ବିଜେଡି ଶାସନ ଥିଲା ଓଡ଼ିଶା ଇତିହାସର ସୁବର୍ଣ୍ଣ ଯୁଗ ; ଆମର ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି

ଭୁବନେଶ୍ବର: ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ । ସଭାପତି ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ନାମାଙ୍କନ ଭରିବା ପରେ ସର୍ବସମ୍ମତି କ୍ରମେ ନିର୍ଦ୍ବଦ୍ବରେ ହୋଇଛନ୍ତି ନିର୍ବାଚିତ। ନବୀନ ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ନବମ ଥର ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେଇ ସୁପ୍ରିମୋ କହିଛନ୍ତି ବିଜୁ ଜନତା ଦଳର ସଭାପତି ଭାବରେ ଦଳର ସେବା କରିବା ପାଇଁ ମୋତେ ପୁଣି ଥରେ ସୁଯୋଗ ଦେଇଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ଆପଣମାନଙ୍କ ଏହି ଭଲ ପାଇବା ମୋତେ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ କରିରଖିଛି । ଏହି ଅବସରରେ ଆମର ପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି । ବିଜୁ ବାବୁ ଙ୍କ ଆଦର୍ଶ ସବୁବେଳେ ଆମକୁ ବାଟ ଦେଖାଇଆସିଛି ।

ଆପଣମାନଙ୍କ ଭଲ ପାଇବା ନିକଟରେ ମୁଁ ଚିର ଋଣୀ । ଏହି ଭଲପାଇବା ଏବଂ ଭରସା ମୋତେ ଆପଣଙ୍କ ନିକଟରେ ଋଣୀ କରି ରଖିଛି । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ୨୦୦୦ରୁ ୨୦୨୪ ଯାଏ ସେବାର ସୁଯୋଗ ପାଇଥିଲା । ବିଜେଡି ଶାସନ ଥିଲା ଓଡ଼ିଶା ଇତିହାସର ସୁବର୍ଣ୍ଣ ଯୁଗ । ବିଜେଡି ଶକ୍ତିକୁ କେହି ଅଣଦେଖା କରିପାରିବେନି । ଆମର ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି । କ୍ଷମତାରେ ଥାଉ ବା ନଥାଉ ଲୋକଙ୍କ ସେବା କରୁଛୁ ଓ କରିଚାଲିବୁ ସମସ୍ତଙ୍କୁ ସଶକ୍ତ କରିବା ଉପରେ ଆମର ଫୋକସ ।

ଆଞ୍ଚଳିକ ବିକାଶ ଆମର ଫୋକସ । ଓଡ଼ିଶାର ସ୍ୱାର୍ଥ ସହ ବିଜେଡି ସବୁବେଳେ ଯୋଡ଼ି ହୋଇରହିଛି । ଓଡ଼ିଶାର ହକ୍ ପାଇଁ ଲଢ଼େଇ ଜାରିରହିବ । କେବେବି ଆଦର୍ଶରୁ ବିଚ୍ୟୁତ ହୋଇନି ବିଜେଡି । ସଦାସର୍ବଦା ବିଜେଡି ଆଦର୍ଶରେ ରହିଛି ଏବଂ ରହିବ । ଗତ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ବିଜେଡି ହାରିଛି । ମିଛ ପ୍ରଚାର କରି ବିଜେପି କ୍ଷମତାକୁ ଆସିଛି ଏବଂ ବିଜେଡି ବିରୋଧରେ ମିଛ ପ୍ରଚାର କରି ଜିତିଛି ବିଜେପି । ଏହାସହିତ ଟେକ୍ନୋଲୋଜିର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ବିଜେଡି କର୍ମୀ ଭାଇଭଉଣୀଙ୍କ ଉପରେ ପୂରା ଭରସା ଅଛି ଏବଂ ସେମାନଙ୍କୁ ଗାଁ ଗାଁରେ ବିଜେଡିର ସେବାର ବାର୍ତ୍ତା ପହଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି ।