ସୁଦାନରେ ଏୟାର ଷ୍ଟ୍ରାଇକ କଲା ସେନା, ୨୨ ଜଣଙ୍କ ମୃତ୍ୟୁ

ଖାର୍ତୁମ: ଏୟାର ଷ୍ଟ୍ରାଇକରେ ସୁଦାନରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜଧାନୀ ଖାର୍ତୁମର ପଡ଼ୋଶୀ ସହରରେ ଏୟାରଷ୍ଟ୍ରାଇକ୍ ହୋଇଛି । ପଶ୍ଚିମ ଓମଗୁରମ୍ୟାନରେ ସୁଦାନ ସେନା ଏୟାରଷ୍ଟ୍ରାଇକ କରିଛି । ଫଳରେ ୨୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ୧୨ ସପ୍ତାହ ଧରି ସୁଦାନ ସେନା ଓ ପାାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ ଜାରି ରହିଛି ।

୧୫ ଏପ୍ରିଲରେ ଲଢେଇ ଆରମ୍ଭ ହେବା ପରେ ଆରଏସଏଫ ପକ୍ଷରୁ ରାଜଧାନୀ ଖାର୍ତୁମ, ଓମଗୁରମ୍ୟାନ୍ ଓ ବହରୀରେ ଜୋରଦାର ଆକ୍ରମଣ ଜାରି ରହିଛି । କେତେବେଳେ ଏୟାର ଷ୍ଟ୍ରାଇକ ତ କେତେବେଳେ ତୋପ ମାଡ଼ ଜାରି ରହିଛି । ଆଜି ଯାଏ କୌଣସି ମଧ୍ୟସ୍ଥତା ସଫଳ ହୋଇପାରିନି । ଉଭୟ ପକ୍ଷ ମଧ୍ୟରେ ଲଢ଼େଇ ଜାରି ରହିଥିବା ବେଳେ, ଦେଶ ଗୃହଯୁଦ୍ଧ ଆଡ଼କୁ ମୁହାଁଇଛି ।

ଲୋକତନ୍ତ୍ରରେ ପରିବର୍ତ୍ତନ ପାଇଁ ସେନାରେ ଏକତା ରକ୍ଷା କରିବାକୁ ଯୁଦ୍ଧ ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ଅଶାନ୍ତି ବଢ଼ିଥିଲା । ଏବେ ସୁଦ୍ଧା ଲଢ଼େଇରେ ୧୧୩୩ ଜଣଙ୍କ ଜୀବନ ଗଲାଣି । ଅଧାରୁ ଅଧିକ ମହିଳା ଓ ଯୁବତୀଙ୍କୁ ଦୁଷ୍କର୍ମ ଓ ଅପହରଣ କରାଯାଇଥିବା ଅଭିଯୋଗ ବି ରହିଛି । ୨୦ ବିଦ୍ରୋହୀଙ୍କୁ ମାରିବା ସହ ସେମାନଙ୍କ ଅସ୍ତ୍ର ଶସ୍ତ୍ର ନଷ୍ଟ କରାଯାଇଥିବା ସେନା ପକ୍ଷରୁ କୁହାଯାଇଛି ।