ମୁମ୍ବାଇ ଆକ୍ରମଣକୁ ୧୪ ବର୍ଷ, ୯ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ

1 min read

ମୁମ୍ବାଇ: 26/11 ଆତଙ୍କବାଦୀ ଆକ୍ରମଣକୁ ୧୪ ବର୍ଷ  । ଆଜିର ଦିନରେ ମୁମ୍ବାଇରେ ଆତଙ୍କ ରଚିଥିଲେ ଆତଙ୍କବାଦୀ । ମୁମ୍ବାଇର ଛାତି ଥରାଇ ଦେଇଥିଲେ ୧୦ ଆତଙ୍କୀ । ସମୁଦ୍ର ପଥ ଦେଇ ପାକିସ୍ତାନରୁ ପଶି ଆସିଥିଲେ ଲସ୍କର-ଏ-ତୋଏବାର ୧୦ ସଦସ୍ୟ । ନଭେମ୍ବର ୨୬ରୁ ୨୯ ମଧ୍ୟରେ ମୁମ୍ବାଇର ୧୨ଟି ଜାଗାରେ ବମିଂ ଓ ଗୁଳିମାଡ଼ ହୋଇଥିଲା । ଶତ୍ରୁଦେଶର ଯୋଜନା ସମ୍ପର୍କରେ ସାମାନ୍ୟ ସୁରାକ ପାଇପାରି ନଥିଲା ଭାରତୀୟ ଗୁଇନ୍ଦା ।

୪ ଦିନ ଧରି ଖୁନି ଖେଳ, ଗୁଳିଗୋଳା ମାଡ, ବୋମା ବିସ୍ଫୋରଣରେ ଥରି ଉଠିଥିଲା ମାୟାନଗରୀ । ସାଉଥ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍, ଓବରଏ ଟ୍ରାଇଡେଣ୍ଟ, ତାଜ୍ ପ୍ୟାଲେସ୍ ଆଣ୍ଡ ଟାଓ୍ବର, ଲିଓପାର୍ଡ କାଫେ, କାମା ହସ୍ପିଟାଲ, ନରିମାନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜରେ ହମଲା ହୋଇଥିଲା ।

ମୁମ୍ବାଇ ପୋର୍ଟ ଏରିଆରେ ଓ ଭାଇଲ ପାରେଲ ଠାରେ ଏକ ଟ୍ୟାକ୍ସିରେ ବିସ୍ଫୋରଣ ହୋଇଥିଲା । ଆତଙ୍କୀଙ୍କ ହମଲାରେ ପ୍ରାୟ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିଲା । 300ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ୯ ଆତଙ୍କୀ ବି ନିହତ ହୋଇଥିଲେ । ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୨୧ବର୍ଷୀୟ ପାକିସ୍ତାନୀ ଯୁବକ ଅଜମଲ ଅମୀର କସବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଟେରର ଆଟାକ ବେଳେ ୮୦ ଲୋକଙ୍କୁ କସାବ ହତ୍ୟା କରିଥିବା ପ୍ରମାଣିତ ହେବା ପରେ ତାକୁ ଫାଶୀ ଦଣ୍ଡ ଶୁଣାଇଥିଲେ ବମ୍ବେ ହାଇକୋର୍ଟ । ୨୧ ନଭେମ୍ବର ୨୦୧୨ରେ କସାବକୁ ୟେରଓ୍ବାଡା ସେଣ୍ଟ୍ରାଲ ଜେଲରେ ଫାଶି ଦିଆଯାଇଥିଲା ।