ବିଜେପି ବିରୋଧରେ ବେଙ୍ଗାଲୁରୁରେ ରଣନୀତି କରିବେ ଅଣଏନଡିଏ ଦଳ, ଭାଗ ନେବେ ୨୪ ଦଳ

ବେଙ୍ଗାଲୁରୁ: ଆଜିଠୁ ବେଙ୍ଗାଳୁରୁରେ ବିରୋଧୀ ଦଳଙ୍କ ଦୁଇଦିନିଆ ମହାମେଳି । ଆଜି ଓ ଆସନ୍ତାକାଲି ବିଜେପି ବିରୋଧରେ ରଣନୀତି କରିବେ ଅଣଏନଡିଏ ଦଳ । ବିରୋଧୀ ଦଳଙ୍କ ପ୍ରଥମ ବୈଠକ ବିହାରର ପାଟନାରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଭାଗ ନେଇଥିଲେ ୧୫ଟି ଦଳର ନେତା । ବେଙ୍ଗାଲୁରୁରେ ଅନୁଷ୍ଠିତ ହେଉଥିବା ବୈଠକକୁ କଂଗ୍ରେସ ଆୟୋଜନ କରୁଛି ।

ଏଥିରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଯୋଗଦେବାର ସୂଚନା ରହିଛି । ସୋନିଆଙ୍କ ତରଫରୁ ଏକ ରାତ୍ରଭୋଜନର ଆୟୋଜନ କରାଯାଉଛି । ବୈଠକକୁ ୨୪ଟି ବିରୋଧୀ ଦଳଙ୍କୁ ଆମନ୍ତ୍ରଣ କରାଯାଇଛି । ପୂର୍ବ ବୈଠକରେ ଯୋଗ ଦେଇନଥିବା ଏମଡିଏମକେ, କେଡିଏମକେ, ଭିସିକେ, ଆରଏସପି, ଫରୱାର୍ଡ ବ୍ଲକ୍‌, ଆଇୟୁଏମଏଲ ଭଳି ଦଳ ସାମିଲ ହୋଇପାରନ୍ତି । ବୈଠକରେ ଆପ ମଧ୍ୟ ଯୋଗଦେବ ବୋଲି ସୂଚନା ମିଳିଛି ।

ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଆପକୁ କଂଗ୍ରେସର ସମର୍ଥନ ପରେ ବୈଠକରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି ଆପ । ୨୦୨୪ ନିର୍ବାଚନରେ ବିଜେପିକୁ କିପରି ମାତ ଦିଆଯିବ ସେନେଇ ବୈଠକରେ ମାନସମନ୍ଥନ କରିବେ ବିରୋଧୀ ଦଳ । ଦେଶବ୍ୟାପୀ ମେଣ୍ଟ ପ୍ରାର୍ଥୀଙ୍କୁ ଛିଡ଼ା କରାଯିବା ନେଇ ଆଲୋଚନା କରାଯାଇପାରେ । ବିଜେପିକୁ ହଟାଇବାକୁ ହେଲେ ପରସ୍ପର ମଧ୍ୟରେ ରହିଥିବା ମତଭେଦକୁ ଦୂରେଇ ସବୁ ବିରୋଧୀ ଦଳ ଏକାଠି ହେବାକୁ ପଡ଼ିବ ବୋଲି କଂଗ୍ରେସ କହିଛି ।