ଭୁବନେଶ୍ୱର: ଅଟଳ,ଅପରାଜେୟ, ଅସାଧାରଣ । ସେଇ ଦମ୍ଭ ସାଙ୍ଗକୁ ସେଇମିତି ଦୃଢ଼ୋକ୍ତି । ଆତ୍ମବିଶ୍ୱାସଭରା ମିଜାଜ୍ ଫିକା ପଡ଼ିନି । ଚାଲେଞ୍ଜରୁ ସେ ସୁଯୋଗ ସାଉଁଟନ୍ତି । ରାଜ୍ୟ ରାଜନୀତି ମଇଦାନରେ ସେ ଦୀର୍ଘ ୨୫ ବର୍ଷ ହେବ ବାଟ ଚାଲୁଛନ୍ତି । ମାତ୍ର ଏଯାଏ ସେ ଥକି ନାହାନ୍ତି । ରାଜନୈତିକ କ୍ୟାରିୟରରେ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି । ନିଜ ରେକର୍ଡକୁ ନିଜେ ଭାଙ୍ଗୁଛନ୍ତି । ଦୁଇ ଦଶନ୍ଧି ହେବ ରାଜ୍ୟ ରାଜନୀତିର ମେରିଖୁଣ୍ଟ ସାଜିଛନ୍ତି । ଦେଶରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଌାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଞ୍ଚଳିକ ଦଳ ବିଜେଡିର ମୁଖିଆ ଭାବେ ଜାତୀୟ ରାଜନୀତିରେ ସେ ଏବେ ବଡ଼ ବ୍ରାଣ୍ଡ୍ । ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଚଢ଼ିଛି ୨୫ ପାହାଚ । ଦଳ ରବିବାର ପାଳନ କରୁଛି ୨୫ତମ ପ୍ରତିଷ୍ଠା ଦିବସ । ଅଢ଼େଇ ଦଶନ୍ଧିର ରାଜ୍ୟ ଓ ଜାତୀୟ ରାଜନୀତିକୁ ବ୍ୟବଚ୍ଛେଦ କଲେ ଜଳଜଳ ଯେ, ନବୀନଙ୍କ ନିର୍ମଳ ଭାବମୂ୍‌ର୍ତ୍ତି ପାଇଁ ବିଜେଡି ଆଜି ଏକ ଅପରାଜେୟ ଶକ୍ତି ଭାବେ ଉଭା ହୋଇଛି । ପ୍ରତିଦ୍ୱନ୍ଦୀଙ୍କୁ ଢ଼େର ପଛରେ ପକାଇ ବିଜେଡି ଆଜି ତୃଣମୂଳସ୍ତରରୁ ବଳୁଆ ଓ ସଶକ୍ତ ।

୯୭ର ଆଦ୍ୟ ଶୈଶବରୁ ୨୦୨୧ । କାଲିର ଲଙ୍ଗଳା ଶିଶୁ ଆଜିର ଯୁଆନ ଭେଣ୍ଡା । ୨୫ ବର୍ଷର ଉଦ୍ଦାମତା ଆଉ ଠାଣୀ । ଆଗକୁ ଆଗକୁ ମାଡ଼ିଯିବାକୁ ମନରେ ଉତ୍ସାହ ଆଉ ଇଛା । ଓଡ଼ିଶାବାସୀଙ୍କ ସମର୍ଥନ ଓ ଆଶୀର୍ବାଦରେ ବିଜୁ ଜନତା ଦଳ କ୍ରମାଗତ ୫ ପାଳି ରାଜ୍ୟର ଶାସନ ଡୋରି ଧରିଛି । ଗୋଟିଏ ଆଞ୍ଚଳିକ ଦଳର ଏଭଳି ଈର୍ଷଣୀୟ ସଫଳତା ପଛର ମହାନାୟକ ହେଉଛନ୍ତି ସ୍ୱୟଂ ନବୀନ ।

ସମୟର ପାହୁଣ୍ଡ ଆଗକୁ ଆଉ ଆଗକୁ । ବିଜେଡିର ରୌପ୍ୟ ଜୟନ୍ତୀ ବର୍ଷ ଆରମ୍ଭ ହୋଇଛି । ସାରା ରାଜ୍ୟରେ ଦଳ ରବିବାର ଧୂମଧାମରେ ପାଳନ କରୁଛି ୨୫ତମ ପ୍ରତିଷ୍ଠା ଦିବସ । ନବରଙ୍ଗପୁରରୁ ନବୀନ ନିବାସ ଯାଏ ଉତ୍ସାହ, ଖୁସି ଆଉ ସେଲିବ୍ରେସନର ମାହୋଲ । ତୃଣମୂଳସ୍ତରର କର୍ମୀଙ୍କ ଠାରୁ ଆରମ୍ଭ କରି ଶୀର୍ଷ ନେତୃତ୍ୱ ଯାଏ ସମସ୍ତେ ଦଳର ସଫଳତାକୁ ନେଇ ବେଶ୍ ଖୁସି । ଓଡ଼ିଶାବାସୀଙ୍କ ବଳ ପାଲଟିଛି ବିଜୁ ଜନତା ଦଳ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ସାକାର କରିବାକୁ ବିଜେଡି ସୁପ୍ରିମୋ ଗତ ଦୁଇ ଦଶନ୍ଧିରେ କଠିନ ପରିଶ୍ରମ କରିଛନ୍ତି । ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଓଡ଼ିଶା ଆଜି ‘ରୋଲ ମଡେଲ’ । ଟିକେ ତଳେଇକି ଦେଖିଲେ ଏ ସମସ୍ତ ସଫଳତାର କ୍ରେଡିଟ୍ ହିଁ ସାଉଁଟିବେ ‘କମାଣ୍ଡର ଇନ ଚିଫ୍‌’ ସ୍ୱୟଂ ନବୀନ ।

ଅଟଳ ଓ ଅପରାଜେୟ
୧୯୯୭ରେ ପଳଟିକାଲ କ୍ୟାରିୟର ଆରମ୍ଭ କରିଥିବା ନବୀନ ପାଇଁ ବିଜେଡି ଆଜି ବଳୁଆ ଦଳ । ଜାତୀୟ ରାଜନୀତିରେ ବିଜେଡିର ଦବଦବା କାହିଁରେ କ’ଣ । ଦଳରେ ସେ ହିଁ ଆରମ୍ଭ, ସେ ହିଁ ଶେଷ । ରାଜ୍ୟ ରାଜନୈତିକ ଇତିହାସରେ ସେ ନୂଆ ନୂଆ ମାଇଲଖୁଣ୍ଟ ବସାଉଛନ୍ତି । ୫ମ ପାଳି ମୁଖ୍ୟମନ୍ତ୍ରୀ କୁର୍ସି ସମ୍ଭାଳି ନିଜେ ନିଜ ରେକର୍ଡ ଭାଙ୍ଗିଛନ୍ତି । ବିଜୁଙ୍କ ଦାୟାଦ ନବୀନ ରାଜନୀତିରେ ପ୍ରଥମରୁ ରୁଚି ରଖିନଥିଲେ । ମାତ୍ର ପିତାଙ୍କ ଦେହାନ୍ତ ପରେ ଓଡ଼ିଶା ପଲଟିକାଲ ସର୍କଲକୁ ଏଣ୍ଟ୍ରି ମାରିଲେ । ୧୯୯୭ରୁ କୌଣସି ନିର୍ବାଚନ ହାରିନଥିବା ନବୀନ ନିଜକୁ ଅଟଳ ଓ ଅପରାଜେୟ ବୋଲି ପ୍ରମାଣିତ କରିଛନ୍ତି । ତାଙ୍କର ବ୍ରାଣ୍ଡଭାଲ୍ୟୁ ହିଁ ବିଜେଡିର ସବୁଠାରୁ ବଡ଼ ବଳ । ଅବିବାହିତ ନବୀନଙ୍କ ଭାବମୂର୍ତ୍ତି ଯେତିକି ନିର୍ମଳ, ସେତିକି କଳଙ୍କମୁକ୍ତ । ଦୀର୍ଘ ଅଢ଼େଇ ଦଶନ୍ଧିର ଲମ୍ବା କ୍ୟାରିୟରରେ ତାଙ୍କ ସଫେଦ କୁର୍ତ୍ତାରେ କଳା ଦାଗ ଲାଗିନି । ଏହା ହିଁ ତାଙ୍କର ସବୁଠାରୁ ବଡ଼ ପୁଂଜି । ପ୍ଲସ ପଏଣ୍ଟ । ବିରୋଧୀ ଯେ ତାଙ୍କୁ କ୍ଷତାକ୍ତ କରିବାକୁ ବାଣ ଛାଡ଼ି ନାହାନ୍ତି, ତା ନୁହେଁ । ମାତ୍ର ସବୁ ଫ୍ଲପ୍ । ତାଙ୍କ ବିଶାଳ ଭାବମୂର୍ତ୍ତି ଆଗରେ ସବୁ ବାଏଁ ବାଏଁ ଉଡିଛି । ରାଜ୍ୟ ରାଜନୀତି ଇତିହାସରେ ନବୀନ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ।

୨୦୧୪ ଓ ୨୦୧୯ ଭୋଟରେ କାଶ୍ମୀରରୁ କନ୍ୟାକୁମାରୀ ଯାଏ ମୋଦି ମନ୍ତ୍ର କାଟୁ କଲା । ମାତ୍ର ଓଡ଼ିଶାରେ ହଜିଗଲା ମୋଦି ୱେଭ୍ । ଜନତା ନବୀନ ମାୟାରେ ବାୟା । ସ୍ୱୟଂ ନବୀନ ପ୍ରମାଣ କରିଦେଲେ ଯେ, ସେ ମୋଦିଙ୍କ ଠାରୁ ଢ଼େର ଲୋକପ୍ରିୟ । ତାଙ୍କୁ ଲୋକ ପସନ୍ଦ କରୁଥିଲେ, କରୁଛନ୍ତି ଆଉ କରିବେ । ସେ ନିରଙ୍କୁଶ ନାୟକ ଭାବେ ନିଜ ସାମ୍ରାଜ୍ୟ ବଢ଼ାଇ ଚାଲିଛନ୍ତି । ସଫଳତା ପାଇଁ କଠିନ ପରିଶ୍ରମ ଓ ଟିମ୍ ୱାର୍କକୁ ଶ୍ରେୟ ଦିଅନ୍ତି ।


ସେବା କର, ହୃଦୟ ଜିତ
“ଲୋକଙ୍କ ଭଲ ପାଇବା ଆଗରେ କ୍ଷମତା, ସମ୍ମାନ ଓ ସମ୍ପତ୍ତିର କିଛି ମୂଲ୍ୟ ନାହିଁ । ଏହି ଭଲ ପାଇବା ହିଁ ଗାନ୍ଧିଜୀଙ୍କୁ ଅମର କରିଛି । ଆଉ ବିଜୁ ବାବୁଙ୍କୁ ମହାନ କରିଛି । ସେବା ଆଉ କ୍ଷମତା ଭିତରେ ସେବା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ସେବା ଜରିଆରେ ଲୋକଙ୍କ ହୃଦୟ ଜିତି ହୁଏ । ଲୋକଙ୍କ ସେବା କର, ହଦୟ ଜିତ । ” ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କୁ ଏହି ମନ୍ତ୍ର ଦେଇଛନ୍ତି । ଓଡ଼ିଆ ଭାବେ ସେ ଗର୍ବିତ ବୋଲି କହି ଆହ୍ୱାନ ଦେଇଛନ୍ତି, ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ଦରିଣତ କରିବାକୁ ଆସ ସଂକଳ୍ପ ନେବା । ବିଶ୍ୱ ଇତିହାସରେ ଓଡ଼ିଶା ପାଇଁ ସ୍ଥାନ ଗଢ଼ିବା । ଆମେ ଶ୍ରେଷ୍ଠ ହେବା ।

ବିଜେଡିର ଆଖି ତରାଟିଲା ଭଳି ସଫଳତା ପଛର ବଡ଼ ରହସ୍ୟ ହେଉଛି ନବୀନଙ୍କ ସରଳ ଜୀବନଯାପନ ସହ ଶାସନର କେନ୍ଦ୍ରବିନ୍ଦୁରେ ସାଧାରଣ ଲୋକ। ବିଜେଡି କର୍ମୀଙ୍କୁ ନବୀନଙ୍କ ମନ୍ତ୍ର ହେଉଛି, ସାଧାରଣ ଜୀବନରେ ସରଳତା ହେଉଛି ସବୁଠୁ ବଡ଼ କଥା । ଏହା ସେବା ପାଇଁ ପ୍ରେରଣା ଦେଇଥାଏ । ସାଧାରଣ ଜୀବନ ଶୈଳୀ ଓ ଉଚ୍ଚ ଚିନ୍ତାଧାରା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ । ସରଳତାରେ ଏମିତି ଶକ୍ତି ରହିଛି, ଯାହା ଲୋକଙ୍କ ସହ ଯୋଡ଼ି ଦିଏ । ଆଣମାନେ ସରଳ ଜୀବନଯାପନ କରନ୍ତୁ । ଲୋକଙ୍କ ଭରସାକୁ ସମ୍ମାନ ଦିଅନ୍ତୁ । ଜନତା ଆମର ପଭୁ । ଏଣୁ ନମ୍ରତାର ସହ ସେମାନଙ୍କ ସେବା କରନ୍ତୁ । ବିଜେଡି ମୁଖିଆଙ୍କ ଏ ମନ୍ତ୍ର ଦଳକୁ ଦେଇଛି ଅସମ୍ଭବ ସଫଳତା ।

ଅଭିନବ ଯୋଜନା

ବିଜେଡିର ୨୫ ବର୍ଷର ସଫଳତା ପଛରେ ଲୁଚି ରହିଛି ସରକାରର ଅଭିନବ ଯୋଜନା ବର୍ଷା । ସାଧାରଣ ଓ ଗରିବ ଲୋକଙ୍କ ପାଇଁ ନବୀନ ଯେତିକି ଯୋଜନା ଆପଣାଇଛନ୍ତି ତାହା ତାଙ୍କ ଦଳ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ବହୁ ଗୁଣିତ କରିଛି । ଟଙ୍କିକିଆ ଚାଉଳରୁ ଆରମ୍ଭ କରି, କାଳିଆ, ବଳରାମ, ମମତା, ଆହାର ଯୋଜନା ଗରିବଙ୍କ ମୁହଁରେ ହସ ଆଣିଛି । ସ୍ୱତନ୍ତ୍ର କୃଷି ବଜେଟ୍‌, ସ୍ୱତନ୍ତ୍ର କୃଷି ଓ ଐତିହ୍ୟ କ୍ୟାବିନେଟ୍‌, ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କୁ ୫୦% ସ୍ଥାନ ସଂରକ୍ଷଣ, ମିଶନଶକ୍ତି ଆନ୍ଦୋଳନରେ ୭୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା, ବିଏସକେୱାଇ ହେଲଥ କାର୍ଡରେ ଗୁଣାତ୍ମକ ମାଗଣା ସ୍ୱାସ୍ଥ୍ୟସେବା, ୧୦ ନୂଆ ମେଡିକାଲ କଲେଜ, ସ୍କୁଲ ରୂପାନ୍ତରୀକରଣ ବିଜେଡିର ମାଇଲଖୁଣ୍ଟ ।


ରାଜ୍ୟରେ ବିକାଶର ଗତିଶୀଳତାକୁ ଆଗକୁ ନେବାକୁ ‘୫ ଟି’ ଦଳଗତ କାର୍ଯ୍ୟ, ସ୍ୱଛତା, ବୈଷୟିକ ଜ୍ଞାନ, ପରିବର୍ତ୍ତନ ଓ ସମୟ (ଟିମ୍ ୱାର୍କ, ଟ୍ରାନସ୍‌ପରେନ୍ସି, ଟେକ୍‌ନୋଲୋଜି, ଟ୍ରାନସଫରମେସନ, ଟାଇମ୍‌) ଅନୁସାରେ କାମ ଆରମ୍ଭ ହୋଇଛି । ଜନସାଧାରଣଙ୍କୁ ତ୍ୱରିତ ସେବା ଦେବାରେ ଏହା ବହୁତ ସହାୟକ ହେଉଛି । ସରକାରୀ ସେବା ପାଇଁ ବାରମ୍ବାର ସରକାରୀ ଅଫିସକୁ ଦୌଡ଼ିବାକୁ ପଡୁନି । ଘରେ ବସି କଂପ୍ୟୁଟର କି-ବୋର୍ଡ କିମ୍ବା ମୋବାଇଲ୍ ଆପରେ ମିଳୁଛି ସେବା । ମଧ୍ୟସ୍ଥି, ଦଲାଲଙ୍କ ଶୋଷଣରୁ ମିଳିଛି ମୁକ୍ତି । ରାଜ୍ୟରେ ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ । ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଲୋକ ହେଉଛନ୍ତି ପ୍ରକୃତ ସରକାର ଓ ମାଲିକ । ତେଣୁ ସରକାରୀ ଅନୁଷ୍ଠାନକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ବୃତ୍ତିଗତ ଓ ସେବା ମନୋଭାବ ଦେଖାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ ‘ମୋ ସରକାର’ ଆରମ୍ଭ କରିଥିଲା ବେଳେ ଏବେ ସମସ୍ତ ବିଭାଗ ଏହାକୁ କାର୍ଯ୍ୟକାରୀ କରିଛନ୍ତି ।


ଖୋଦ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଫୋନ୍ କରି ଥାନା ହେଉ ଅବା ଡାକ୍ତରଖାନାରେ କେମିତି ସେବା ମିଳିଲା ବୋଲି ପଚାରି ବୁଝୁଛନ୍ତି । ଏହା ସରକାରୀ ସେବା ସହ ଉତ୍ତମ ବ୍ୟବହାର ଯୋଗାଇବାରେ ବଡ଼ ସଂସ୍କାର ଆଣିଛି । ନୂଆ ସ୍ୱପ୍ନ୍ନ, ନୂଆ ସଂକଳ୍ପ । ଓଡ଼ିଶା ଦେଖିବ ଆଖି ତରାଟିଲା ଭଳି ବିକାଶ । ୫ମ ପାଳିରେ ରାଜ୍ୟର କ୍ଷମତା ଡୋରି ଧରିଥିବା ନବୀନ ଏ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବାକୁ ଆତ୍ମବିଶ୍ୱାସର ସହ ଅଣ୍ଟା ଭିଡ଼ିଛନ୍ତି । ସଫଳ ମଧ୍ୟ ହୋଇଛନ୍ତି । ନବୀନଙ୍କ ସ୍ୱଚ୍ଛ ଖଣ୍ଡାରେ ଦୁର୍ନୀତିଗ୍ରସ୍ତ କର୍ମଚାରୀ ବିଦା ହୋଇଛନ୍ତି । ଏ ପାଳିରେ ନବୀନ ପୂରାକୁ ପୂରା ‘ଆକ୍ସନମୋଡ’ ରେ ।

ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟନଗରୀ କରିବା ସହ ଏକାମ୍ରକ୍ଷେତ୍ରକୁ ନୂଆ ରୂପ ଦେବାର ‘ଶ୍ରୀଗଣେଶ’ ଆରମ୍ଭ ହୋଇଛି । ବିକାଶଶୀଳ ଦେଶ ଭଳି ରାଜ୍ୟରେ ଘରେ ମିଳୁଛି ଜୀବାଣୁଶୂନ୍ୟ ପଇପ୍ ପାଣି । କଟକ ବଡ଼ ମେଡିକାଲକୁ ‘ଏମ୍ସ ପ୍ଲସ୍‌’ଭାବେ ଗଢିବାକୁ କାମ ଆଗେଇଛି । ମହାମାରୀ ‘କରୋନା’ ଚକ୍ରବ୍ୟୁହ ଭିତରେ ସରକାର ଫସି ମଧ୍ୟ ସଫଳ ମୁକାବିଲା କରିପାରିଛି । ବିପର୍ଯ୍ୟୟର ମୁକାବିଲାର ରୋଲ ମଡେଲ ନବୀନ ଏବେ କରୋନା କାଳରେ ‘ସଂକଟମୋଚକ’ ଭାବେ ଉଭା ହୋଇଛନ୍ତି । ‘ହକି’ ପାଇଁ ନବୀନ ସାଜିଛନ୍ତି ଲକି ମାସ୍କଟ । ହଁ….ସମଗ୍ର ବିଶ୍ୱ ଦରବାରରେ ଓଡ଼ିଶାର ଏବେ ନୂଆ ପରିଚୟ । ବିକାଶର ରାସ୍ତାରେ ଏବେ ଓଡ଼ିଶା । ବିଜେଡିର ଏ ୨୪ ବର୍ଷର ଲମ୍ବା ଯାତ୍ରାରେ ଓଡ଼ିଶା ଦେଖିଛି ବହୁ ପରିବର୍ତ୍ତନ । ଏ ପରିବର୍ତ୍ତନର ପୁରୋଧା ହେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ।

Leave a Reply