ଭିତରକନିକା ଓ ଗହୀରମଥା ଇକୋ ସେନସିଟିଭ ଜୋନ ଘୋଷଣା ପରେ ଚିନ୍ତାରେ ୨୦୫ ଗାଁର ଲୋକେ

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ଅଭୟାରଣ୍ୟ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଜୈବ ବିବିଧତାର ସୁରକ୍ଷା ପାଇଁ ଏହି ଅଞ୍ଚଳଗୁଡ଼ିକୁ ଇକୋ ସେନସିଟିଭ ଜୋନ ଭାବେ ଘୋଷଣା କରାଯାଇଛି । ଯାହା ଏହି ଅଞ୍ଚଳ ମଧ୍ୟରେ ଥିବା ୨୦୫ ଖଣ୍ଡ ଗାଁ ଲୋକଙ୍କ ଚିନ୍ତା ବଢ଼ାଇଛି । ସେମାନେ ଆଶଙ୍କା କରୁଛନ୍ତି, ଏହି ଆଇନ ଲାଗୁ ହେବା ଦ୍ବାରା ସେମାନଙ୍କର ସାଧାରଣ ଜୀବନ ଯାତ୍ରା ବ୍ଯାହତ ହେବ । କେନ୍ଦ୍ର ସରକାରଙ୍କ ଅଧିସୂଚନା ପ୍ରକାଶର ୬୦ ଦିନ ଭିତରେ ଲୋକଙ୍କ ପ୍ରସ୍ତାବ ବା ପରାମର୍ଶ ଆହ୍ୱାନ କରାଯାଇଛି । ୬୦ ଦିନ ପରେ ଏହା ଆଇନରେ ପରିଣତ ହୋଇଯିବ ।

ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ଅଭୟାରଣ୍ୟ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ବା ଇକୋ ସେନସିଟିଭ ଜୋନ ଭାବେ ଘୋଷଣା କରାଯାଇଛି । ୩  ସଂରକ୍ଷିତ ଅଞ୍ଚଳର ୧୦୦ ମିଟରରୁ ୮ କିଲୋମିଟର ୭ ମିଟର ଯାଏଁ ଏହି ଆଇନ ଲାଗୁ ହେବ ।

ଭିତରକନିକାରେ ୮୮ ପ୍ରକାରର ବିରଳ ଲୁଣା ଗଛ, କୁମ୍ଭୀର ପ୍ରଜନନ କେନ୍ଦ୍ର ରହିଛି । ଗହୀରମଥାରେ ବିରଳ ଅଲିଭ ରିଡଲେ କଇଁଛ ସମୂହ ଅଣ୍ଡାଦାନ କରନ୍ତି । ଏହି ଅଞ୍ଚଳ ଜୈବ ବିବିଧତାରେ ସମୃଦ୍ଧ । ଏହି କାରଣରୁ ପୂରା ଅଞ୍ଚଳକୁ ସଂରକ୍ଷିତ କରାଯିବା ଆବଶ୍ୟକ । ସେଥିପାଇଁ ଭିତରକନିକାର ଶହେ ମିଟରରୁ ୮.୭ କିଲୋମିଟର ପର୍ଯ୍ୟନ୍ତ ଇକୋ ସେନସିଟିଭ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ୩ ସଂରକ୍ଷିତ ଅଞ୍ଚଳରେ ଥିବା ଜଳଉତ୍ସ, ଭୂମିକୁ ମଧ୍ଯ ଇକୋ ସେନସିଟିଭ ଜୋନ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି ।

ଭିତରକନିକା ସୀମାନ୍ତ ଅନେକ ଗାଁ ଏହି ପରିଧିରେ ଆସୁଥିବାରୁ ଅନେକ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହି ଆଇନ କାର୍ଯ୍ୟକାରୀ ହେଲେ ୨୦୫ଟି ଗାଁ ଲୋକଙ୍କ ବିକାଶରେ ବାଧା ଆସିପାରେ । ତେଣୁ ଗାଁ ଲୋକେ ଚିନ୍ତାରେ ପଡିଛନ୍ତି ।

ଇକୋ ସେନସିଟିଭ ଜୋନ ଘୋଷିତ ଅଞ୍ଚଳ ପରିଧିରେ ଆସୁଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ୫୨ଟି ଗାଁ, ପଟ୍ଟମୁଣ୍ଡାଇ ବ୍ଲକର ୮ଟି ଗାଁ, ମହାକାଳପଡା ବ୍ଲକର ୩୮ଟି ଗାଁ, ଆଳି ବ୍ଲକର ୩୨ଟି ଗାଁ, ରାଜକନିକା ବ୍ଲକର ୩୦ଟି ଗାଁ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ବାଂଶଡା, ତିହିଡି ବ୍ଲକର ୪୫ଟି ଗାଁ । ଆଇନ ଲାଗୁ ହେବାର ଗେଜେଟ୍ ପ୍ରକାଶ ପାଇଲା ପରେ ୨୦୫ଟି ଗାଁରେ ଶବ୍ଦ ପ୍ରଦୂଷଣଠାରୁ ଆରମ୍ଭ କରି ବାୟୂ ପ୍ରଦୂଷଣ, ଭୂମି ପରିଚାଳନା, ଜଳଉତ୍ସର ବ୍ୟବହାର, ଆବର୍ଜନା ପରିଚାଳନା ଉପରେ ରୋକ୍ ଲାଗିବା ସହିତ ଗାଡି ଚଳାଚଳ ମଧ୍ୟ ନିୟନ୍ତ୍ରିତ ହେବ । ଏପରିକି ଇକୋ ସେନସିଟିଭ ଜୋନ୍ ମଧ୍ୟରେ ନୂତନ କନଷ୍ଟ୍ରକସନ୍ ଉପରେ କଟକଣା କରାଯାଇଥିବା ବେଳେ ପର୍ଯ୍ୟଟନ ଭିତ୍ତିକ କାର୍ଯ୍ୟକ୍ରମ ବି ଗାଇଡଲାଇନ୍ ଭିତରେ ହେବ ବୋଲି ଜଣାପଡିଛି । ଏହାକୁ ନେଇ ଅଞ୍ଚଳବାସୀ ନାହିଁ ଅନେକ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଏହାର ପୁନର୍ବିଚାର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଲୋକଙ୍କ ଚିନ୍ତା ଓ ସମସ୍ୟା ସହ ରାଜନଗର ବିଧାୟକ ଧ୍ରୁବ ସାହୁ ଏକମତ ହୋଇଛନ୍ତି । ଅପରପକ୍ଷରେ ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି, ଇକୋ ସେନସିଟିଭ ଜୋନ୍ ଆଇନ୍ ଏତେ ବି କଠୋର ନୁହେଁ ଯେ ଏହା ଲୋକଙ୍କ ଜୀବନ ଶୈଳୀ ଉପରେ ପ୍ରଭାବ ପକାଇବ । ଜଣେ ଚାହିଁଲେ ନିଜର ଆପତ୍ତି ଜଣାଇ ପାରିବ ।

ଭିତରକନିକା ଓ ଗହୀରମଥାର ସୁରକ୍ଷା ସହ ଲୋକଙ୍କ ଜୀବନ ଶୈଳୀ କିଭଳି ସୁରକ୍ଷିତ ରହିପାରିବ, ସେଥିପାଇଁ ପଦକ୍ଷେପ ନିଆଯିବା ଉଚିତ ବୋଲି ସାଧାରଣରେ ମତ ପ୍ରକଶ ପାଇଛି ।