ଭାରତ ଇତିହାସର କଳା ଦିନ; ଜାଣନ୍ତୁ ସଂସଦ ଆକ୍ରମଣର ଘଟଣାକ୍ରମ…

1 min read

ନୂଆଦିଲ୍ଲୀ: ଡିସେମ୍ବର ୧୩, ୨୦୦୧ ମସିହା । ଭାରତ ଇତିହାସରେ ଯୋଡି ହୋଇଥିଲା ଏକ କଳା ଦିନ । ଏହି ଦିନ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ମନ୍ଦିର ସଂସଦ ଭବନ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। କେହି କିଛି ବୁଝିବା ଆଗରୁ ଗଣତନ୍ତ୍ରର ମନ୍ଦିର ଉପରେ ହୋଇଥିଲା ସବୁଠାରୁ ବଡ଼ ହମଲା । ଲସ୍କର-ଇ-ତୋଇବା ଓ ଜୈଶ-ଇ-ମହମ୍ମଦର ୫ ଜଣ ଆତଙ୍କବାଦୀ ସଂସଦ ଭବନ ଉପରେ କରିଥିଲେ ଆକ୍ରମଣ । ଏହି ଆକ୍ରମଣରେ ୯ ଜଣ ଯବାନଙ୍କର ମୃତ୍ୟୁ ହୋଇଥିଲା । ୯ ଜଣଙ୍କ ମଧ୍ୟରୁ ୬ ଜଣ ଦିଲ୍ଲୀ ପୋଲିସର ଥିବାବେଳେ ଦୁଇ ଜଣ ସଂସଦ ଭବନର ସିକ୍ୟୁରିଟି ଓ ଜଣେ ଥିଲେ ସଂସଦ ଭବନର ମାଳି । ସଂସଦ ଉପରେ ହୋଇଥିବା ଆକ୍ରମଣକୁ ଆଜି ପୂରିଛି ୨୦ ବର୍ଷ । ଏ ଭିତିରେ ୨୦ ବର୍ଷ ବିତି ଯାଇଛି ସତ କିନ୍ତୁ ଆଜି ବି ଲୋକଙ୍କ ମନରୁ ଲିଭିନି ସେହି ଭୟଙ୍କର ଦୃଶ୍ୟ । ସଂସଦ ଭବନ ଉପରେ ଏତେ ବଡ଼ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଥିଲା ଅଫଜଲ ଗୁରୁ ।

୧୩ ଡିସେମ୍ବର ୨୦୦୧, ସମୟ  ପ୍ରାୟ ୧୧.୨୮ ମିନିଟ । ସ୍ଥାନ ସଂସଦ ଭବନ । ସଂସଦରେ ଚାଲିଥିଲା ଶୀତ ଅଧିବେସନ । କିଛି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ସଂସଦର ଉଭୟ ସଦନକୁ ୪୦ ମିନିଟ୍ ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା । ଗୃହ ମୁଲତବି ହେତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ବିରୋଧୀଦଳ ନେତ୍ରୀ ସୋନିଆ ଗାନ୍ଧୀ ଦିଲ୍ଲୀ ସ୍ଥିତ ବାସଭବନକୁ ଚାଲି ଯାଇଥିଲେ । କିନ୍ତୁ ସଂସଦରେ ଉପସ୍ଥିତ ଥିଲେ ଗୃହ ମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ । ଗୃହ ମୁଲତବି ହେତୁ କିଛି ସାଂସଦ ମଧ୍ୟ ତାଙ୍କ ବାସଭବନ ଯିବା ପାଇଁ ସଂସଦରୁ ବାହାରକୁ ଆସୁଥିଲେ । ସଂସଦରେ ଶୀତ ଅଧିବେସନ ଚାଲୁଥିବା ହେତୁ ସଂସଦ ବାହାରେ ଉପସ୍ଥିତ ଥିଲେ ତମାମ ଗଣମାଧ୍ୟମର ପ୍ରତିନିଧି ।

ସମୟ ୧୧.୨୯ ମିନିଟ । ସ୍ଥାନ ସଂସଦ ଭବନ ଗେଟ୍ ନମ୍ବର-୧୧ । ଉପରାଷ୍ଟ୍ରପତି କୃଷ୍ଣକାନ୍ତ ଶର୍ମାଙ୍କ ସୁରକ୍ଷା କର୍ମୀମାନେ କାରକେଡ ସହ ଉପରାଷ୍ଟ୍ରପତି ବାହାରକୁ ଆସିବା ପାଇଁ ଅପେକ୍ଷା କରିଥିଲେ । ଠିକ୍ ଏହି ସମୟରେ ଏକ ଧଳା ରଙ୍ଗର ଆମ୍ବାସେଡର ଦ୍ରୁତ ଗତିରେ ଉପରାଷ୍ଟ୍ରପତିଙ୍କ କାରକେଡ ଆଡକୁ ଆସୁଥିଲା । ଏହି କାର ପଛରେ ସଂସଦ ଭବନର ସିକ୍ୟୁରିଟି ଗାର୍ଡ ଜଗଦୀଶ୍ ଯାଦବ ଦୈଡୁଥିବାର ଦେଖାଯାଇଥିଲା । ଜଗଦୀଶ ଯାଦବ ଏହି କାର ପଛରେ ଏପରି ଦୈଡୁଥିବାର ଦେଖି ଉପରାଷ୍ଟ୍ରପତିଙ୍କୁ ଅପେକ୍ଷା କରିଥିବା ସୁରକ୍ଷା କର୍ମୀମାନେ ଏହି ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ସୁରକ୍ଷା କର୍ମୀ କାର ପାଖକୁ ଆସୁଥିବା ଦେଖି ସନ୍ଦିଗ୍ଧ କାରକୁ ଦ୍ରୁତ ଗତିରେ ଗେଟ ନମ୍ବର ୮ ଆଡ଼କୁ ମୁହାଁଇଥିଲା । ଯାହା ଫଳରେ କାରଟି ଭାରସ୍ୟାମ ହରାଇ ଉପରାଷ୍ଟ୍ରପତିଙ୍କ କାରରେ ମାଡ ହୋଇଥିଲା । ସୁରକ୍ଷା କର୍ମୀ କାର ନିକଟରେ ପହଞ୍ଚିବା ପୂର୍ବରୁ କାରର ଚାରୋଟି ଡୋର ଏକା ସଙ୍ଗରେ ଖୋଲିଥିଲା ଏବଂ କାର ମଧ୍ୟରୁ ବାହାରିଥିଲେ ପାଞ୍ଚ ଜଣ ସଶସ୍ତ୍ର ଆତଙ୍କବାଦୀ । ଯାହାଙ୍କ ପାଖରେ ଥିଲା AK-47 ବନ୍ଧୁକ ଏବଂ କାନ୍ଧରେ ଗୋଳା ବାରୁଦରେ ପୂର୍ଣ୍ଣ ବ୍ୟାଗ । କାରରୁ ଓହ୍ଲାଇ ଆତଙ୍କବାଦୀମାନେ ଆରମ୍ଭ କରିଦେଇଥିଲେ ଆଖିବୁଜା ଗୁଳି ବର୍ଷା ।

ପ୍ରଥମ ଥର ପାଇଁ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ମନ୍ଦିରରେ ହୋଇଥିଲା ଆତଙ୍କବାଦ ଆକ୍ରମଣ । ଆତଙ୍କବାଦଙ୍କ ଆକ୍ରମଣରେ ଥରି ଉଠିଥିଲା ପୂରା ସଂସଦ ଭବନ। ଆତଙ୍କବାଦୀଙ୍କ ପ୍ରଥମ ଟାର୍ଗେଟ ହୋଇଥିଲେ ସେହି ଚାରି ଜଣ ସୁରକ୍ଷାକର୍ମୀ ଯେଉଁମାନେ ସେହି କାରକୁ ପିଛା କରୁଥିଲେ । ସଂସଦ ଭବନ ବାହାରେ ଆରମ୍ଭ ହୋଇଯାଇଥିଲା ଗୁଳି ବର୍ଷା କିନ୍ତୁ ସଂସଦ ଭବନରେ ଥିବା ସାଂସଦ ଏପର୍ଯ୍ୟନ୍ତ କିଛି ଜାଣିନଥିଲେ । କେହି ବି କେବେ ବିଶ୍ୱାସ କରିପାରୁନଥିଲେ ଯେ ସଂସଦ ଭବନରେ ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇପାରିବ । ଗୁଳି ଶବ୍ଦ ଶୁଣି ସାଂସଦମାନେ ପ୍ରଥମେ ଏହା ବାଣ ଫୁଟୁଛି ବୋଲି ଭାବିଥିଲେ । କିନ୍ତୁ ଏହି ସମୟରେ ହଠାତ ହୋଇଥିଲା ଏକ ବଡ଼ ଧରଣର ବିସ୍ଫୋରଣ । ଯାହା ପୂରା ସଂସଦ ଭବନର ଚିତ୍ର ବଦଳାଇ ଦେଇଥିଲା ।

ସଂସଦ ଭବନର ଗେଟ ନମ୍ବର-୧୧ରେ ହେଉଥିଲା ଅନ୍ଧାଧୁନ୍ ଗୁଳି ବର୍ଷା । ସେହି ଆମ୍ବାସେଡର କାର ପାଖରେ ରହି ଆତଙ୍କବାଦୀମାନେ କରୁଥିଲେ ଆଖିବୁଜା ଗୁଳି ଚାଳନା ଓ ଗ୍ରେନେଡ ମାଡ । ସଂସଦ ଭବନରେ ଆତଙ୍କବାଦୀ ଆକ୍ରମଣ ହେବା ଖବର ଗଣମାଧ୍ୟମ ମାଧ୍ୟମରେ ବ୍ୟାପି ଯାଇଥିଲା ସାରା ଦେଶରେ। ସଂସଦ ଭବନରେ ଆତଙ୍କବାଦୀ ଆକ୍ରମଣ ହେବା ଖବର ଗୃହ ମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଓ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ପାଖରେ ମଧ୍ୟ ପହଞ୍ଚିସାରିଥିଲା । ଗେଟ ନମ୍ବର ୧୧ ପାଖରୁ ଅତ୍ୟଧିକ ଗୁଳି ବର୍ଷା ହେଉଥିବା ଜାଣିବା ପରେ ସଂସଦର ସୁରକ୍ଷାରେ ଥିବା ଦିଲ୍ଲୀ ପୋଲିସ ଏବଂ ସିଆରପିଏଫ ଯବାନ ଗେଟ୍ ନମ୍ବର ୧୧ ଆଡକୁ ଯାଇଥିଲେ । ଅନ୍ୟପଟେ ଆତଙ୍କବାଦୀମାନେ କିପରି ସଂସଦ ଭିତରକୁ ପ୍ରବେଶ ନକରିବେ ସେଥିପାଇଁ ସମସ୍ତ ପ୍ରବେଶ ପଥକୁ ବନ୍ଦ କରିବା ସୁରକ୍ଷା କର୍ମୀ ସଜାଗ ହୋଇଯାଇଥିଲେ । ସୁରକ୍ଷା କର୍ମୀ ଗେଟ୍ ନମ୍ବର-୧୧ ଆଡକୁ ଯିବା ଫଳରେ ଆତଙ୍କବାଦୀମାନେ ସେମାନଙ୍କ ସ୍ଥିତି ବଦଳାଇଥିଲେ । ୫ ଜଣଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ଗୁଳି ଚଳାଇ ଗେଟ ନମ୍ବର-୧ ଆଡକୁ ଅଗ୍ରସର ହୁଏ ଏବଂ ବାକି ଚାରି ଜଣ ଆତଙ୍କବାଦୀ ଗେଟ ନମ୍ବର ୧୨ ଆଡକୁ ଯିବା ପାଇଁ ଚେଷ୍ଟା କରନ୍ତି । ସେମାନଙ୍କ ଲକ୍ଷ୍ୟ ଥିଲା କିପରି ସଂସଦ ମଧ୍ୟରେ ପ୍ରବେଶ କରି ଅଧିକରୁ ଅଧିକ ମନ୍ତ୍ରୀ ଓ ସାଂସଦଙ୍କୁ କ୍ଷତି ପହଞ୍ଚାଇବେ । ସେମାନେ ସଂସଦରେ ପହଞ୍ଚିଯାଇଥିଲେ ସତ କିନ୍ତୁ ସଂସଦ ଭବନ ମଧ୍ୟକୁ ପ୍ରବେଶ ପଥ ସେମାନଙ୍କୁ ଜଣା ନଥିଲା । ଯାହା ଫଳରେ ସେମାନେ କେବଳ ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାର୍ଶ୍ୱକୁ ଗୁଳି ବର୍ଷା କରି ଦୈଡୁଥିଲେ ।

ଗଟେ୍ ନମ୍ବର-୧ ଆଡକୁ ଆସୁଥିବା ଜଣେ ଆତଙ୍କବାଦୀ ସଂସଦର ପ୍ରବେଶ ପଥରେ ପହଞ୍ଚି ସାରିଥିଲା । କିନ୍ତୁ ସେଠାରେ ପୂର୍ବରୁ ସଜାଗ ଥିବା ଯବାନ ତାଙ୍କୁ ଗୁଳି କରି ତଳେ ପକାଇ ଦେଇଥିଲା । କିନ୍ତୁ ଏର୍ପଯ୍ୟନ୍ତ ସେହି ଆତଙ୍କବାଦୀ ମରିନଥିଲା । ତଳେ ପଡ଼ିଥିବା ସେହି ଆତଙ୍କବାଦୀ ପାଖକୁ କେହି ଯାଉନଥିଲେ । କାରଣ ଭୟ ଥିଲା ସେ ନିଜକୁ ବିସ୍ଫୋରଣ କରିପାରେ । ଯାହା ଆଶଙ୍କା କରାଯାଉଥିଲା ତାହା ସତ ହେଲା । ଆଉ ବଞ୍ଚିପାରିବନି ଜାଣିବା ପରେ ଉକ୍ତ ଆତଙ୍କବାଦୀ ନିଜ ଦେହରେ ଲଗାଇଥିବା ବମର ରିମୋଟ ଦବାଇ ଦେଇଥିଲା । ଯାହା ଫଳରେ ଗେଟ୍ ନମ୍ବର-୧ରେ ହୋଇଥିଲା ଏକ ବଡ଼ ବିସ୍ପୋରଣ । ଏହି ବିସ୍ପୋରଣ କରି ପ୍ରଥମ ଆତଙ୍କବାଦୀ ସଂସଦ ଆକ୍ରମଣର ଟ୍ରେଲର ଦେଖାଇ ଦେଇଥିଲା ।

ଜଣେ ଆତଙ୍କବାଦୀ ମୃତ୍ୟୁ ପରେ ଆଉ ୪ ଜଣ ଆତଙ୍କବାଦୀ ଗୁଳି ବର୍ଷା ଜାରି ରଖିଥିଲେ । ଏହି ସବୁ ମଧ୍ୟରେ NSG ଓ ସେନା ପାଖରେ ମଧ୍ୟ ଖବର ପହଞ୍ଚି ସାରିଥିଲା । ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାରିଥିଲା । ଆତଙ୍କବାଦୀମାନେ ଲୁଚିବା ପାଇଁ ଗୋଟିଏ ପରେ ଗୋଟିଏ ଗେଟ୍ ଆଡକୁ ଯିବା ପାଇଁ ଚେଷ୍ଟା କରୁଥିଲେ । ଏସବୁ ଭିତିରେ ଆଉ ଏକ ଭଲ ଖବର ଗେଟ୍ ନମ୍ବର-୫ରୁ ଆସିଥିଲା । ଗେଟ୍ ନମ୍ବର-୫ରେ ଆଉ ଏକ ଆତଙ୍କବାଦୀଙ୍କୁ ମାରିଥିଲେ ସୁରକ୍ଷା କର୍ମୀ । ଏ ଭିତରେ ଆକ୍ରମଣ କରିବାର ୨୦ ମିନିଟ ବିତିଯାଇଥିଲା । ଏହି ୩ ଜଣ ଭଲ ଭାବରେ ଜାଣିଥିଲେ କି ସେମାନେ ସଂସଦରୁ ଜୀବନ୍ତ ଫେରିପାରିବେନି । ତେଣୁ ସଂସଦ  ଭିତରେ ପଶିବା ପାଇଁ ଶେଷ ଥର ପାଇଁ ଚେଷ୍ଟା କରି ଗେଟ ନମ୍ବର ୯ ଆଡକୁ ଯାଇଥିଲେ । କିନ୍ତୁ ଗେଟ୍ ନମ୍ବର ୯ରେ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ ୩ ଆତଙ୍କବାଦୀ ।

ସମୟ ୧୨.୧୦ । ସ୍ଥାନ ସଂସଦ ଭବନ ଗେଟ୍ ନମ୍ବର-୯ । ୫ ଜଣ ଆତଙ୍କବାଦୀ ମୃତ୍ୟୁ ବରଣ କରିଥିଲେ କିନ୍ତୁ ସଂସଦ ଭବନରୁ ବିପଦ ଏପର୍ଯ୍ୟନ୍ତ ଟଳି ନଥିଲା । ସଂସଦ ଭବନ ଚାରି ପାଖରେ ଆତଙ୍କବାଦୀମାନେ ପକାଇଥିବା ବୋମା ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହେଉଥିଲା । କାହିଁକି ନା ଆତଙ୍କବାଦୀମାନେ ସାଙ୍ଗରେ ଅନେକ ଗ୍ରେନେଡ ଓ ବ୍ୟାଗରେ ଅନେକ ପରିମାଣର ବିସ୍ଫୋରକ ଆଣିଥିଲେ । ଭାରତୀୟ ସେନା, NSG କମାଣ୍ଡ ଓ ବମ୍ ନିରୋଧକ ଦଳ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗ୍ରେନେଡକୁ ନିଷ୍କ୍ରିୟ କରି ସଂସଦ ଭବନକୁ ସୁରକ୍ଷିତ ଘୋଷଣା କରିଥିଲେ ।

ତେବେ ଇତିମଧ୍ୟରେ ଏହି ଆକ୍ରମଣକୁ ବିତିଯାଇଛି ୨୦ ବର୍ଷ । କିନ୍ତୁ ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ମନରେ ଏହି ଘଟଣା ଏକ ଖରାପ ସ୍ୱପ୍ନ ଭଳି ତାଜା ରହିଛି । ଏହି ଆତଙ୍କବାଦୀ ଆକ୍ରମଣରେ ଦିଲ୍ଲୀ ପୋଲିସର ୬ ଜଣ ଅଧିକାରୀଙ୍କ ସହ ସଂସଦର ୨ ଜଣ ସୁରକ୍ଷା କର୍ମୀ ଓ ଜଣେ ମାଳି ସହିଦ ହୋଇଥିଲେ ।

 

 

Leave a Reply