ନିର୍ବାଚନୀ ପୋଷ୍ଟମର୍ଟମ:  ୫ ରାଜ୍ୟରେ କେଉଁ ଦଳ ଆଗରେ କିଏ କଣ୍ଟା ?

1 min read

ଭୁବନେଶ୍ବର: ୫ ରାଜ୍ୟ ପାଇଁ ବାଜିଲା ବିଧାନସଭା ନିର୍ବାଚନ ବିଗୁଲ । ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କଲେ ତାରିଖ । ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆା, ଉତ୍ତରାଖଣ୍ଡ ଓ ମଣିପୁରରେ ଭୋଟର କରିବେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ । ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବ ମତଦାନ । ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ୍ । ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ପରେ ଏହି ୫ଟି ରାଜ୍ୟବାସୀ ପାଇବେ ନୂଆ ସରକାର ।

ତେବେ ଏହି ୫ ରାଜ୍ୟରେ କେମିତି ରହିଛି ରାଜେନୖତିକ ପାଣିପାଗ ? କାହା ପାଇଁ କିଏ ହୋଇ ପାରନ୍ତି କଣ୍ଟା ? ଶାସକ ଦଳ କ୍ଷମତା ବଞ୍ଚାଇବାକୁ ସକ୍ଷମ ହେବେ ନା ବିରୋଧୀ ମାରିବେ ବାଜି ? ତାକୁ ନେଇ ଆମ ବିଶେଷ ରିପୋର୍ଟ ‘କିଏ ଉଗାରିବ କାହା ବାଟ ?’

ୟୁପି ରାଜନୀତି

କୁହାଯାଏ ୟୁପି ରାଜନୀତି ଦେଶର ରାଜେନୖତିକ ଭାଗ୍ୟ ନିର୍ଦ୍ଧାରଣ କରିଥାଏ । ବିଧାନସଭା ନିର୍ବାଚନ ହେଉଥିଲେ ବି ଏଠିକାର ଜନତାଙ୍କ ମୁଡ଼ କହିଥାଏ ଦିଲ୍ଲୀ ସିଂହାସନ ଶାସକ ଦଳ ପାଇଁ କେତେ ସୁରକ୍ଷିତ । ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ୨୦୧୭ରେ ବିଜେପି ମେଣ୍ଟ ଏନଡିଏ ୩୨୫ ଆସନରେ ଜିତି କ୍ଷମତାକୁ ଫେରିଥିଲା । ଯୋଗୀ ଆଦିତ୍ୟନାଥ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଚଳିତ ନିର୍ବାଚନରେ ନିଷାଦ ପାର୍ଟି ସହ ବିଜେପି ୨୦୨୨ ନିର୍ବାଚନରେ ମୈଦାନକୁ ଓହ୍ଲାଇଛି । ୟୁପିରେ ଚୌକି ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ, ଅମିତ ଶାହ, ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ନେତା ପୂରା ଦମ୍ ଲଗାଇ ଦେଇଛନ୍ତି । ସେପଟେ ଜାତିକୁ ନେଇ ଗଠନ ହୋଇଥିବା ଛୋଟ ଦଳଙ୍କୁ ସାଙ୍ଗରେ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦକ ବିଜେପିକୁ ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି । ଯୋଗୀଙ୍କୁ ହଟାଇବାକୁ ପ୍ରାୟ ୧୨ଟି ଦଳ ସହ ଅଖିଳେଶ ମେଣ୍ଟ କରିଛନ୍ତି ।

ଏପଟେ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ବରେ ୟୁପି ନିର୍ବାଚନକୁ ଡେଇଁଛି । ପ୍ରିୟଙ୍କ ମହିଳା କାର୍ଡ ଖେଳି ଗୃହଣୀଙ୍କୁ ନିଜ ଆଡ଼କୁ ନେବାକୁ ଚେଷ୍ଟା କରୁଛନ୍ତି । ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ ଦେବା ସହ ସେମାନଙ୍କ ପାଇଁ ଏକାଧିକ ଘୋଷଣା କରିସାରିଛନ୍ତି ।

୨୦୨୨ ନିର୍ବାଚନ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ସହ ଦଳିତ ରାଜନୀତି ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ଏଥର କାହା ସହ ହାତ ନମିଶାଇ ଏକାକୀ ମୈଦାନକୁ ଓହ୍ଲାଇଛନ୍ତି ମାୟାବତୀ ଓ ୨୦୦୭ ନିର୍ବାଚନ ପରି ଚଳିତଥର ବି ବ୍ରାହ୍ମଣ-ଦଳିତ ସମୀକରଣରେ କ୍ଷମତା ଦଖଲ ଲକ୍ଷ୍ୟରେ ରହିଛନ୍ତି । ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓଓ୍ବେସୀ ମୁସଲିମ ଭୋଟ ନିଜ ପକେଟକୁ ନେଇ ଅନ୍ୟ ଦଳଙ୍କ ପାଇଁ ମୁଣ୍ଡବିନ୍ଧା ସୃଷ୍ଟି କରିବାକୁ ଫୁଲ୍ ପ୍ଲାନ୍ କରି ମୈଦାନରେ ହୁଙ୍କାର ଭରିବା ଆରମ୍ଭ କରିଦେଇଛନ୍ତି ।

ଉତ୍ତରାଖଣ୍ଡରେ କିଏ ପିନ୍ଧବ ମୁକୁଟ ?

୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ ଏବେ ବିଜେପି ସତ୍ତାରେ ବସିଛି । ଗତ ନିର୍ବାଚନରେ ୫୭ ସିଟ୍ ଜିତି ବହୁମତ ସହ ସରକାର ଗଠନ କରିଥିଲା । ହେଲେ ଚଳିତ ନିର୍ବାଚନ ବିଜେପି ପାଇଁ ଏତେ ସହଜ ହେବନି । ଏଥର କଂଗ୍ରେସ, ଆମ୍ ଆଦମୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ଅନ୍ୟ କିଛି ଛୋଟ ଦଳ ବିଜେପି ଓ ଚୌକି ରାସ୍ତାରେ କଣ୍ଟା ହୋଇ ଛିଡ଼ା ହୋଇଛନ୍ତି । କାରଣ ଦୁଇ ଦଶନ୍ଧିରୁ ଏଠାରେ ପ୍ରତି ନିର୍ବାଚନରେ ସରକାର ବଦଳିବାର ପରମ୍ପରା ଚାଲି ଆସିଛି । ଅର୍ଥାତ ୨୦ ବର୍ଷ ହେଲା କ୍ଷମତାରେ ଥିବା ଦଳ ପରାଜୟର ସମ୍ମୁଖୀନ ହେଉଛି । ଏମିତି ସ୍ଥିତିରେ ଚଳିତ ନିର୍ବାଚନରେ ଉତ୍ତରାଖଣ୍ଡ ଜନତା ସେମାନଙ୍କ ମତଦାନ ପରମ୍ପାରାକୁ ଆଗକୁ ବଢ଼ାଇବେ ନା ବିଜେପି ଉପରେ ପୁଣି ଅସ୍ଥା ପ୍ରକଟ କରିବେ ଦେଖିବାକୁ ବାକି ରହିଲା ।

ଉତ୍ତରାଖଣ୍ଡରେ ଏହି ୫ ବର୍ଷ ବିଜେପି ପାଇଁ ଯେମିତି କଣ୍ଟା ହୋଇଛି । କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ବଦଳାଇ ବଦଳାଇ ବିଜେପିର ଦିନ ଯାଇଛି । ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ନେତୃତ୍ବରେ ବିଜେପି ୪ ବର୍ଷ ଶାସନ କରିବା ପରେ ତାଙ୍କୁ ହଟାଇ ତିରଥ ସିଂ ରାଓ୍ବତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ଏହାର କିଛି ଦିନ ଯାଇଛି କି ନାହିଁ ପୁଣି ଥରେ ବିଜେପିକୁ ମୁଖ୍ୟମନ୍ତ୍ରୀ ବଦଳାଇବାକୁ ପଡିଥିଲା । ତିରଥଙ୍କ ସ୍ଥାନରେ ପୁଷ୍କର ସିଂ ଧାମୀଙ୍କୁ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧାଇଥିଲା ବିଜେପି । ଯାହା ଉପରେ ଉତ୍ତରଖାଣ୍ଡର ଶିକ୍ଷିତ ଭୋଟର୍ ତୀକ୍ଷ୍ନ ନଜର ରଖିଛନ୍ତି । ଏମିତି ସ୍ଥିତିରେ ୫ ବର୍ଷରେ ଥରେ ସରକାର ବଦଳୁଥିବା ଉତ୍ତରାଖଣ୍ଡରେ ୫ ବର୍ଷରେ ୩ଟି ମୁଖ୍ୟମନ୍ତ୍ରୀ ବଦଳାଇ ଥିବା ବିଜେପିକୁ ଭୋଟର କେତେ ଭରଷା କରିବେ ଦେଖିବାକୁ ବାକି ରହିଲା ।

କଂଗ୍ରେସ ହାତ ମୁଠାରୁ ଖସି ଯିବ କି ପଞ୍ଜାବ ?

ହାଇ ଭୋଲଟେଜ ପଲିଟିକାଲ ଡ୍ରାମା ପାଇଁ ପଞ୍ଜାବ ବେଶ ପରିଚିତ । ଏ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠି କଂଗ୍ରେସ କ୍ଷମତା ଭୋଗ କରୁଛି । ଏମିତି ସ୍ଥିତିରେ ସାତ ତାଳ ପଙ୍କରେ ଫସିଥିବା କଂଗ୍ରେସ ଏଠି କ୍ଷମତା ହରାଇବାକୁ କେବେ ଚାହିଁବ ନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚେତ୍ରୀ ଏବଂ ପ୍ରଦେଶ ଅଧ୍ୟକ୍ଷ ନବଜ୍ୟୋତି ସିଂ ସିଦ୍ଧୁଙ୍କ ନେତୃତ୍ବରେ କ୍ଷମତା ବଞ୍ଚାଇବାକୁ ଲାଗି ପଡ଼ିଛନ୍ତି ହାତ ଦଳିଆ ।

୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ହାତେଇବାକୁ ହେଲେ କଂଗ୍ରେସକୁ ଅତି କମରେ ୫୯ ସିଟରେ ଜିତିବାକୁ ପଡିବ । ତେବେ ୧୦ ବର୍ଷ ପରେ ପଞ୍ଜାବରେ କ୍ଷମତା ଦଖଲ କରିଥିବା କଂଗ୍ରେସ ପାଇଁ ବଡ ପ୍ରତିବନ୍ଧକଙ୍କ ହେବାକୁ ଯାଉଛନ୍ତି କ୍ୟାପଟେନ ଅମରେନ୍ଦ୍ର ସିଂ । ୪ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ପଦରୁ ହଟିବା ଓ ଦଳ ଛାଡ଼ି ନୂଆ ଦଳ ଗଠନ କରି କଂଗ୍ରେସ ବିରୋଧରେ କ୍ୟାପଟେନଙ୍କ ରଣହୁଙ୍କାର କେତେ ପ୍ରଭାବ ପକାଇବ ତାହା ତ ଭୋଟ ଗଣତି ପରେ ଜଣାପଡିବ ।

ଏପଟେ ନମ୍ବର ଦୁଇରେ ଥିବା ଆମ ଆଦମୀ ପାର୍ଟି ଏକ ନମ୍ବର ସ୍ଥାନକୁ ଆସି ପଞ୍ଜାବ ଦଖଲ ପାଇଁ ପୂରା ବଳ ଖଟାଇ ଦେଇଛି । ସେପଟେ ଅକାଳୀ ଦଳଠୁ ସମ୍ପର୍କ କାଟିବା ପରେ ବିଜେପି କ୍ୟାପଟେନ ଅମରେନ୍ଦ୍ର ସିଂ ଏବଂ ସୁଖଦେବ ଢିଢସାଙ୍କ ଦଳ ସହ ହାତ ମେଳାଇ ନିଜ ଉଜ୍ଜତ ବଞ୍ଚାଇବାକୁ ଉଦ୍ୟମ କରୁଛି ।

ମଣିପୁରରେ ପୂର୍ଣ୍ଣ ବହୁମତ ଲକ୍ଷ୍ୟରେ ବିଜେପି

୬୦ ଆସନ ବିଶିଷ୍ଟ ମଣିପୁରରେ ୨୦୧୭ରେ କୌଣସି ଦଳକୁ ମିଳି ନଥିଲା ପୂର୍ଣ୍ଣ ବହୁମତ । ବଡ଼ ଦଳ ଭାବେ ୨୪ ଆସନରେ ବିଜେପି ଜିତିଥିଲେ ବି ମୁଖ୍ୟମନ୍ତ୍ରୀ ଚୌକିଠାରୁ ୬ ପାଦ ପଛରେ ରହି ଯାଇଥିଲା । ୧୭ ଆସନରେ ଜିତି କଂଗ୍ରେସ ଦ୍ବିତୀୟ ବଡ଼ ଦଳ ଭାବେ ଉଭା ହୋଇଥିଲା । ତେବେ ଏନପିପି, ଏଲଜେପି ଓ ସ୍ବାଧୀନ ବିଧାୟକଙ୍କୁ ନେଇ ବିଜେପି ସରକାର ଗଠନ କରିଥିଲା ଓ ଏନ୍ ବିରେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଚଳିତବର୍ଷ ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି ବିଜେପି । ଦୟନୀୟ ସ୍ଥିତିରେ ଥିବା କଂଗ୍ରେସ ଏଠାରେ ବିଜେପିକୁ କେତେ ଚେକ୍ ଦେଇ ପାରୁଛି ତାହା ଜନତାଙ୍କ ଭୋଟ୍ କହିବ ।

ଗୋଆରେ ପୁଣି ଦେଖିବାକୁ ମିଳିବ କି ପଲିଟିକ୍ସ ?

୨୦୧୭ ବିଧାନସଭା ନିର୍ଚାଚନ । ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କୌଣସି ଦଳକୁ ମିଳି ନଥିଲା ସଂଖ୍ୟାଗରିଷ୍ଠତା । ୧୫ ଆସନ ସହ କଂଗ୍ରେସ ଆଗରେ ଥିବା ବେଳେ ୧୩ ଆସନରେ ଜିତି ବିଜେପି ରହିଥିଲା ଦ୍ବିତୀୟ ସ୍ଥାନରେ । ଛକାପଞ୍ଝା, ରାତି ଅଧିଆ ମୁଲଚାଲ, କ୍ଷମତା ପ୍ରଦାନର ଲୋଭ ଏମିତି ବହୁତ ନାଟକ ଭିତରେ ବାଜି ମାରିଥିଲା ବିଜେପି । ଏମପିଜି, ଜିଏଫପି ଓ ଦୁଇ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ଚୌକି ପାଖରେ ପହଞ୍ଚି ଯାଇଥିଲା । ବଡ ଦଳ ହୋଇ ବିଧାନସଭାକୁ ଆସିଥିଲେ ବି କଂଗ୍ରେସକୁ ବିରୋଧୀ ଦଳ ଆସନରେ ବସିବାକୁ ପଡିଥିଲା । ମନୋହର ପାରିକରଙ୍କ ନେତୃତ୍ବରେ ବିଜେପି ଗଠନ କରିଥିଲା ସରକାର । ୨୦୧୯ ମାର୍ଚ୍ଚ ୧୭ରେ ପାରିକରଙ୍କ ପରଲୋକ ପରେ ଡ. ପ୍ରମୋଦ ସାଓ୍ବନ୍ତ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ତେବେ ଗୋଆ ପଲିଟିକ୍ସରେ ଦିଦି ମମତା ବାନାର୍ଜୀଙ୍କ ଏଣ୍ଟି ଅଧିକ ଚର୍ଚ୍ଚାରେ ରହିଛି । ୨୦୧୭ରେ ଆମ ଆଦମୀ ପାର୍ଟି ଖାତା ଖୋଲି ପାରି ନଥିଲେ ବି ଏଥର ନିଜର ଉପସ୍ଥିତି ଜାହିର କରିବାକୁ ବ୍ୟଗ୍ର ରହିଛି । ୧୦ ବର୍ଷ ହେଲା ଗୋଆରେ କ୍ଷମତା ଭୋଗ କରୁଥିବା ବିଜେପିକୁ ସରକାର ବିରୋଧ ସ୍ଥିତିର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଦିଦି ଓ କେଜ୍ରିଓ୍ବାଲ ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛନ୍ତି । ସେପଟେ କଂଗ୍ରେସ କ୍ଷମତାକୁ ଫେରିବାକୁ ବିକଳ ହେଉଥିବା ବେଳେ ମମତା ଦିଦି ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି । କାରଣ ରାଜ୍ୟର ବହୁ ତୁଙ୍ଗ ନେତା ଦଳ ଛାଡ଼ି ଟିଏମସିରେ ମିଶି ସାରିଛନ୍ତି ଓ ଏହି ମିଶ୍ରଣ ପର୍ବ ଜାରି ରହିଛି ।

Leave a Reply