୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସ୍କୁଲକୁ ପଠାଗଲା ବହି: ପ୍ରଥମ ପର୍ଯ୍ୟାୟରେ ୫ ପିଠକୁ ଗଲା ୫ ଟ୍ରକ୍

1 min read

୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସ୍କୁଲକୁ ପଠାଗଲା ବହି । ଭୁବନେଶ୍ବର ସ୍ଥିତ ସରକାରୀ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ରରୁ ରାଜ୍ୟର ୫ଟି ପିଠ (ପୁରୀ, କେଉଁଝର, କେନ୍ଦ୍ରାପଡ଼ା, ଯାଜପୁର, ଗଞ୍ଜାମ)କୁ ପୁସ୍ତକ ପଠାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପୁସ୍ତକ ଲୋଡ ହୋଇଥିବା ଗାଡ଼ି ଗୁଡ଼ିକୁ ପତାକା ଦେଖାଇ ବହି ଯୋଗାଣର ଶୁଭାରମ୍ଭ କରିଛନ୍ତି ।

ଏଣିକି ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ସବୁ ସ୍କୁଲରେ ପହଞ୍ଚିବ ପାଠ୍ୟପୁସ୍ତକ । ମାର୍ଚ୍ଚ ମାସ ପୂର୍ବରୁ ପାଠ୍ୟପୁସ୍ତକ ପହଞ୍ଚିବ । ଗତ ବର୍ଷ ସ୍ଥିତି ଆସନ୍ତା ବର୍ଷ ହେବ ନାହିଁ । ଆଗାମୀ ବର୍ଷ ପାଇଁ ୫କୋଟି ୯୦ ଲକ୍ଷ ପାଠ୍ୟ ପୁସ୍ତକର ଆବଶ୍ୟକତା ରହିଛି । ସେଥି ମଧ୍ୟରୁ ୨୨ ନଭେମ୍ବର ସୁଦ୍ଧା ୧ କୋଟି ୧୨ ଲକ୍ଷ ବହି ଛପା ସରିଥିବା ଜଣାପଡିଛି । ବର୍ତ୍ତମାନ ଡିପୋରେ ୨୧ ଲକ୍ଷ ବହି ମହଜୁଦ ରହିଥିବା ବେଳେ ପ୍ରତିଦିନ ୧୦ ଲକ୍ଷ ବହି ଡିପୋକୁ ଆସୁଛି । ସେହିପରି ପ୍ରତିଦିନ ୫ଲକ୍ଷ ବହି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯାଉଛି । ଶୁକ୍ରବାର ବହି ପଠାଇବା ଶୁଭାରମ୍ଭ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ୫ଟି ପିଠକୁ ପଠାଯାଇଥିବା ପାଠ୍ୟପୁସ୍ତକ ଟ୍ରକକୁ ମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ପ୍ରତିବର୍ଷ ପାଠ ପଢା ଆରମ୍ଭ ପରେ ବି ବହି ସ୍କୁଲରେ ପହଞ୍ଚିନଥିବା ଅଭିଯୋଗ ହୋଇ ଆସୁଥିଲା । ଚଳିତ ବର୍ଷ କିନ୍ତୁ ଏମିତି ସ୍ଥିତି ହେବ ନାହିଁ ବୋଲି ସରକାରୀ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପ୍ରଥମରୁ ୮ମ ପର୍ଯ୍ୟନ୍ତ ସମସ୍ତ ବହି କିପରି ସ୍କୁଲ ଗୁଡିକରେ ପହଞ୍ଚିବ ସେଥିପାଇଁ କେନ୍ଦ୍ର ପକ୍ଷରୁ ବେଶ ସତର୍କତା ଅବଲମ୍ବନ କରାଯାଇଛି । ସରକାରୀ ପ୍ରେସ୍‌ ସମେତ ଘରୋଇ ପ୍ରେସ୍‌ ଗୁଡିକରେ ବିଭିନ୍ନ ଭେଣ୍ଡରମାନେ ପୁସ୍ତକ ଛାପିବା କାମ ଦୃତ ଗତିରେ ଚଳାଇଛନ୍ତି ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତିବର୍ଷ ଉଜ୍ଜଳ, ଉତ୍ଥାନ ଏବଂ ଉତ୍କର୍ଷ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉଛି । ଏଥର ଶିକ୍ଷା ବର୍ଷ ଆରମ୍ଭରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ବହି ଯୋଗାଇ ଦେବାକୁ ବିଭାଗ ଲକ୍ଷ ରଖିଛି ।

Leave a Reply