୨୩ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ, ବାହାରୁନି ସମାଧାନର ବାଟ

1 min read
Russia Invades Ukraine Indian Student Dnipro

ଭୁବନେଶ୍ୱର: ୨୩ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ହେଲେ ବାହାରି ପାରୁନି ସମାଧାନର ବାଟ । ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ପ୍ରତିପକ୍ଷ ସି. ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନାର ବାର୍ତ୍ତା ଉପରେ ରହିଛି ନଜର । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜଣେ ହିଂସ୍ରୁକ ଓ ହତ୍ୟାକାରୀ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି ବାଇଡେନ । ଫ୍ରେଣ୍ଡସ ଅଫ ଆୟାରଲ୍ୟାଣ୍ଡର ଲଞ୍ଚ ଅବସରରେ ବାଇଡେନ କହିଛନ୍ତି, ୟୁକ୍ରେନବାସୀଙ୍କ ବିରୋଧରେ ପୁଟିନ ଅମାନୁଷିକ ଯୁଦ୍ଧ ଚଳାଇଛନ୍ତି ।

ସେପଟେ ୟୁକ୍ରେନର ବିଭିନ୍ନ ସହରରେ ଆକ୍ରମଣ ଜାରି ରହିଥିବା ବେଳେ, ଋଷ ସମର୍ଥନରେ ପ୍ରାୟ ୧ ହଜାର ଚେଚେନ୍ ସ୍ୱେଚ୍ଛାସେବୀ ମଇଦାନକୁ ଓହ୍ଲାଇଛନ୍ତି । ୟୁକ୍ରେନରେ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିବା ଉଦ୍ଦେଶ୍ୟ ନେଇ ଚେଚେନ ନେତା ରମଜାନ କାଦିରୋଭଙ୍କ ନେତୃତ୍ୱରେ ସେମାନେ ଆଗେଇଛନ୍ତି । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନିନ୍ଦା କରିଛନ୍ତି ଅଷ୍ଟ୍ରିଆ-ଆମେରିକୀୟ ଅଭିନେତା ଆର୍ଣ୍ଣୋଲ୍ଡ ସ୍ୱାର୍ଜେନଗେର । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ପୁଟିନ ଏହି ଯୁଦ୍ଧ ଆରମ୍ଭ କରିଥିଲେ ଏବଂ ସେ ହିଁ ଏହାକୁ ବନ୍ଦ କରିବେ । ଯୁଦ୍ଧ ବନ୍ଦ ନେଇ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି ବୋଲି ଜାତିସଂଘରେ କହିଛି ଭାରତ ।

ଭାରତର ସ୍ଥାୟୀ ପ୍ରତିନିଧି ଟି. ଏସ ତିରୁମୂର୍ତ୍ତି କହିଛନ୍ତି ଯେ, ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପାଇଁ ଭାରତ ଗଭୀର ଚିନ୍ତିତ । ତୁରନ୍ତ ଏହାର ସମାଧାନ ଯେପରି ହୋଇପାରିବ ସେଥିପାଇଁ କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରହିଛି । ସେପଟେ ୟୁକ୍ରେନରେ ଏବେ ବି ଫସି ରହିଥିବା ପ୍ରାୟ ୨୦ ଜଣ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ଆରମ୍ଭ ହୋଇଛି ପଦକ୍ଷେପ । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ଅପରେସନ ଗଙ୍ଗାର ଆଉ ଏକ ପର୍ଯ୍ୟାୟରେ ଭାରତୀୟଙ୍କୁ ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନରୁ ଉଦ୍ଧାର କରାଯିବ । ବର୍ତ୍ତମାନ ସେଠାରେ ପ୍ରାୟ ୫୦ ଭାରତୀୟ ରହିଛନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ ୩୦ ଜଣ ୟୁକ୍ରେନରେ ରହିବାକୁ ଚାହୁଁଛନ୍ତି । ଅବଶିଷ୍ଟ ଲୋକଙ୍କୁ ଫେରାଇ ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି । ଅପରେସନ ଗଙ୍ଗାରେ ମୋଟ ୨୨ ହଜାର ୫୦୦ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଗଲାଣି ।