ବିନା ଇନସ୍ୟୁରାନ୍ସରେ ଗଡୁଛି ୨୫ ଲକ୍ଷ ଗାଡ଼ି, ୩ ଲକ୍ଷ ଗାଡ଼ିର ନାହିଁ ହାଇ-ସିକ୍ୟୁରିଟି ନମ୍ବର ପ୍ଲେଟ୍‌

ଭୁବନେଶ୍ୱର: ବିନା ଇନସ୍ୟୁରାନ୍ସରେ ଗଡୁଛି ୨୫ ଲକ୍ଷ ଗାଡ଼ି । ୩ ଲକ୍ଷ ଗାଡ଼ିର ନାହିଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ । ପଲ୍ୟୁସନ୍, ଫିଟନେସ୍ ନିୟମର ବି ଖୋଲାଖୋଲି ଉଲଘଂନ  । ୧ ତାରିଖରୁ ଚେକିଂ କୁ ବ୍ୟାପକ କରିବାକୁ ପରିବହନ ବିଭାଗର ନିର୍ଦ୍ଦେଶ । ପରିବହନ ବିଭାଗ  ନିୟମ କରୁଛି,  ହେଲେ ଏହାର ଅନୁପାଳନ ହେଉନି । ଯେଉଁଥିପାଇଁ ଦୁର୍ଘଟଣାରେ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ । ଇନସ୍ୟୁରାନ୍ସ, ଫିଟ୍‌ନେସ୍‌, ପଲ୍ୟୁଶନ ସାର୍ଟିଫିକେଟ ଓ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥାଇ ଲକ୍ଷ ଲକ୍ଷ ଗାଡି ରାସ୍ତାରେ ସେମିତି ଗଡୁଛି । ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷରୁ ଅଧିକ ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲାଗି ନଥିବା ବେଳେ ୨୫ ଲକ୍ଷରୁ ଅଧିକ ଗାଡି ବିନା ଇନ୍‌ସ୍ୟୁରାନ୍ସରେ ଚାଲୁଛି । ୭ ଲକ୍ଷ ଗାଡିର ପଲ୍ୟୁଶନ ସାର୍ଟିଫିକେଟ ନାହିଁ । ମୋଟର ଭେଇକିଲ ଆକ୍ଟ ୧୯୮୮ର ଧାରା ୧୪୬ ଅନୁସାରେ ବିନା ଇନସ୍ୟୁରାନ୍ସରେ ଗାଡିଗୁଡିକ ଚଳାଚଳ କରୁଥିଲେ ପ୍ରଥମଥର ୨ ହଜାର ଟଙ୍କା ଓ ଦ୍ୱିତୀୟଥର ଧରାପଡିଲେ ୪ ହଜାର ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି । କିନ୍ତୁ ଚେକିଂ ଅଭାବରୁ ବେଫିକର ବୁଲୁଛନ୍ତି ଅମାନିଆ।

ପରିବହନ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ଦୁଇଚକିଆ ଯାନ ୬୩ ଲକ୍ଷ ୯୯ ହଜାର ୭୦୭ ଥିବାବେଳେ ୧୨ ଲକ୍ଷ ୧୦ ହଜାର ୨୬୯ଟି ଚାରିଚକିଆ ଯାନ ରହିଛି । ସେହିପରି ୪ ଲକ୍ଷ ୧୦ ହଜାର ୪୩୯ଟି ବସ୍‌, ଟ୍ରକ୍‌ ଓ ଅନ୍ୟାନ୍ୟ ଗାଡି ରହିଛି । ଏଥିରୁ ୨୦ ଲକ୍ଷ ୫୫ ହଜାର ୫୭୦ଟି ଦୁଇଚକିଆ ଓ ୪ଲକ୍ଷ ୧୫ ହଜାର ଚାରିଚକିଆ ଗାଡିର ଇନ୍‌ସ୍ୟୁରାନ୍ସ ନାହିଁ । ସେହିପରି ୪ ଲକ୍ଷ ୧୫ ହଜାର ବସ୍‌, ଟ୍ରକ୍‌ ଓ ଅନ୍ୟ ଭାରିଯାନ ମଧ୍ୟରୁ ପାଖାପାଖି ୧୫ରୁ ୨୦ ହଜାର ଗାଡିର ଫିଟ୍‌ନେସ୍‌ ଓ ଅଧିକାଂଶ ଗାଡିର ପଲ୍ୟୁଶନ ସାର୍ଟିଫିକେଟ ନାହିଁ । ପରିବହନ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍‌ ଜାରି ରହିଛି  । ଏହାସହ ପୋଲିସ ମଧ୍ୟ ଏନଏଚ୍‌ ଓ ସହର ମଧ୍ୟରେ ଚେକିଂ କରୁଛି । ଏହାସତ୍ବେ ଅମାନିଆଁକୁ ସାବାଡ଼ କରିବାକୁ ଏହା ଯଥେଷ୍ଟ ହେଉନାହିଁ । ଦୁର୍ଘଟଣାକୁ ନେଇ ସୁପ୍ରିମକୋର୍ଟ କମିଟି ଉଦବେଗ ପ୍ରକାଶ କରୁଛି। ତଥାପି ବିଭାଗ ଭିତରେ ସମନ୍ୱୟ ଅଭାବରୁ ଅନୁପାଳନ ହେଉନି ନିୟମ ।