ଭାରତ ଆସିବ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣା

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଏବେ ପଥ ପରିଷ୍କାର। ରାଣାଙ୍କ ପ୍ରତ୍ୟାପଣ ସ୍ଥଗିତ ରଖିବାକୁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ଆମେରିକାର ସୁପ୍ରିମକୋର୍ଟ। ସୋମବାର ସୁପ୍ରିମକୋର୍ଟ ୱେବସାଇଟରେ ପ୍ରକାଶିତ ଏକ ନୋଟିସ ମାଧ୍ୟମରେ ଏହି ନିଷ୍ପତ୍ତି ନିଆଯାଇଛି । ୬୪ ବର୍ଷୀୟ ତହୱୁର ରାଣା ଜଣେ ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ । ତାଙ୍କୁ ବର୍ତ୍ତମାନ ଲସ୍ ଆଞ୍ଜେଲସର ମେଟ୍ରୋପଲିଟାନ୍ ଡିଟେନସନ୍ ସେଣ୍ଟରରେ ବନ୍ଦି ରଖାଯାଇଛି । ଫେବୃଆରୀ ୨୭ ତାରିଖରେ, ରାଣା ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ୍ ଏଲେନା କାଗାନଙ୍କ ସମ୍ମୁଖରେ ଏକ “ଜରୁରୀକାଳୀନ ଆବେଦନ” ଦାଖଲ କରିଥିଲେ । “ହେବିଆସ୍ କର୍ପସ୍ ଆବେଦନର ଶୁଣାଣି ପର୍ଯ୍ୟନ୍ତ ପ୍ରତ୍ୟର୍ପଣ ଉପରେ ସ୍ଥଗିତାଦେଶ” ପାଇଁ ଅନୁରୋଧ କରାଯାଇଥିଲା । ତଥାପି, ଗତ ମାସରେ ଜଷ୍ଟିସ୍ କାଗାନ୍ ରାଣାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହା ପରେ, ରାଣା ତାଙ୍କର ଆବେଦନକୁ ପୁନଃ ଉପସ୍ଥାପନ କରିଥିଲେ ଏବଂ ଏହାକୁ ମୁଖ୍ୟ ବିଚାରପତି ଜନ୍ ରବର୍ଟସଙ୍କ ନିକଟକୁ ପଠାଯାଉ ବୋଲି ଦାବି କରିଥିଲେ। ଏହା ଉପରେ, ସୁପ୍ରିମକୋର୍ଟ ୪ ଏପ୍ରିଲ୍, ୨୦୨୫ ରେ ରାଣାଙ୍କ ଆବେଦନକୁ ‘କନଫରେନ୍ସ’ ପାଇଁ ତାଲିକାଭୁକ୍ତ କରିଥିଲେ । ଏହାକୁ କୋର୍ଟ ସମ୍ମୁଖରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସୋମବାର ଦିନ “ଅଦାଲତ ଦ୍ୱାରା ଆବେଦନକୁ ଖାରଜ କରାଯାଇଛି ।” ଏହି ନିଷ୍ପତ୍ତି ପରେ ରାଣାଙ୍କ ଭାରତକୁ ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ଆଗକୁ ବଢିଛି । ତହୱୁର ରାଣା ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ । ଭାରତୀୟ ଏଜେନ୍ସିଗୁଡ଼ିକ ଅନୁଯାୟୀ, ରାଣା ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବାରେ ପାକିସ୍ତାନୀ ଆତଙ୍କବାଦୀ ଡେଭିଡ୍ କୋଲମ୍ୟାନ୍ ହେଡଲିକୁ ସାହାଯ୍ୟ କରିଥିଲା। ହେଡଲି ପୂର୍ବରୁ ଆମେରିକାରେ ସଜା କାଟୁଛି । ତଦନ୍ତ ବେଳେ ଭାରତ ଉପରେ ଆକ୍ରମଣରେ ରାଣାର ଭୂମିକା ପଦାକୁ ଆସିଥିଲା । ଭାରତ ଦୀର୍ଘ ଦିନ ଧରି ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କରିଆସୁଥିଲା । ଏବେ ଆମେରିକା ସୁପ୍ରିମକୋର୍ଟର ଏହି ନିଷ୍ପତ୍ତି ପରେ, ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଭାରତୀୟ ତଦନ୍ତ ଏଜେନ୍ସିଗୁଡ଼ିକ ପାଇଁ ଏକ ବଡ଼ ସଫଳତା।