ରଫିକ ଖାଆନ୍ତି ୩ କିଲୋ ଚାଉଳ ୨ କିଲୋ ଅଟା ରୁଟି, ଦୁଇ ପତ୍ନୀ କରନ୍ତି ରୋଷେଇ
ପାଟନା: ଗାୟକ ଅଦନାନ ସାମୀ ଏବଂ ରାଜନେତା ପପୁ ଯାଦବଙ୍କ ଭଳି ଓଜନବହୁଳ ବ୍ୟକ୍ତି ବିଶେଷଙ୍କୁ ଆପଣ ତ ଦେଖିଥିବେ । କିନ୍ତୁ ଆଜି ଆମେ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯେ ତାଙ୍କୁ ଦେଖିବା ପାଇଁ କଟିହାରରେ ପ୍ରବଳ ଭିଡ । ବିହାର କଟିହାର ଜିଲ୍ଲାର ୩୦ ବର୍ଷୀୟ ରଫିକ । ପାଖାପାଖି ୨ କ୍ବିଣ୍ଟାଲ ଅର୍ଥାତ ୨୦୦ କିଲୋଗ୍ରାମ ଓଜନ ପାଇଁ ସେ ଚର୍ଚ୍ଚାରେ ।
ରଫିକଙ୍କ ଖାଦ୍ୟାଭାସ ଯେ କେହି ଆଖିରେ ନ ଦେଖିଲେ ବିଶ୍ବାସ କରିବେନି । ଗାଁରେ ଭୋଜିଭାତ ହେଲେ ତିନି କିଲୋଗ୍ରାମ ଭାତ ଓ ୨ କିଲୋଗ୍ରାମର ଅଟାରେ ପ୍ରସ୍ତୁତ ରୁଟି ଏକାକୀ ହଜମ କରିଦିଅନ୍ତି ରଫିକ ।
ପେଷାରେ ଚାଷୀ ରଫିକ ଖୁବ କମ ଚାଲିବାକୁ ପସନ୍ଦ କରନ୍ତି । ବେଳେବେଳେ ତ ତାଙ୍କ ଓଜନ ପାଇଁ ରଫିକଙ୍କ ବୁଲେଟ ରାସ୍ତା ମଝିରେ ଅଟକିଯାଏ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଦୁଇ ଦୁଇଟି ବିବାହ କରିଛନ୍ତି ସେ । ଆଉ ଘରେ ଦୁଇ ପତ୍ନୀ ମିଳିମିଶି ରଫିକଙ୍କ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ସେ ବୁଲିମିଆ ନର୍ବୋସା ନାମକ ରୋଗରେ ପୀଡିତ । ଏଥିଯୋଗୁଁ ରୋଗୀଙ୍କ ଓଜନ ଅସ୍ବାଭାବିକ ଭାବେ ବଢିଥାଏ । ଏହା ବ୍ୟତୀତ ହରମୋନ ସମ୍ବନ୍ଧୀୟ ସମସ୍ୟା ବି ଅନ୍ୟ ଏକ କାରଣ ହୋଇପାରେ । ରଫିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଲେ ପ୍ରକୃତ ସତ ଜଣାପଡିବ ବୋଲି ବିଶେଷଜ୍ଞ କୁହନ୍ତି ।