ରାଜ୍ୟ ଏସଟିଏଫ୍ ପାଇଁ ୨୦୨୨ ସଫଳତାର ବର୍ଷ

ଭୁବନେଶ୍ୱର: ୨୦୨୨ବର୍ଷ ରାଜ୍ୟ ଏସଟିଏଫ୍ ପାଇଁ ସଫଳତାର ବର୍ଷ ରହିଥିଲା। ଏହି ବର୍ଷକ ମଧ୍ୟରେ ମୋଟ ୭୫ଟି ମୋକଦ୍ଦମାର ତଦନ୍ତ କରି ୧୩୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୭ଟି ରାଜ୍ୟର ୧୪ଜଣ ଦୁର୍ଦ୍ଦାନ୍ତ ଅପରାଧି ରହିଛନ୍ତି। ଏସଟିଏଫର ସମୟାନୁବର୍ତ୍ତୀ ଚଢାଉ ଓ ବ୍ୟାପକ ନେଟୱର୍କ ଯୋଗୁ ଧଳା ଜହର କାରବାରରେ ଲିପ୍ତ ଥିବା ଅପରାଧିଙ୍କୁ ସାବାଡ କରିବାରେ ସଫଳ ହୋଇପାରିଛି ।

କେବଳ ୨୦୨୨ ବର୍ଷରେ ୨୨କିଲୋଗ୍ରାମ ବ୍ରାଉନ ସୁଗାର,୨୫୨୪କେଜି ଗଞ୍ଜେଇ, ୨୦୨ଗ୍ରାମ କୋକେନ୍, ୫୧୭ ଗ୍ରାମ ଅଫିମ ସହ ନଗଦ ୬୫ଲକ୍ଷ ଟଙ୍କା ଜବତ କରିପାରିଛି ଏସଟିଏଫ୍। ମାଦକ ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ୧୨କୋଟି ୮୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି। ବନ୍ୟପ୍ରାଣୀ ଦେହାବଶେଷ ଜବତ କରିବାରେ ମଧ୍ୟ ରେକର୍ଡ କରିଛି ଏସଟିଏଫ୍ ।

ବନ୍ୟପ୍ରାଣୀ ଶିକାରୀଙ୍କୁ ନିକଟରୁ ମୋଟ ୧୪ଟି ଚିତାବାଘ ଛାଲ, ଗୋଟିଏ ମହାବଳ ବାଘ ଛାଲ, ୯ଟି ଜୀବନ୍ତ ବଜ୍ରକାପ୍ତା ତସ୍କରଙ୍କ ନିକଟରୁ ଉଦ୍ଧାର କରିବା ସହ ୨୨ କିଲୋଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି । ସେହିପରି ୧୪ଟି ହାତୀଦାନ୍ତ, ୨ଟି ଚିତାବାଘ ଦାନ୍ତ, ୨୯ଟି ଚିତାବାଘ ପଞ୍ଝା ଓ ୪୬ଟି ଶୁଆ ଜବତ କରିବାରେ ସଫଳ ହୋଇଥିଲା ଏସଟିଏଫ୍ । ଶିକାରୀଙ୍କ ନିକଟରୁ ୧୪ଟି ବନ୍ଧୁକ,୬୦ ରାଉଣ୍ଡ ଗୁଳି ଓ ୮ଟି ମାଗାଜିନ୍ ଜବତ କରିଥିଲା ଏସଟିଏଫ୍ ।

ସେହିପରି ୪୭ଲକ୍ଷ ୪୩ହଜାର ଶହେ ଟଙ୍କାର ନକଲି ଟଙ୍କା ଜବତ କରି ଜାଲ ନୋଟ କାରବାରରେ ଚେକ ଦେବାରେ ସଫଳ ହୋଇଥିଲା ଏସଟିଏଫ୍। ଚୋରା ଖଣିଜଦ୍ରବ୍ୟ ଚାଲାଣ ବେଳେ ଏସଟିଏଫ୍ ଚଢାଉ କରି, ୩୩୮ଟନ ପଥର କୋଇଲା, ୭୨ଟନ୍ କାଠ କୋଇଲା, ୭୩୦ଟନ୍ କ୍ରୋମାଇଟ ଓ ୩୧ଟନ ଅଷ୍ଟ୍ରେଲିଆନ କୋଇଲା ଜବତ କରିଥିଲା । ୧୯୨୦ ବୋତଲ କଫସିରପ ଜବତ କରିବା ସହ ୨ଟି ମୋକଦ୍ଦମା ଋଜୁ କରିଥିଲା । ରାଜ୍ୟ ପୋଲିସ ସହ ମିଶି ଅନେକ ଏନଡିପିଏସ ମାମଲାର ସଫଳ ଅନୁସନ୍ଧାନ କରିବା ସହ ୧୧୬୨ କେଜି ଗଞ୍ଜେଇ ଓ ୪୭କେଜି ବ୍ରାଉନ ସୁଗାର ଜବତ କରିଥିବା ବେଳେ ନିଶା କାରବାରରେ ଲିପ୍ତ ଥିବା ଅପରାଧିଙ୍କ ୩୩କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ କରି ରେକର୍ଡ ସୃଷ୍ଟି କରିଥିଲା ଏସଟିଏଫ୍ ।