ରାଜ୍ୟ ପାଳୁଛି ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର: ଆଜି ପ୍ରବାଦପୁରୁଷ, ମହାନ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ସାରା ଓଡ଼ିଶା । ବିଜୁଙ୍କ ନାମରେ ଗଠିତ ବିଜୁ ଜନତା ଦଳ ନିରାଡ଼ମ୍ବର ଭାବେ ପାଳିବ ବିଜୁ ଶ୍ରାଦ୍ଧ ଉତ୍ସବ । ଏପ୍ରିଲ ୧୭ ତାରିଖ ୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା । କିନ୍ତୁ ଓଡ଼ିଶାବାସୀଙ୍କ ହୃଦୟରେ ଆଜି ବି ସେ ବିରାଜମାନ । ତାଙ୍କ ନାଁରେ ଗଠିତ ବିଜୁ ଜନତା ଦଳ ପ୍ରତିବର୍ଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିଆସୁଛି । ଏଥର ମଧ୍ୟ କୋଭିଡ୍ କଟକଣା ଭିତରେ ପାଳନ ସହ ମାସ୍କ ବ୍ୟବହାରର ଗୁରୁତ୍ବ ଓ କୋଭିଡ୍ ଗାଇଡଲାଇନ୍ ବିଷୟରେ ଲୋକଙ୍କୁ ବୁଝାଇବାକୁ ବିଜେଡି କର୍ମକର୍ତ୍ତା, ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପୌର ଓ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ ଏବଂ ନଗର ସଭାପତିଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ରାଜ୍ୟବାସୀଙ୍କ ପ୍ରତି ବିଜେଡିର ଥିବା ପ୍ରତିବଦ୍ଧତା ଦର୍ଶାଇବାକୁ ଆଜି ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ପ୍ରତି ନିର୍ବାଚନ ମଣ୍ଡଳୀରେ ରକ୍ତ ସଂଗ୍ରହ କରାଯିବ । ଓଡ଼ିଶାକୁ ନିଜ ପରିବାର ଭାବି ଜନକଲ୍ୟାଣକୁ ମୂଳମନ୍ତ୍ର କରିଥିବା ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ସେବାଭାବକୁ ତ୍ବରାନିତ କଲେ ଏହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

Leave a Reply