ଶିକାରୀଙ୍କ ଫାସରେ ଗଜରାଜ: ୬ ବର୍ଷରେ ଗଲାଣି ୨୫ ହାତୀଙ୍କ ଜୀବନ

ଢେଙ୍କାନାଳ: ମୃତ୍ୟୁର ଫାସରେ ନିରୀହ ଗଜରାଜ । ବିଦ୍ୟୁତ୍ ଫାସରେ ଯାଉଛି ହାତୀଙ୍କ ଜୀବନ । ଢେଙ୍କାନାଳରେ ୬ ବର୍ଷରେ ଗଲାଣି ୨୫ ହାତୀଙ୍କ ଜୀବନ । ଶିକାରୀ ଓ ବନ ବିଭାଗର ଛକ୍କାପଞ୍ଝା ଭିତରେ ବଳି ପଡୁଛନ୍ତି ନିରୀହ ହାତୀ । ବାରହା ଶିକାର ପାଇଁ ବସା ଯାଉଥିବା ବିଦ୍ୟୁତ୍ ଫାସରେ ପଡି ଢେଙ୍କାନାଳ ବନଖଣ୍ଡରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ଜୀବନ ଚାଲିଯାଉଛି । ଯାହା ବନ ବିଭାଗର ଚିନ୍ତାର କାରଣ ପାଲଟିଛି । ଖୁଲମଖୁଲା ଶିକାର ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ଉଠାଉଛି ପ୍ରଶ୍ନ ।

ହାତୀ ମୃତ୍ୟୁ ରିପୋର୍ଟକୁ ନଜର ପକାଇଲେ, ୨୦୧୫ ରୁ ୨୦୨୧ ଗତ ୬ ବର୍ଷ ମଧ୍ୟରେ ୨୫ଟି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ ଢେଙ୍କାନାଳ ସଦର ରେଞ୍ଜରେ ସର୍ବାଧିକ ୧୪ଟି ହାତୀଙ୍କ ମୃତ୍ୟୁ ଘଟିଛି । ହିନ୍ଦୋଳ ରେଞ୍ଜରେ ୭ଟି, କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ୩ଟି ଓ ମହାବୀର ରୋଡ ରେଞ୍ଜରେ ଗୋଟିଏ ହାତୀର ଜୀବନ ଯାଇଛି । ତେବେ ହାତୀ ମୃତ୍ୟୁ ରୋକିବା ପାଇଁ ହାତୀ କରିଡର ସୃଷ୍ଟି କରିବା ସହ ପାଟ୍ରୋଲିଂ କଡାକଡି କରାଯାଇଛି ବୋଲି ଢେଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୁଗୋ ନାନୀ କହିଛନ୍ତି ।

Leave a Reply