spot_img

Latest Posts

ଏନଆଇଏ ରିମାଣ୍ଡରେ ତହବୁର ରାଣା, ମୁମ୍ଵାଇ ଆକ୍ରମଣ ନେଇ ଘାଣ୍ଟିବ ସଂସ୍ଥା

ନନ୍ଦିଘୋଷ ବ୍ୟୁରୋ: ଏନଆଇଏ ରିିମାଣ୍ଡରେ ଆତଙ୍କବାଦୀ ତହବୁର ରାଣା। ୧୮ ଦିନର ରିମାଣ୍ଡରେ ନେଇଛି ଏନଆଇଏ। ଏହି ୧୮ ଦିନରେ 26/11 ମୁମ୍ବାଇ ଆତଙ୍କବାଦୀ ହମଲାର ଷଡ଼ଯନ୍ତ୍ରକାରୀ ତହବୁର ରାଣାକୁ ଜେରା କରାଯିବ। ବିଶେଷ କରି ଏହି ଆକ୍ରମଣ ଘଟଣାରେ ପାକିସ୍ତାନର ଲିଙ୍କ୍ ନେଇ ତଥ୍ୟ ଓଗାରିବ ଏନଆଇଏ। ଭାରତରେ ଅବତରଣ କରିବା ମାତ୍ରେ ତହବୁର ରାଣାକୁ ଗିରଫ କରାଯାଇଥିଲା ଏବଂ କୋର୍ଟରେ ହାଜର କରଯାଇଥିଲା। ରାଣା କେଉଁ କେଉଁ ସ୍ଥାନକୁ ଓ କାହା ନିକଟକୁ ଇ-ମେଲ ପଠାଇଛି, ଅନ୍ୟତମ ଷଡ଼ଯନ୍ତ୍ରକାରୀ ଡେଭିଡ କୋଲମାନ ହେଡଲି ସହ ସମ୍ପର୍କ ଓ ପାକିସ୍ତାନ ସେନା ଅଫିସରଙ୍କ ଭୂମିକା ସମ୍ପର୍କରେ ଜେରା କରାଯିବ। ୨୦୦୮ ମୁମ୍ବାଇ ଆତଙ୍କବାଦୀ ହମଲାର ଷଡ଼ଯନ୍ତ୍ରକାରୀ ତହବୁର ରାଣା ଆମେରିକାରୁ ଏକ ସ୍ବତନ୍ତ୍ର ବିମାନରେ ଆସିବା ପରେ ତାକୁ ଗିରଫ କରିଥିଲା ଏନଆଇଏ।ପରେ ତାକୁ ନିଜ ହେପାଜତକୁ ନେବା ଲାଗି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଆବେଦନ କରିବ । ତା ନାଁରେ ଯେଉଁ ମାମଲା ହେବ, ତାର ବିଚାର ପ୍ରକ୍ରିୟା ପାଇଁ ନରେନ୍ଦ୍ର ମାନ୍ ଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତ କରାଯାଇଛି। ସେପଟେ ତହବୁରଙ୍କୁ ପ୍ରତିନିଧିତ୍ବ କରିବେ ଦିଲ୍ଲୀ ଲିଗାଲ ସର୍ଭିସ ଅଥରିଟିର ଆଇନଜୀବୀ ପୀୟୂଷ ସଚ୍ଚଦେବ।
ରାଣାର ତଦନ୍ତ ପ୍ରକ୍ରିୟାରେ ସାମିଲ ଅଛନ୍ତି ଏନଆଇଏର ୧୨ ସଦସ୍ୟ। ସେମାନଙ୍କ ମଧ୍ଯରେ ଅଛନ୍ତି ଡିଜି ଏନଆଇଏ ସଦାନନ୍ଦ ଦାତେ, ଆଇଜି ଆଶିଷ ବାତ୍ରା ଓ ଡିଆଇଜି ଜୟ ରାୟ। ଜେରା ସମୟରେ ରାଣା ମୁମ୍ବାଇ ଆଟାକ ଘଟଣାର ସବିଶେଷ ତଥ୍ୟ ଓଗାରିବ।
୨୦୦୮ ନଭେମ୍ବର ୨୬ ରେ ୧୦ ଲସ୍କର ଆତଙ୍କବାଦୀ ମୁମ୍ବାଇର ୧୨ଟି ସ୍ଥାନରେ ଆଖିବୁଜା ହମଲା କରିଥିଲେ। ୧୬୬ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଆତଙ୍କବାଦୀ ଅଜମଲ କସାବକୁ ଧରାଯାଇଥିଲା ଏବଂ ତାକୁ ୨୦୧୨ରେ ପୁଣେ କାରାଗାରରେ ଫାଶୀ ଦିଆଯାଇଥିଲା।
ରାଣାର ବିଚାର ସ୍ବଚ୍ଛ ଉପାୟରେ କରାଯାଉ ବୋଲି ଦାବି କରିଛି ନୂଆଦିଲ୍ଲୀ ବାର୍ ଆସୋସିଏସନ। ସେପଟେ ପଦାକୁ ଆସିଛି ପାକିସ୍ତୀନୀ ଆମେରିକୀୟ ଡାଭିଡ କୋଲିଆନ ହେଡଲି ଓ ରାଣା ମଧ୍ଯରେ ହୋଇଥିବା କଥାବାର୍ତ୍ତାର କ୍ରୋନୋଲୋଜି। ୨୦୦୬ ସେପ୍ବେମ୍ବର ୧୪ରେ ହେଡଲି ପ୍ରଥମ ଥର ଲାଗି ଭାରତ ଆସିବା ସହ ରାଣାକୁ ୩୨ ଥର ଫୋନ କରିଥିଲା। 26/11 ଆକ୍ରମଣ ପୂର୍ବରୁ ରାଣା ସହ ହେଡଲି ମୋଟ ୨୩୧ ଥର ଫୋନରେ କଥା ହୋଇଥିଲା ବୋଲି ସୂଚନା ମିଳିଛି। ରାଣା ବିରୋଧରେ ଲାଗିଛି ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ବା ୟୁଏପିଏ।

Latest Posts

Don't Miss