ରଫିକ ଖାଆନ୍ତି ୩ କିଲୋ ଚାଉଳ ୨ କିଲୋ ଅଟା ରୁଟି, ଦୁଇ ପତ୍ନୀ କରନ୍ତି ରୋଷେଇ

ପାଟନା: ଗାୟକ ଅଦନାନ ସାମୀ ଏବଂ ରାଜନେତା ପପୁ ଯାଦବଙ୍କ ଭଳି ଓଜନବହୁଳ ବ୍ୟକ୍ତି ବିଶେଷଙ୍କୁ ଆପଣ ତ ଦେଖିଥିବେ  । କିନ୍ତୁ ଆଜି ଆମେ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯେ ତାଙ୍କୁ ଦେଖିବା ପାଇଁ କଟିହାରରେ ପ୍ରବଳ ଭିଡ  । ବିହାର କଟିହାର ଜିଲ୍ଲାର ୩୦ ବର୍ଷୀୟ ରଫିକ  । ପାଖାପାଖି ୨ କ୍ବିଣ୍ଟାଲ ଅର୍ଥାତ ୨୦୦ କିଲୋଗ୍ରାମ ଓଜନ ପାଇଁ ସେ ଚର୍ଚ୍ଚାରେ  ।

ରଫିକଙ୍କ ଖାଦ୍ୟାଭାସ ଯେ କେହି ଆଖିରେ ନ ଦେଖିଲେ ବିଶ୍ବାସ କରିବେନି । ଗାଁରେ ଭୋଜିଭାତ ହେଲେ ତିନି କିଲୋଗ୍ରାମ ଭାତ ଓ ୨ କିଲୋଗ୍ରାମର ଅଟାରେ ପ୍ରସ୍ତୁତ ରୁଟି ଏକାକୀ ହଜମ କରିଦିଅନ୍ତି ରଫିକ  ।

ପେଷାରେ ଚାଷୀ ରଫିକ ଖୁବ କମ ଚାଲିବାକୁ ପସନ୍ଦ କରନ୍ତି  ।  ବେଳେବେଳେ ତ ତାଙ୍କ ଓଜନ ପାଇଁ ରଫିକଙ୍କ ବୁଲେଟ ରାସ୍ତା ମଝିରେ ଅଟକିଯାଏ  । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଦୁଇ ଦୁଇଟି ବିବାହ କରିଛନ୍ତି ସେ  । ଆଉ ଘରେ ଦୁଇ ପତ୍ନୀ ମିଳିମିଶି ରଫିକଙ୍କ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି  ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ସେ ବୁଲିମିଆ ନର୍ବୋସା ନାମକ ରୋଗରେ ପୀଡିତ  । ଏଥିଯୋଗୁଁ ରୋଗୀଙ୍କ ଓଜନ ଅସ୍ବାଭାବିକ ଭାବେ ବଢିଥାଏ  । ଏହା ବ୍ୟତୀତ ହରମୋନ ସମ୍ବନ୍ଧୀୟ ସମସ୍ୟା ବି ଅନ୍ୟ ଏକ କାରଣ ହୋଇପାରେ  । ରଫିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଲେ ପ୍ରକୃତ ସତ ଜଣାପଡିବ ବୋଲି ବିଶେଷଜ୍ଞ କୁହନ୍ତି  ।