୨୦୨୦ର ସେହି ୧୦ ଜଣ : କିଏ ଲକଡାଉନର ମସିହା ଥିଲା ତ କିଏ କରୋନା ଟିକା ପାଇଁ ଭିଡିଥିଲେ ଅଣ୍ଟା

1 min read
2020 Year Ending Top 10 Personality

ଆରମ୍ଭରୁ ସବୁ କିଛି ଠିକ ଥିଲା। ଥଣ୍ଡା କୁହୁଡ଼ିର ଆଢ଼ୁଆଳରେ ନୂଆବର୍ଷର ସେଲିବ୍ରେସନ ଖୁବ ଭଲରେ କଟିଲା। ୨୦୨୦ ଏହି ଡିଜିଟାଲ ସିମେଟ୍ରି ବା ଶବ୍ଦ ସଜା ଦେଖି ପୁରା ବିଶ୍ୱକୁ ଲାଗିଲା ଏଇ ଅଙ୍କ ଭଳି ନୂଆ ବର୍ଷ ବହୁତ ଭଲରେ ବିତିବ ଏବଂ ଶୁଭଙ୍କର ହେବ। କିନ୍ତୁ ସମସ୍ତଙ୍କ ଭାବନାର ବିପରୀତରେ ଭୟଙ୍କର ରୂପ ଧାରଣ କଲା ୨୦୨୦। ନୂଆ ବର୍ଷର ଅଲେଖା ଧଳା ଫର୍ଦ୍ଦରେ ଆଙ୍କି ହୋଇଥିଲା ଅଦୃଶ୍ୟ କରୋନା ରାକ୍ଷସର କରାଳ ଚିତ୍ର। ଗୋଟିଏ ବର୍ଷ ୪ କାନ୍ଥ ମଧ୍ୟରେ ବିତିଗଲା। ତେବେ ୨୦୨୦ର କଳା ବର୍ଷକୁ ପାସୋରି ଦେଇ ଆମେ ଏବେ ନୂଆ ଏକ ବର୍ଷ ୨୦୨୧କୁ ସ୍ୱାଗତ କରିବାକୁ ଯାଉଛେ ।

୨୦୨୦ ଯଦି କରୋନା ଓ ଆହୁରି ଅନେକ ଅଘଟଣ ପାଇଁ ମନେ ରହିବ ତେବେ ଏହା ମଧ୍ୟ କିଛି ଏମିତି ବ୍ୟକ୍ତିଙ୍କ ପାଇଁ ମନେ ରହିବ ଯେଉଁମାନେ ନିଜ କଥା ଭୁଲି ଅନ୍ୟମାନଙ୍କ କଥା ଭାବିଥିଲେ । କିଏ ଲକଡାଉନ କାଳରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଂଚାଇବା ନିଜ ଲକ୍ଷ୍ୟ କରିଥିଲା ତ’ କିଏ ଭାରତକୁ କରୋନା ଭ୍ୟାକ୍ସିନ୍ ଦେବା ମିଶନରେ ସାମିଲ ହୋଇଥିଲେ ।

ନବୀନ ପଟ୍ଟନାୟକ

୨୦ ବର୍ଷ ଧରି ଓଡ଼ିଶାର ମଙ୍ଗ ଧରିଥିବା ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ଆଶା ବିଶ୍ୱାସକୁ ବାନ୍ଧି ରଖିଛନ୍ତି। ଯେଉଁଥିପାଇଁ ବାରମ୍ବାର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଛନ୍ତି ନବୀନ ପଟ୍ଟନାୟକ। ସି-ଭୋଟର ଦ୍ୱାରା କରାଯାଇଥିବ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଥିଲା। ୨୦୨୦ରେ ସବୁଠାରୁ ଚର୍ଚ୍ଚାରେ ରହିଛି ନବୀନଙ୍କ ମହାମାରୀ କରୋନା ସହ ଲଢ଼େଇ। ପଞ୍ଚମ ପାଳିର ପ୍ରଥମ ବର୍ଷରେ ସବୁଠାରୁ ଚ୍ୟାଲେଞ୍ଜ ଥିଲା ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା ମହାମାରୀକୁ ଦୃଢ଼ତାର ସହ ମୁକାବିଲା କରିବା। ଏ ଦୁଇ ବିପର୍ଯ୍ୟୟକୁ ସଫଳତାର ସହ ଲଢ଼ି ଏବେ ନବୀନଙ୍କ ନେତୃତ୍ୱ ପୁଣି ସାଉଁଣ୍ଟିଛି ପ୍ରଶଂସା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ, ପୂରା ଦେଶ ପାଇଁ ନବୀନ ସାଜିଛନ୍ତି ରୋଲ୍‌ ମଡେଲ୍‌। ପ୍ରଥମ ଆର୍ଥିକ ବର୍ଷ ଆରମ୍ଭ ହେଉ ହେଉ ମାଡ଼ି ଆସିଲା ମହାମାରୀ କରୋନା। ଅର୍ଥନୀତି ନୁହେଁ, ଜୀବନ ବଡ଼ ସ୍ଲୋଗାନ ଦେଇ ରାଜ୍ୟ ସରକାର ଆରମ୍ଭ କଲେ କରୋନା ବିରୋଧୀ ଯୁଦ୍ଧ। ସଂକ୍ରମଣ ସାଂଘାତିକ ହେବା ପୂର୍ବରୁ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରି ଦେଶ ପାଇଁ ଉଦାହରଣ ସାଜିଲେ ନବୀନ। ବିଦେଶ ଫେରନ୍ତା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ସେଣ୍ଟର ପ୍ରତିଷ୍ଠା ଠାରୁ ଆରମ୍ଭ କରି ଟେଷ୍ଟିଂ ବ୍ୟବସ୍ଥା କରିବା। ମହାମାରୀ ବିରୋଧରେ ରାଜ୍ୟ ସରକାରଙ୍କ ଯୁଦ୍ଧଂ ଦେହି ଡାକରା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଲା। ଏପରିକି ଅନ୍ୟ ରାଜ୍ୟ ତୁଳନାରେ ମଧ୍ୟ ମୃତ୍ୟୁର ତାଲିକା ସୀମିତ ରହିଲା।

ସୋନୁ ସୁଦ୍

କରୋନା ପାଇଁ ସାରା ଦେଶରେ ଲକଡାଉନ୍ ହୋଇଥିଲା। ସେହି ସମୟରେ ଦେଶର ବିଭିନ୍ନ ରାଜ୍ୟରେ ଅନେକ ଯୁବକ ଯୁବତୀ ଫସି ରହିଥିଲେ। ତେବେ ବାହାରେ ଫସି ରହିଥିବା ପ୍ରାବାସୀ ମାନଙ୍କୁ ସାହାଯ୍ୟ କରିବା ପାଇଁ କରୋନା ସମୟରେ ଭୂତାଣୁକୁ ଭୟ ନକରି ଘରୁ ଗୋଡ଼ କାଢ଼ିଥିଲେ ବଲିଉଡ ଅଭିନେତା ସୋନୁ ସୁଦ। ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ରାଜ୍ୟରେ ଫସିରହିଥିବା ବିଭିନ୍ନ ରାଜ୍ୟର ଲୋକଙ୍କୁ ଘରକୁ ଫେରିବାରେ ସହଯୋଗ କରିଥିଲେ ସୋନୁ। ସେହିଭଳି କେରଳରେ କିଟେକ୍ସ ଗାର୍ମେଣ୍ଟସରେ ଫସିରହିଥିବା କେନ୍ଦ୍ରାପଡ଼ାର ୧୭୦ ଯୁବତୀଙ୍କୁ ମଧ୍ୟ ସହାୟତାର ସେ ହାତ ବଢ଼ାଇଥିଲେ। ଯୁବତୀମାନେ କାମ କରୁଥିବା କମ୍ପାନୀର ମାଲିକ ସେମାନଙ୍କୁ ଖାଇବା ପିଇବାକୁ ଦେଉନଥିବା ନେଇ ବାରମ୍ୱାର ସୋସିଆଲ୍ ମିଡିଆରେ ଅଭିଯୋଗ କରିଆସୁଥିଲେ। ଏ ନେଇ ଅଭିନେତା ସୋନୁ ଅବଗତ ହେବା ପରେ ସୁରକ୍ଷିତ ଭାବେ ଘରକୁ ଫେରିବା ପାଇଁ ବ୍ୟବସ୍ଥା କରିଥିଲେ। ସୋନୁଙ୍କ ଏହି ସହଯୋଗ ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା। ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସବ୍ୟସାଚୀ ମିଶ୍ର

ସଚେତନତାଠାରୁ ଆରମ୍ଭକରି ସାହାଯ୍ୟ। ମୁମ୍ବାଇରେ ସୋନୁଙ୍କ ଭଳି ଓଡ଼ିଶାରେ କରୋନା ସମୟରେ ଲୋକଙ୍କୁ ସାହାଯ୍ୟ ପାଇଁ ଧାଇଁ ଆସିଥିଲେ ଓଡ଼ିଆ ଫିଲ୍ମ ଅଭିନେତା ସବ୍ୟସାଚୀ ମିଶ୍ର। ଲକ୍‌ଡାଉନ୍‌ ଯୋଗୁ ବେଙ୍ଗାଲୁରୁରେ ଫସିରହିଥିବା ବଲାଙ୍ଗୀର ଟିକରପଡ଼ାର ଏକ ଶ୍ରମିକ ପରିବାରକୁ ସହଯୋଗର ହାତ ବଢାଇଥିଲେ ଅଭିନେତା ସବ୍ୟସାଚୀ। କାମ କରିବାକୁ ଯାଇ ପରିବାର ସହିତ ଦୁଇମାସ ହେଲା ବେଙ୍ଗାଲୁରୁରେ ଫସି ରହିଥିଲେ ପ୍ରଦୀପ ତାଣ୍ଡି ଓ ତାଙ୍କ ପରିବାର। ଏହି ଖବର ସେଠାକାର ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭାଇରାଲ ଭିଡିଓ ସବ୍ୟସାଚୀଙ୍କ ନଜରରେ ପଡିବା ପରେ ସଙ୍ଗେସଙ୍ଗେ ସେ ଏହି ପରିବାରକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲେ। ପରେ ପୁରା ପରିବାରକୁ ଏକ ଫ୍ଲାଇଟ୍‌ରେ ଓଡ଼ିଶାକୁ ଫେରାଇ ଆଣିଥିଲେ ସବ୍ୟସାଚୀ। ଖାଲି ସେତିକି ନୁହେଁ ୩ ଜଣ ଫୁଟବଲ ଖେଳାଳି କୋରାପୁଟରୁ ଭୁବନେଶ୍ୱର ଫୁଟ ବଲ ମ୍ୟାଚ ଖେଳିବାକୁ ଆସି ଭୁବନେଶ୍ୱରରେ ଫସି ରହିଥିଲେ। ଅଭିନେତା ସବ୍ୟସାଚି ଏକଥା ଜାଣିବା ପରେ ସେମାନଙ୍କୁ କରୋନ କଟକଣା ଭିତରେ କୋରାପୁଟରେ ପହଞ୍ଚାଇଥିଲେ। ସବ୍ୟଙ୍କର ଏଭଳି କାରଯ୍ୟ ପାଇଁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛଟିଥିଲା।

. କୃଷ୍ଣା ଇଲ୍ଲା

ସମଗ୍ର ବିଶ୍ୱ କରୋନା ଭୂତାଣୁ ପାଇଁ ଭୟରେ ଥରହର ହେଉଛି। ଅନେକ ଦେଶ ଏହାର ଟିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। କେମିତି ଏହି ଭୂତାଣୁ ଠାରୁ ରକ୍ଷା ମିଳିପାରିବ ସେନେଇ ଅହରହ ଚାଲିଛି ସଂଗ୍ରାମ। ତେବେ ଟିକା ପ୍ରସ୍ତୁତ କରିବାରେ ଭାରତକୁ ପଛରେ ପକାଇ ନଥିଲେ ଚଷା ପୁଅ। ଭାରତର ଜଣେ କୃଷକଙ୍କ ପୁଅ କରୋନା ଟିକା ତିଆରିରେ ଲାଗି ପଡ଼ିଛନ୍ତି। ତାଙ୍କ ନାମ ହେଉଛି ଡକ୍ଟର କୃଷ୍ଣା ଇଲ୍ଲା। ତେବେ ଇଲ୍ଲା ତାଙ୍କର ପ୍ରଥମ ଦିନରେ ଏକ ଛୋଟ ଲ୍ୟାବ ଖୋଲିଥିଲେ। ନିଜ ଅକ୍ଳାନ୍ତ ଚେଷ୍ଟାରୁ ବର୍ତ୍ତମାନ ଏହାକୁ ସେ ଏକ ବଡ଼ କମ୍ପାନୀରେ ପରିଣତ କରିଛନ୍ତି। ହାଇଦ୍ରାବାଦ ସ୍ଥିତ କମ୍ପାନୀ ଭାରତ ବାୟୋଟେକ୍ କରୋନା ଟିକା ପ୍ରସ୍ତୁତ କରୁଛି। ଏହି କମ୍ପାନୀ ମାନବ ପରୀକ୍ଷା ପାଇଁ ଅନୁମତି ପାଇବା ପରେ ଏବେ କରୋନା ଟିକାର ମାନବ ପରୀକ୍ଷଣ କରୁଛି।  କମ୍ପାନୀର ପ୍ରତିଷ୍ଠାତା ହେଉଛନ୍ତି ନିଜେ ଡାକ୍ତର କୃଷ୍ଣା ଇଲ୍ଲା। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସହାୟତାରେ ଭାରତ ବାୟୋଟେକ୍ କରୋନା ଟିକା ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ତେବେ ଡକ୍ଟର କୃଷ୍ଣା ଇଲ୍ଲା ତାଙ୍କ ଜୀବନରେ ଶହେରୁ ଅଧିକ ଜାତୀୟ ପୁରଷ୍କାରରେ ସମ୍ମାନିତ ହୋଉଛନ୍ତି। ୨୦୧୧ ଏବଂ ୨୦୦୮ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବେଷ୍ଟ ଟେକ୍ନିକାଲ ଆଓ୍ୱାର୍ଡ଼ ଦ୍ୱାରା ସମ୍ମାନିତ ହୋଇଥିଲେ।

ଦବଙ୍ଗ ଦାଦି

ଶାହିନ୍ ବାଗର ‘ଦାଦି’ ଭାବରେ ଜଣାଶୁଣା ୮୨ ବର୍ଷ ବୟସ୍କା ବିଲକିସଙ୍କୁ ଆମେ ଆମ ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ଦେଇଛୁ। ଶାହିନ୍ ବାଗରେ ନାଗରିକତ୍ୱ ସଂଶୋଧନ ଆଇନ (CAA) ବିରୋଧରେ ଦୁଇମାସ ଧରି ଚାଲିଥିବା ବିକ୍ଷୋଭ ପ୍ରଦର୍ଶନକୁ ବିଲକିସ ବା ଶାହିନ୍ ବାଗର ‘ଦାଦି’ଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା। ବୟସର ଅପରାହ୍ନରେ ମଧ୍ୟ ତାଙ୍କ ଭିତରେ ଜଳିଥିଲା ପ୍ରତିରୋଧର ବହ୍ନି। ତେବେ ତାଙ୍କର ଏଭଳି ଆନ୍ଦୋଳନ ପୁରା ଦେଶର ଲୋକମାନଙ୍କର ଭୃକୁଞ୍ଚନ କରିଥିଲା। ସେ ସେହି ମହିଳାମାନଙ୍କ ମଧ୍ୟରେ ଥିଲେ ଯେଉଁମାନେ ନିଜ ଘରର ସବୁ କାମକୁ ଛାଡ଼ି ଦେଇ ପ୍ରତିଦିନ ଶାହିନ୍ ବାଗରେ ସକାଳୁ ରାତି ପର୍ଯ୍ୟନ୍ତ ବିରୋଧ କରିଥିଲେ। ଯେତେବେଳେ ପୁରା ଦେଶ ଶୀତରେ ଥରୁ ଥିଲା ସେତେବେଳେ ୮୨ ବର୍ଷିୟ ବୃଦ୍ଧା ଦାଦି ଦୃଢ଼ତାର ସହିତ ବିରୋଧ ପ୍ରଦର୍ଶନ କରିଥିଲେ। ତାଙ୍କର ଏଭଳି ପ୍ରଦର୍ଶନ ପୁରା ଯୁବ ସମାଜକୁ ଆକୃଷ୍ଠ କରିଛି ।

ଜ୍ୟୋତିରାଦିତ୍ୟ ସିନ୍ଧିଆ

ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୦୨୦ରେ ରାଜନୈତିକ ପାଣିପାଗକୁ ଅଧିକ ହଟଚମଟ କରିଥିଲେ। ୨୦୨୦ରେ ସିନ୍ଧିଆ ଦଳ ବିରୋଧରେ କରିଥିଲେ ବିଦ୍ରୋହ। ଯାହାପାଇଁ ୨୦୨୦ରେ କଂଗ୍ରେସ ମଧ୍ୟପ୍ରଦେଶରେ କ୍ଷମତା ହରାଇଥିଲା ।  ମଧ୍ୟପ୍ରଦେଶରେ ମହାବିଦ୍ରୋହର  ସୂତ୍ରଧାର ଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। କମଲନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ସିନ୍ଧିଆ ନିଜର ୨୨ ବିଧାୟକଙ୍କ ସହ ଦଳ ବିରୋଧରେ ବିଦ୍ରୋହ କରିଥିଲେ। ଦଳ ଛାଡ଼ି ୨୨ ବିଧାୟକଙ୍କ ସହ ସେ ବିଜେପିରେ ଯୋଗ ଦେଇଥିଲେ। ଫଳସ୍ୱରୂପ କଂଗ୍ରେସର ସରକାର ମାତ୍ର ୧୫ ମାସ ଭିତରେ ଭାଙ୍ଗିଯାଇଥିଲା ଏବଂ ବିଜେପି ସେଠାରେ ସରକାର ଗଠନ କରିଥିଲା।

ସଚିନ ପାଇଲଟ

କରୋନା କାଳରେ କରୋନା ଯେତିକି ଚର୍ଚ୍ଚାରେ ଥିଲା କିଛି ଦିନ ପାଇଁ ତାଠୁ ଅଧିକ ଚର୍ଚ୍ଚାରେ ଥିଲେ ସଚିନ ପାଇଲଟ। ମଧ୍ୟପ୍ରଦେଶ ପରେ ରାଜସ୍ଥାନର ରାଜନୀତିରେ କଂଗ୍ରେସ ବିରୋଧରେ ମୁଣ୍ଡ ଟେକିଥିଲା ଆଉ ଏକ ବିଦ୍ରୋହ। ରାଜସ୍ଥାନରେ ସଚିନ ପାଇଲଟ ଗେହେଲଟ ସରକାରଙ୍କ ବିରୁଦ୍ଧରେ ବଜାଇଥିଲେ ବିଦ୍ରୋହର ବିଗୁଲ୍। ତାଙ୍କ ନେତୃତ୍ୱରେ ୧୭ ବିଧାୟକ କଂଗ୍ରେସ ବିରୋଧରେ ବିଦ୍ରୋହ କରିଥିଲେ। ଯାହାଫଳରେ ସେଠାରେ ଦଳ ଓ ସରକାର ଭାଙ୍ଗିଯିବା ଭଳି ପରିସ୍ଥିତି ଦେଖାଯାଇଥିଲା। ଅବଶ୍ୟ ପାଇଲଟଙ୍କୁ ମନାଇବାରେ କଂଗ୍ରେସ ସଫଳ ହେବା ପରେ ଦଳ ଭାଙ୍ଗିବାରୁ ବଞ୍ଚି ଯାଇଥିଲା। ଆଉ ସେହି ସମୟରେ ପାଇଲଟଙ୍କ ବ୍ୟକ୍ତିତ୍ୱ ପୁରା ରାଜନୈତିକ ମାହୋଲକୁ ଅଧିକ ପ୍ରଭାବିତ କରିଥିଲା।

ଦୂତୀ ଚାନ୍ଦ

ଖେଳ ଜଗତରେ ଅନେକ ପ୍ରସଂଶା ହାତେଇଛନ୍ତି ଓଡ଼ିଆ ଝିଅ ଦୂତୀ। ଦୌଡ଼ ରାଣୀ ଦୂତୀ ସାରା ବିଶ୍ୱରେ ଓଡ଼ିଶାର ନାଁକୁ ଗର୍ବିତ କରିଚାଲିଛନ୍ତି। ତାଙ୍କ ନାମରେ ରହିଛି ଜାତୀୟ ଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ ଅନେକ ବଡ଼ ବଡ଼ ପୁରଷ୍କାର। ତେବେ ୨୦୨୦ରେ ମଧ୍ୟ ସେ ତାଙ୍କର ଚମକ ବିଛାଡ଼ିଛନ୍ତି। ‘ଖେଲୋ ଇଣ୍ଡିଆ’ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୦ରେ କମାଲ ଦେଖାଇଛନ୍ତି। ୨୦୦ ମିଟର ଦୌଡରେ ସେ ପୁଣି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଖାଲି ସେତିକି ନୁହେଁ ଦୂତୀ ତାଙ୍କ ସମଲିଙ୍ଗି ସମ୍ପର୍କକୁ ନେଇ ମଧ୍ୟ ଖୁଲାସା କରି ଚର୍ଚ୍ଚାକୁ ଆସିଛନ୍ତି। ସେପଟେ କୌନ ବନେଗା କରୋଡ଼ ପତି(କେବିସି)ର ୧୧ତମ ସଂସ୍କରଣର ହଟ୍ ସିଟରେ ବସିଥିଲେ ଦୂତୀ ଚାନ୍ଦ। ଟ୍ରାକରେ ସାଥୀ ଖେଳାଳିଙ୍କୁ ନାକେଦମ୍ କରୁଥିବା ସ୍ପ୍ରିଣ୍ଟର କ୍ୱିନ୍ ଦୂତୀ କେବିସି ହଟ୍ ସିଟରେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ହଇରାଣ କରିଥିଲେ। ବିଗ୍ ବି ପଚାରିଥିବା ପ୍ରତିଟି ପ୍ରଶ୍ନର ହଟ୍ ଉତ୍ତର ଦେଇ ଚମକିଥିଲେ ଦୂତୀ। ୨୦୨୦ରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୂତୀ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ବି ପାଇଛନ୍ତି। ଭିଡିଓ କନଫରେନ୍ସି ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଅଭିଜିତ୍ ବାନାର୍ଜୀ

ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀ ୨୦୨୦ରେ ଏକ ଶ୍ରେଷ୍ଠ ବିକ୍ତିତ୍ୱ କହିଲେ କିଛି ଭୁଲ ହେବ ନାହିଁ। କାରଣ ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀ ଚଳିତ ବର୍ଷ ଅକ୍ଟୋବର ୬ ତାରିଖରେ ଦେଶକୁ ପୁଣି ଥରେ ଗର୍ବିତ କରାଇଥିଲେ। ବାନାର୍ଜୀ ତାଙ୍କର ଫରାସୀ-ଆମେରିକୀୟ ପତ୍ନୀ ଏଷ୍ଟର୍ ଡୁଫ୍ଲୋ ଏବଂ ଅନ୍ୟ ଜଣେ ଆମେରିକୀୟ ଅର୍ଥନୀତିଜ୍ଞ ମାଇକେଲ୍ କ୍ରେମରଙ୍କ ସହ ବିଶ୍ୱର ଦାରିଦ୍ର୍ୟ ଦୂରୀକରଣ ପାଇଁ ପରୀକ୍ଷାମୂଳକ ଆଭିମୁଖ୍ୟ ପାଇଁ ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି। ସେ କେମ୍ବ୍ରିଜ୍ର, ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଫୋର୍ଡ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି । ଖାଲି ସେତିକି ନୁହେଁ ବିଶ୍ୱର ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟ ପାଇଁ ଭାରତୀୟ ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀ, ତାଙ୍କର ପତ୍ନୀ ଏଷ୍ଟର୍ ଡୁଫ୍ଲୋ ଏବଂ ସହକର୍ମୀ ମାଇକେଲ୍ କ୍ରେମରଙ୍କୁ ୨୦୧୯ ମସିହାରେ ଅର୍ଥନୈତିକ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।

କମଲା ହ୍ୟାରିସ

ସେହିଭଳି ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ମଧ୍ୟ ଆମ ଶ୍ରେଷ୍ଠ ବ୍ୟକ୍ତିତ୍ୱର ତାଲିକାରେ ରହିଛନ୍ତି। ଚେନ୍ନାଇର ଏକ ଛୋଠିଆ ଗାଁ ଥୁଲାସେନ୍ଦ୍ରପୁରମରେ କମଳାଙ୍କ ପରିବାର। କିନ୍ତୁ କମଳା ଆମେରିକାରେ ଜନ୍ମ। ତେବେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କମଲା ହ୍ୟାରିସ ଭାରତର ପ୍ରଥମ ମହିଳା ଭାବେ ଉପରାଷ୍ଟ୍ରପତି ପଦ ହାତେଇଥିଲେ। କମଳାଙ୍କ ଭୋଟ ପାଇଁ ଭାରତରେ ମଧ୍ୟ ଅନେକ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଥିଲା।

Leave a Reply