୨୦୨୦ରେ ବିଜ୍ଞାନର ଚମତ୍କାର

1 min read

କୋଭିଡ-୧୯ ମହାମାରୀ ପାଇଁ ମାନବ ଇତିହାସରେ ୨୦୨୦ ସବୁଦିନ ମନେ ରହିବ । କିନ୍ତୁ ଚଳିତ ବର୍ଷ ବିଜ୍ଞାନ କରିଛି ଏକାଧିକ ଚମତ୍କାର । ଗୋଟିଏ ପକ୍ଷେ ୨୦୨୦ ଅନେକ କଷ୍ଟଦାୟକ ହୋଇଥିବା ବେଳେ ଅନ୍ୟପଟେ ଏହା ଖୁବ ଖାସ୍ । ୨୦୨୦ରେ ମହାକାଶ ଅନୁସନ୍ଧାନ, କୋଭିଡ-୧୯ ଭ୍ୟାକସିନକୁ ନେଇ ଏକାଧିକ ଗବେଷଣା ହୋଇଛି । ତେବେ ବିଶ୍ୱ ୨୦୨୦ରେ ବିଜ୍ଞାନ କ୍ଷେତ୍ରରେ କେଉଁ ପ୍ରକାରର ଉପଲବ୍ଧି ପାଇଛି ? ଅନୁସନ୍ଧାନରେ କେତେ ସଫଳତା ମିଳିଛ?

ମଙ୍ଗଳ ସମ୍ବଦ୍ଧୀୟ ମହାକାଶ ଅନୁସନ୍ଧାନ ଏ ବର୍ଷ ବିଜ୍ଞାନ ଜଗତରେ ଆଲୋଚନାର ବିଷୟ ସାଜିଥିଲା । ତିନୋଟି ଦେଶ ମଙ୍ଗଳକୁ ଅଭିଯାନ ପଠାଇଥିଲେ, ଯେଉଁଥିରେ ସାମିଲ ରହିଛି ଆମେରିକାର ନାସା । ନାସା ମଙ୍ଗଳକୁ ଏକ ଖାସ୍ ରୋଭର ପଠାଇଛି । ପର୍ସବିରେନ୍ସ ରୋଭର ମଙ୍ଗଳରେ ମାନବ ରହିବାକୁ ନେଇ କିଛି ଜରୁରୀ ପ୍ରୟୋଗ କରିବ । ଏହା ସହିତ ଏ ବର୍ଷ ମଙ୍ଗଳରେ ଜୀବନର ସମ୍ଭାବନା ଏବଂ ସେଠାରେ ରହିବାର ସମ୍ଭାବନାକୁ ନେଇ ଅନେକ ଗବେଷଣା ମଧ୍ୟ ହୋଇଛି ।

ଖାଲି ଏତିକି ନୁହେଁ ଚଳିତ ବର୍ଷ ମହାକାଶରେ ଆଉ ଏକ ସଫଳତା ମିଳିଛି । ଆମେରିକାର ବୈଜ୍ଞାନିକ ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରରେ ମୂଳା ଅମଳ କରିବାରେ ସଫଳ ହୋଇଛନ୍ତି । ନାସା ମହାମାଶ ଯାତ୍ରୀ କେଟ୍ ରୁବିସ୍ ISSରୁ ୨୦ଟି ମୂଳା ଗଛ ପୃଥିବୀକୁ ଆଣିବା ପାଇଁ ପ୍ରସ୍ତୁତି କରି ସାରିଲେଣି । ତେବେ ଏହା ପ୍ରଥମ ଥର ଯେତେବେଳେ ମାଇକ୍ରୋଗ୍ରାଭିଟିରେ ଏତେ ମାତ୍ରାରେ ଚାରା ଲଗାଯାଇଛି ଏବଂ ସଫଳତା ମିଳିଛି । ଗ୍ରହାନ୍ତର ଯାତ୍ରା ପାଇଁ ଏହି ଆବିଷ୍କାର ଆଗକୁ ବେଶ୍‌ କାମରେ ଆସିବ । କାରଣ ଇନ୍ଧନ ସହ ଖାଦ୍ୟ ମଧ୍ୟ ଜରୁରୀ ।

ଖାଲି ମଙ୍ଗଳ ନୁହେଁ ବୈଜ୍ଞାନିକଙ୍କ ଗବେଷଣାରେ ଚନ୍ଦ୍ର ମଧ୍ୟ ଏହି ବର୍ଷ ରହିଥିଲା । ଚୀନ୍ ଚନ୍ଦ୍ରରୁ ପୃଥିବୀକୁ ମାଟି ଆଣିବାରେ ସଫଳ ହୋଇଛି । ତାହା ପୁଣି ୪୪ ବର୍ଷ ପରେ । ଅନ୍ୟପଟେ ଚନ୍ଦ୍ରରେ ଜଳ ଥିବା କଥା ଚଳିତ ବର୍ଷ ହିଁ ସାମ୍ନାକୁ ଆସିଛି । ଆଉ ନିଜେ ନାସା ଏହା ଦାବି କରିଛି । ଅବଶ୍ୟ ନାସା ପୂର୍ବରୁ ଭାରତର ଇସ୍ରୋ ଏହି ଦାବି କରିସାରିଥିଲା,ନାସା କେବଳ ଭାରତର ଦାବି ଉପରେ ମୋହର ମାରିଛି । ମାନବ ଦୀର୍ଘଦିନ ଧରି ଚନ୍ଦ୍ରରେ କେମିତି ରହିପାରିବ ତାହାକୁ ନେଇ ୨୦୨୦ରେ ଅଧିକ ଗବେଷଣା ହୋଇଛି ।

ଚଳିତ ବର୍ଷ ପର୍ଯ୍ୟାବରଣକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷ କକଟେଲ ନାମକ ଏନଜାଇମ୍ ଆବିଷ୍କୃତ ହୋଇଛି । ଯାହା ପ୍ଲାଷ୍ଟିକକୁ ଖାଇଯିବ,ମାନେ ନଷ୍ଟ କରିଦେବ । ଅର୍ଥାତ ପ୍ଲାଷ୍ଟିକ କବଳରୁ ଆଗକୁ ପୃଥିବୀ ମୁକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବୈଜ୍ଞାନିକ ପେଟେଜ୍ ଏବଂ ମେଟେଜ୍ ନାମକ ଏନଜାଇମକୁ ମିଶାଇ ପ୍ରସ୍ତୁତ କରିଛନ୍ତି ଏକ ଖାସ୍ ଏନଜାଇମ ।

କେବଳ ସେତିକି ନୁହେଁ ଏ ବର୍ଷ ଅଷ୍ଟ୍ରେଲିୟାର ଟେଲିସ୍କୋପ ମହାକାଶର ନକ୍ସାକୁ ଆଙ୍କିବାରେ ଏକ ପ୍ରକାରର ରେକର୍ଡ଼ କରିଛି । ଏହି ମାନଚିତ୍ରରେ ସାମିଲ ହୋଇଛି ଲକ୍ଷାଧିକ ଗ୍ୟାଲେକ୍ସି । ଏହା ମଧ୍ୟରେ ଏଭଳି କିଛି ଗ୍ୟାଲେକ୍ସି ରହିଛି, ଯାହାର ଆବିଷ୍କାର ପୂର୍ବରୁ ହୋଇନଥିଲା । ତେବେ ଏହି ସଫଳତା ହାସଲ କରିଛି ASKAP ବା ଅଷ୍ଟ୍ରେଲିୟାନ୍ SKA ପାଥ୍‌ଫାଇଣ୍ଡର ଟେଲିସ୍କୋପ୍ ।

କୋଭିଡ-୧୯ ଏ ବର୍ଷ ପୂରା ବିଶ୍ୱର ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଲକ୍ଷାଧିକ ଜୀବନ ଯିବାପରେ ମଧ୍ୟ ଦୁନିଆ ଏପର୍ଯ୍ୟନ୍ତ କୋଭିଡ ମହାମାରୀ ସହିତ ଲଢୁଛି । ଭ୍ୟାକସିନକୁ ଅପେକ୍ଷାର ଅନ୍ତ ଏଯାଏ ସରିନାହିଁ । ବର୍ଷ ଶେଷ ହେବା ପୂର୍ବରୁ ଏହାର କିଛି ଭ୍ୟାକସିନ ପ୍ରସ୍ତୁତ ମଧ୍ୟ ହୋଇ ସାରିଛି ଏବଂ ଲୋକଙ୍କ ନିକଟରେ ପହଞ୍ଚାଇବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି । ଏମାନଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛି ଫାଇଜର, ମଡର୍ଣ୍ଣା ଏବଂ ସ୍ପୁଟନିକ ଭି । କିନ୍ତୁ ଏ ବର୍ଷ କରୋନା ଭୂତାଣୁକୁ ନେଇ ଅଧିକ ଗବେଷଣା କରାଯାଇଛି । ଏବେ ଶହ ଶହ ଭ୍ୟାକସିନ ପରୀକ୍ଷା ଅପେକ୍ଷାରେ ରହିଛି ।

Leave a Reply