ରକ୍ତମୁଖା ଋଷ୍‌, ଘନଘନ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଲେ ୨୫

କିଭ୍: ୟୁକ୍ରେନ ରାଜଧାନୀ କିବ୍, ଉମାନ ଓ ନିପ୍ରୋରେ ଋଷର ଘମାଘୋଟ ଏୟାରଷ୍ଟ୍ରାଇକ । ରକ୍ତମୁଖା ଋଷର ଆକ୍ରମଣରେ ପ୍ରାଣ ହରାଇଛନ୍ତି ୪ ଶିଶୁଙ୍କ ସମେତ ୨୫ଜଣ । ଗତ ୨ ମାସ ମଧ୍ୟରେ ଏହା ସବୁଠାରୁ ବଡ଼ ହମ୍‌ଲା ବୋଲି ସୂଚନା ମିଳିଛି । ଏୟାରଷ୍ଟ୍ରାଇକରେ ନିପ୍ରୋ, କ୍ରେମେନଚୁକ, ମିକୋଲେଭ ଓ ପୋଲତଭା ସହରରେ ଆତଙ୍କ ଖେଳି ଯାଇଛି । ଉମାନ ସହରରେ ମୃତ୍ୟୁ ସଂଖ୍ୟା ବଢିବା ସହ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମିସାଇଲ ଷ୍ଟ୍ରାଇକରେ ବହୁ କୋଠା ନଷ୍ଟ ହୋଇଥିବା ସୂଚନା ମିଳିଛି । ନିପ୍ରୋରେ ଅନେକ କୋଠା ଉପରେ ମିସାଇଲ ଷ୍ଟ୍ରାଇକ ହୋଇଥିବାବେଳେ ସେଠାରେ ଏକ ଶିଶୁ ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି । ୟୁକ୍ରେନର ରିଜର୍ଭ ବାହିନୀ ଥିବା ଅଞ୍ଚଳରେ ଏହି ଷ୍ଟ୍ରାଇକ କରାଯାଇଛି ବୋଲି କହିଛି ଋଷ । କିଭ୍‌ର ବିଭିନ୍ନ ପ୍ରାସାଦ ଉପରେ ହମଲା ହୋଇଥିବାବେଳେ ଅନେକ କୋଠା ଛାରଖାର ହୋଇଛି ।ସେପଟେ ଋଷ ଅଧିକୃତ ୟୁକ୍ରେନୀୟ ଅଞ୍ଚଳକୁ ଯଥାଶୀଘ୍ର ମୁକ୍ତ କରାଯିବ ବୋଲି କହିଛି ୟୁକ୍ରେନ । କୌଣସି ପ୍ରକାର ଋଷ ବାହିନୀଙ୍କୁ ସେଠାରୁ ହଟାଯିବ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।