ତ୍ତି କରିବା ସହ ପାଖରେ ଥିବା ଲାଇଫ ଲାଇଲ ମେଡିକାଲ ଅଭିମୁଖେ ଗସ୍ତ କରିଥିଲେ ।

କିନ୍ତୁ ସାମାନ୍ୟ ୫୦୦ ମିଟରର ରାସ୍ତା ଅତିକ୍ରମ କରିବାକୁ ଆମ୍ବୁଲାନ୍ସକୁ ଲାଗିଯାଇଥିଲା ପାଖାପାଖି ୨୦ ମିନିଟ । ଭିଡ ଭିତରେ ବଞ୍ଚିବାର ଚିତ୍କାର କରୁଥିବା ଜିଗ୍ନେଶଙ୍କ କଥା କିନ୍ତୁ କାହାରି କାନରେ ପଡିନଥିଲା । ସମବେଦନାହୀନ ଲୋକେ ଛାଡିନଥିଲେ ଆମ୍ବୁଲାନ୍ସକୁ ରାସ୍ତା । ଆଉ ଶେଷରେ ଜୀବନ ମୃତ୍ୟୁର ସଂଗ୍ରାମ ଭିତରେ ବାଜିଗର ସାଜିଥିଲା ମୃତ୍ୟୁ । ଆମ୍ବୁଲାନ୍ସ ଭିତରେ ଆତୁର ଚିତ୍କାର କରୁଥିବା ଜିଗ୍ନେଶ ସବୁଦିନ ପାଇଁ ପିତା-ମାତାଙ୍କ ଆଗରେ ଆଖି ବୁଜିଦେଇଥିଲେ । ପରେ କିନ୍ତୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

Leave a Reply