ଧାନକିଣାରେ ଅନିୟମିତତା କରିଥିବାରୁ ବାଜିଲା ସରକାରୀ ଛାଟ, ୨୫ ନିଲମ୍ବିତ

ବଲାଙ୍ଗୀର: ଧାନକିଣାରେ ଅନିୟମିତତା କରିଥିବାରୁ ବାଜିଲା ସରକାରୀ ଛାଟ । ଖରିଫ୍‌ ଋତୁରେ ଧାନକିଣାରେ ଅନିୟମିତତା କରିଥିବା ୨୫ ଜଣ କର୍ମଚାରୀଙ୍କ ଉପରେ ପଡିଛି ସରକାରୀ ଛାଟ । ଜିଲ୍ଲାର ୨୫ଜଣ ସଂପାଦକ, ବ୍ୟାଙ୍କ ସହାୟକ ଓ ଡିଇଓଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇଥିବା ବେଳେ ୧୯ ଜଣଙ୍କ ନାଁରେ ଜିଲ୍ଲା ପ୍ରଶାସନ ବିଭିନ୍ନ ଥାନାରେ ଏତଲା ଦେଇଛି ।

ଅଭିଯୋଗ ପରେ ପତ୍ରାପାଲି, ଗଣପତ୍ରାପାଲି, ସିବତଲା, ଚୂଡାପାଲି, ଉପରଝର, ସୋଲବନ୍ଧ, ସରମୁହାଣ, ବରସୁଜା, ଢୋଲମଣ୍ଡଲ, ଘୁନେଶ, ଖଗସା, ତୁରେକେଲା, ମହୁଲପାଟୀ, ବଡସାହିମରା ଓ ଭଇଁଷା ସମ୍ପାଦକଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସେହିପରି ୧୦ ଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ବେଳେ ୧୯ ଜଣଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।

ସେପଟେ ବଲାଙ୍ଗୀର ବେଲପଡ଼ା ବ୍ଲକ ଧୁମାଭଟା ପ୍ୟାକ୍ସରୁ ଚାଷିଙ୍କଠାରୁ ଧାନ କିଣିବା ବଦଳରେ ପ୍ୟାକ୍ସ ସଂପାଦକ ଓ ଡିଇଓ ଧାନ ମାଫିଆଙ୍କମାନଙ୍କୁ ଅନୁକମ୍ପା ପ୍ରଦାନ କରିଥିବା ଅଭିଯୋଗ ଆସିଛି । ପ୍ୟାକ୍ସର ସଂପାଦକ ଶ୍ରୀକାନ୍ତ ପାଣିଗ୍ରାହୀ ଓ ଡିଇଓ ହୃଷୀକେଶ ବୁଡେକ ଜମିର କିସମ ବଦଲାଇ ହଜାର ହଜାର କୁଇଣ୍ଟାଲ ଧାନ କିଣିଥିବା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ଚାଷୀ । ଅଭିଯୋଗ ପରେ ସେମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଅଭିଯୋଗ ପ୍ରମାଣିତ ହେଲେ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

Leave a Reply