ପ୍ରଳୟଙ୍କାରୀ ମହାବାତ୍ୟାକୁ ୨୨ ବର୍ଷ; ଉପକୂଳ ଓଡ଼ିଶାରେ ରଚିଥିଲା ତାଣ୍ଡବ

1 min read

ଭୁବନେଶ୍ୱର: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ। ଘଣ୍ଟାକୁ ୩୦୦ କିଲୋମିଟରରୁ ଅଧିକ ବେଗରେ ମାଡିଆସିଥିଲା ପବନ। ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା । ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା । ସେହି ପ୍ରଳୟଙ୍କାରୀ ମହାବାତ୍ୟାକୁ ପୁରିଛି ୨୨ବର୍ଷ । ଦିନ ଯାଇଛି ହେଲେ ଚିହ୍ନ ଆଜିବି ରହିଛି । ବର୍ଷ ଗଡି ଚାଲିଥିବା ବେଳେ ଆଜିବି ଲୋକଙ୍କ ମାନସପଟରୁ ଲିଭିନି ସେହି କାଳରାତିର ଦୃଶ୍ୟ ।

ସେଦିନର ତାଣ୍ଡବ ଆଜି ବି ଉପକୂଳିଆଙ୍କ ମନ ଭିତରେ ଭୟ ହୋଇ ବଞ୍ଚିଛି । ସେ କାଳରାତୀର କାହାଣୀ ଆଜି ବି ସେହି ମୁହୁର୍ତ୍ତକୁ ଜୀବନ୍ତ କରିଦେଉଛି । ତାଣ୍ଡବର ଭୟଙ୍କର ମୁହୁର୍ତ୍ତ ମନେପଡିଗଲେ ଲୋମ ଟାଙ୍କୁରି ଉଠୁଛି। ସେଦିନ ଓଡ଼ିଶା ଦେଖିଥିଲା ଶତାବ୍ଦିର ସବୁଠୁ ବଡ଼ ମହାବାତ୍ୟା । ମାଟି ମାଆର ଛାତିରେ ଗଦା ହୋଇଥିଲା କୁଢକୁଢ ଶବ।

ମହାବାତ୍ୟାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଜିଲ୍ଲା । ଏରସମା ଏବଂ ବାଲିକୁଦାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ନିଶ୍ଚିହ୍ନ ହୋଇଯାଇଥିଲା ଅନେକ ଗାଁ ଗଣ୍ଡା । ଜଗତସିଂହପୁର ସମେତ ଆଖପାଖ ପ୍ରାୟ ୧୪ଟି ଜିଲ୍ଲାରେ ମହାବାତ୍ୟାର ପ୍ରଭାବ ପଡ଼ିଥିଲା। ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କଟକ, ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଥଇଲା । ଏହି କାଳରୂପି ମହାବାତ୍ୟା ନେଇଥିଲା ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କର ଜୀବନ । ଲକ୍ଷାଧିକ ଲୋକ ବାସହୀନ ହୋଇଥିଲା ବେଳେ ଲକ୍ଷ ଲକ୍ଷ ସଂଖ୍ୟାରେ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥିଲା । ଆଉ ଉପଡି ପଡିଥିଲା ବଡ଼ବଡ଼ ଗଛ।

ସେଦିନର ଦୃଶ୍ୟ ଯିଏ ଦେଖିଛି ତାହା କେତେ ଭୟଙ୍କର ଥିଲା ସେ ହିଁ ଜାଣିଛି ।ଏହା ଭିତରେ ମହାବାତ୍ୟାକୁ ପୁରିଛି ୨୨ବର୍ଷ । ବଦଳି ଯାଇଛି ଓଡ଼ିଶାର ଅନେକ ଦୃଶ୍ୟପଟ୍ଟ । ଓଡ଼ିଶା ଆହୁରି ସାମ୍ନା କରିଛି ଏକାଧିକ ବାତ୍ୟା । ହେଲେ ସେସବୁର ଦୃଢ ମୁକାବିଲା କରିଛି ଓଡ଼ିଶା । ଓଡ଼ିଶା ସରକାରଙ୍କ ବାତ୍ୟା ପରିଚାଳନା ଓ ଆବଶ୍ୟକ ପଦକ୍ଷେପ ପାଇଁ ସୁରକ୍ଷିତ ହୋଇପାରିଛି ଧନଜୀବନ। ଏଥିପାଇଁ ବିଶ୍ବସ୍ତରରେ ପୁରସ୍କୃତ ମଧ୍ୟ ହୋଇଛି ଓଡ଼ିଶା।

ଅଧିକ ପଢନ୍ତୁ- କେମିତି ଥିଲା ମହାବାତ୍ୟା ?

Leave a Reply