ନାନସିଙ୍କ ଗସ୍ତକୁ ନେଇ ଚୀନ-ଆମେରିକା ମୁହାଁମୁହିଁ, ତାଇଓ୍ୱାନ ଆକାଶରେ ଉଡ଼ିଲା ଡ୍ରାଗନର ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ତାଇଓ୍ୱାନରେ ଆମେରିକା ବାଚସ୍ପତି ନାନସି ପେଲୋସି ପହଞ୍ଚିବା ପରେ ଆରମ୍ଭ ହୋଇଯାଇଛି ଆଉ ଏକ ଯୁଦ୍ଧର କାଉଣ୍ଟଡାଉନ୍‌ । ଟାର୍ଗେଟରେ ମିଲିଟାରୀ ଅପରେସନ କରିବା ପାଇଁ ଧମକ ଦେଇଛି ଚୀନ୍ । ଏଥିପାଇଁ ତାଇଓ୍ୱାନରେ ଲେବଲ ୨ ସୁରକ୍ଷା ବ୍ୟବସ୍ଥାକୁ ଆଲର୍ଟ କରାଯାଇଛି । ତାଇଓ୍ୱାନ ସୀମାରେ ଚୀନ୍‌ ଟ୍ୟାଙ୍କ ଆଣି ମୁତୟନ କରିଥିବା ବେଳେ ଆମେରିକା ମଧ୍ୟ ଆଲର୍ଟରେ ରହିଛି । ଋଷ୍‌ ୟୁକ୍ରେନ୍‌ ଯୁଦ୍ଧ ସମାପ୍ତ ହୋଇନଥିବା ବେଳେ ଚୀନ୍‌ ଓ ତାଇଓ୍ୱାନ ଯୁଦ୍ଧ ଦେଖିବାକୁ ଯାଉଛି ସାରା ବିଶ୍ୱ । ଆଗକୁ କିଛି ଅଘଟଣ ଘଟିଲେ ଆମେରିକା ଦାୟୀ ରହିବ ବୋଲି ଚୀନ୍‌ କହିଛି ।

ଗତକାଲି ନାନସି ପହଞ୍ଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ତାଇଓ୍ୱାନର ରାଷ୍ଟ୍ରପତି ତାଙ୍କୁ ସ୍ୱାଗତ କରିଛନ୍ତି । ପୂର୍ବରୁ ତାଇଓ୍ୱାନ ଗସ୍ତ ପାଇଁ ଆମେରିକାକୁ ବଡ଼ କ୍ଷତି ସହିବାକୁ ପଡ଼ିବ ବୋଲି ଚୀନ କହିଥିଲା । ଚୀନ୍‌ ତାଇଓ୍ୱାନ୍‌ ଉପରେ ଆକ୍ରମଣ ପାଇଁ ସଜବାଜ ହେଉଥିବା ବେଳେ ଏହାକୁ ସହଜରେ ହଜମ କରିପାରିନି ଆମେରିକା ବୈଦେଶିକ ମନ୍ତ୍ରାଳୟ । ତାଇଓ୍ୱାନ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗତ ୩୦ ତାରିଖରେ ଚୀନ୍ ପ୍ରତିପକ୍ଷ ଚେତାବନୀ ଦେଇଥିଲା । ଏହା ସତ୍ତ୍ୱେ ପେଲୋସି ତାଇଓ୍ୱାନ ଗସ୍ତ କରିଛନ୍ତି  । ବିଗତ ୨୫ ବର୍ଷ ମଧ୍ୟରେ ତାଇଓ୍ୱାନ ଗସ୍ତରେ ଯିବାରେ ପ୍ରଥମ ବ୍ୟକ୍ତି ହେଉଛନ୍ତି ନାନସି । ଆମେରିକା ଓ ଚୀନ ମଧ୍ୟରେ ବିବାଦ ପରିପ୍ରେକ୍ଷୀରେ ତାଇଓ୍ୱାନ ସମୁଦ୍ରରେ ସମରାଭ୍ୟାସ କରିଛି ।