ସିକ୍କିମ ବନ୍ୟାରେ ଓଡ଼ିଆ ଯବାନ ନିଖୋଜ, ମିଳୁନି ୨୩ ଯବାନଙ୍କ ପତ୍ତା

ଢେଙ୍କାନାଳ: ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ହୋଇଯାଇଛନ୍ତି ଓଡ଼ିଆ ଯବାନ  । ଏହି ବନ୍ୟାରେ ମୋଟ୍ ନିଖୋଜ ହୋଇଥିବା ୨୩ ଜଣ ଯବାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ ଯବାନ ସରୋଜ କୁମାର ଦାସ । ସରୋଜଙ୍କ ଘର ଢେଙ୍କାନାଳ କାମାକ୍ଷାନଗର ଦିଘି ପଞ୍ଚାୟତର କେନ୍ଦୁଢିପ ଗାଁରେ  । ଗତକାଲି ରାତି ୧୦ଟା ସମୟରେ ଭାଇ ମନୋଜ ଫୋନ ଯୋଗେ ସରୋଜଙ୍କ ସହ କଥା ହୋଇଥିଲେ ।

ସିକ୍କିମରେ ପ୍ରବଳ ବର୍ଷା ହେଉଥିବା କହିଥିଲେ ସରୋଜ । ସେହି ସମୟରେ ସରୋଜ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଥିଲେ ବୋଲି ଭାଇଙ୍କୁ କହିଥିଲେ । ପରେ ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ୨୩ ଜଣ ଯବାନ ଭାସି ଯାଇଥିବା  ଘରକୁ ଫୋନ ଆସିଥିଲା  । ଏହି ଖବର ଶୁଣି ସରୋଜଙ୍କ ଘରେ କାନ୍ଦ ବୋବାଳି ଆରମ୍ଭ ହୋଇଯାଇଥିଲା  । ସମସ୍ତ ନିଖୋଜଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ସରୋଜ ୨୦୧୨ ମସିହାରେ ଚାକିରିରେ ଯୋଗ ଦେଇଥିଲେ । ୭ ମାସ ତଳେ ବିବାହ କରିଥିଲେ ସରୋଜ ।

ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁ ସିକ୍କିମରେ ସ୍ଥିତି ସଂଗୀନ ହୋଇପଡ଼ିଛି । ପୋଲ ଭାଙ୍ଗିଛି ରାସ୍ତା ଘାଟ ଏବଂ ଘରଦ୍ବାର ମଧ୍ୟ ଧୋଇ ଯାଇଛି । ଗତ ମଙ୍ଗଳବାର ବାଦଲଫଟା ବର୍ଷା ଯୋଗୁ ସିକ୍କିମର ଅନେକ ସ୍ଥାନ ଧୋଇ ହୋଇଯାଇଥିଲା । ପ୍ରବଳ ବର୍ଷା ଯୋଗୁ ଲାଚେନ ଉପତ୍ୟାକାରେ ପ୍ରବଳ କ୍ଷୟକ୍ଷତି ହୋଇଛି ।

ତିସ୍ତା ନଦୀରେ ପ୍ରବଳ କାଦୁଅ ମିଶା ପାଣି ଆସିଯାଇଛି । ଏହି ବନ୍ୟାରେ ଭାସିଯାଇଛନ୍ତି ୨୩ ଜଣ ଯବାନ । ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି । ବନ୍ୟା ଯୋଗୁ ସେନା କ୍ୟାମ୍ପ ପ୍ରଭାବିତ ହୋଇଛି । ଏବେ ବି ସିକ୍କିମର ଅନେକ ଅଞ୍ଚଳରେ ରେଡ ଏବଂ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ନଦୀ ପାଖକୁ ନ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।