ଚାକିରି ଯିବା ପରେ ୬ ମହଲା ଉପରେ ମଦ ଫ୍ୟାକ୍ଟ୍ରିର ୨୫୦ କର୍ମଚାରୀଙ୍କ ଧାରଣା, କହିଲେ- ଡେଇଁକି ମରିବୁ

ଶାହାଜାହାନପୁର: ଉତ୍ତର ପ୍ରଦେଶ ଶାହାଜାହାନପୁରରେ ଏକ ମଦ ଫ୍ୟାକ୍ଟ୍ରିର ୬ ମହଲା କୋଠା ଉପରକୁ ଚଢ଼ି ୨୫୦ କର୍ମଚାରୀଙ୍କ ଧାରଣା । ଦାବି ପୂରଣ ନହେଲେ ୬ ମହଲାରୁ ଡେଇଁ ସମୂହ ଆତ୍ମହତ୍ୟା କରିବାର ଧମକ । କମ୍ପାନୀରେ ଉତ୍ପାଦନ ବନ୍ଦ ଓ କର୍ମଚାରୀଙ୍କ ଛଟେଇକୁ ବିରୋଧ କରି ଏମିତି ପ୍ରତିବାଦ କରିଛନ୍ତି । ଦାବି ପୂରଣ ନହେଲେ ଜଣ ଜଣ କରି ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି । ଏମିତି ଘଟଣା ପୂରା ରାଜ୍ୟରେ ହଟ୍ଟଚମଟ ସଅେ୍ଟି କରିଥିବା ବେଳେ ଜିଲ୍ଲା ପ୍ରଶାସନର ଗୋଡ଼ ତଳୁ ମାଟି ଖସିଯିବା ପରି ହୋଇଛି । ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି ।

ସୂଚନା ଅନୁସାରେ, ରୋଜା ଥାନା କ୍ଷେତ୍ରର ୟୁନାଇଟେଡ ସ୍ପିରିଟ ଲିମିଟେଡ ମଦ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ପୂର୍ବରୁ ଉତ୍ପାଦନ ବନ୍ଦ କରି ଦେଇଥିଲେ । ଏହାସହ ପ୍ରାୟ ୨୫୦ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଛି । ଆଜି କର୍ମଚାରୀଙ୍କ ପାଖକୁ ବହିଷ୍କାର ନୋଟିସ ଆସିବା ପରେ ଅସନ୍ତୋଷ ପ୍ରକାଶ ପାଇଥିଲା । କମ୍ପାନୀ ନିଷ୍ପତ୍ତିର ପ୍ରତିବାଦରେ କର୍ମଚାରୀମାନେ ଏଭଳି ପ୍ରତିବାଦ କରିଛନ୍ତି ।

ଉତ୍ପାଦନ ବନ୍ଦ ପରଠାରୁ ୨୫୭ ଦିନ ହେଲା ଧାରଣାରେ ବସିଛନ୍ତି । ଫ୍ୟାକ୍ଟ୍ରିକୁ ପୁଣି ଚାଲୁ କରିବାକୁ କର୍ମଚାରୀମାନେ ଦାବି କରୁଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ କର୍ମଚାରୀଙ୍କ ଦାବି ଶୁଣୁନାହାନ୍ତି । ଏମିତି ସ୍ଥିତିରେ ଯେବେ ବହିଷ୍କାର ନୋଟିସ ଆସିଲା କର୍ମଚାରୀଙ୍କ ରାଗ ପଞ୍ଚମ ହୋଇଯାଇଥିଲା ।

ଆନ୍ଦୋଳନରତ କର୍ମଚାରୀ କହିଛନ୍ତି ଦୀର୍ଘବର୍ଷ ହେଲା ସେମାନେ ବ୍ରାଣ୍ଡେଡ କମ୍ପାନୀର ମଦ ପ୍ରସ୍ତୁତ କରୁଛନ୍ତି । ହଠାତ ଆମକୁ ବହିଷ୍କାର କରାଯିବା ଫଳରେ ଆମେ ପରିବାର ପ୍ରତିପୋଷଣ କେମିତି କରିବୁ । ଆଜି ଯଦି ଆମେ ଆତ୍ମହତ୍ୟା କରିବୁ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ରହିବେ ।