ଭାରତ ଆସୁଛି ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ

ମୁମ୍ବାଇ : ୨୬/୧୧ ମୁମ୍ବାଇ ଆକ୍ରମଣର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହଉର ରାଣାକୁ ଭାରତ ଅଣାଯାଉଛି। ଏକ ସ୍ଵତନ୍ତ୍ର ବିମାନରେ ତାକୁ ଭାରତ ଅଣଯାଉଛି। ଏହି ବିମାନ ଆଜି ରାତିରେ କିମ୍ଵା ଆସନ୍ତାକାଲି ଭୋର୍ ରେ ଦିଲ୍ଲୀରେ ପହଞ୍ଚିବାର ସମ୍ଭାବନା ଅଛି। ଦୁଇ ଦିନ ତଳେ ପ୍ରତ୍ୟର୍ପଣ ବିରୋଧରେ ରାଣାର ଆବେଦନକୁ ଆମେରିକାର ସୁପ୍ରିମକୋର୍ଟ ଖାରଜ କରିଥିଲେ। ଏହା ପରେ ଭାରତକୁ ଆଣିବାରେ ପଥ ପରିଷ୍କାର ହୋଇଥିଲା। ଏହା ଆଗରୁ ମାର୍ଚ୍ଚରେ ମଧ୍ୟ ତାର ଏକ ଆବେଦନକୁ ଆମେରିକାର ଏକ କୋର୍ଟ ଖାରଜ କରିଥିଲେ। ୬୪ ବର୍ଷୀୟ ତହଉର ରାଣା ଜଣେ ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ସେ ହେଉଚି ଜଣେ । ରାଣା ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବାରେ ପାକିସ୍ତାନୀ ଆତଙ୍କବାଦୀ ଡେଭିଡ୍ କୋଲମ୍ୟାନ୍ ହେଡଲିକୁ ସାହାଯ୍ୟ କରିଥିଲା। ହେଡଲି ପୂର୍ବରୁ ଆମେରିକାରେ ସଜା କାଟୁଛି । ତଦନ୍ତ ବେଳେ ଭାରତ ଉପରେ ଆକ୍ରମଣରେ ରାଣାର ଭୂମିକା ପଦାକୁ ଆସିଥିଲା । ଲସ୍କର ଇ ତୋଇବା ଓ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ମୁମ୍ଵାଇ ଆତଙ୍କବାଦୀ ଆକ୍ରମଣରେ ସାହାଯ୍ୟ କରିଥିଲା। ଭାରତ ଦୀର୍ଘ ଦିନ ଧରି ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କରିଆସୁଥିଲା । ତାହା ସଫଳ ହୋଇଛି। ଏବେ ଭାରତରେ ତାର ବିଚାର ହେବ ।