ରାଜ୍ୟରେ ମୋଟ ସଂକ୍ରମଣ ମାମଲାର ୨୦ ପ୍ରତିଶତ ଶିଶୁ

ଭୁବନେଶ୍ୱର: କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଅଧିକ ଛୁଆ ସଂକ୍ରମିତ ହେଉଛନ୍ତି । ଏହା ପଛରେ ଭୂତାଣୁର ନୂଆ ରୂପ ରହିଛି । ଭାଇରସର ମ୍ୟୁଟେସନ୍ ଯୋଗୁଁ ଅଧିକ ଶିଶୁ ସଂକ୍ରମିତ ହେଉଥିବା କହିଛନ୍ତି ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ର । ରାଜ୍ୟରେ ଚିହ୍ନଟ ମୋଟ ସଂକ୍ରମଣ ମାମଲାରୁ ୨୦ ପ୍ରତିଶତ ମାମଲା କିଶୋର, କିଶୋରୀଙ୍କ ଠାରେ ଚିହ୍ନଟ ହୋଇଛି ।

ଶିଶୁ ଓ କିଶୋରକିଶୋରୀଙ୍କୁ କରୋନା କମ୍ ମାତ୍ରାରେ ସଂକ୍ରମିତ କରୁଛି । କୋଭିଡ୍ ମୁକ୍ତ ହେବା ପରେ ୨ରୁ ୫ ସପ୍ତାହ ମଧ୍ୟରେ ସେମାନଙ୍କ ଠାରେ ପ୍ରବଣତା କମ୍ ରହୁଥିବା ବେଳେ ଏମ୍ଆଇସି ଦେଖାଯାଉଛି । ଯେଉଁଥିରେ ହୃଦଯନ୍ତ୍ର, ଶ୍ୱାସକ୍ରିୟା, ଯକୃତ, ବୃକକ ଆଦି ପ୍ରଭାବିତ ହେଉଛି । ସେମାନେ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହେଉଛନ୍ତି । ତେଣୁ ସାବଧାନ୍ ରହିବା ଉଚିତ୍ ।

20 Percentage Of Child Are Corona Infected In State

କରୋନାର ଦ୍ୱିତୀୟ ଲହରରେ କେତେକ ନୂଆ ଲକ୍ଷଣ ଦେଖା ଯାଉଛି । ତରଳ ଝାଡ଼ା, ପେଟ ବଥା, ବାନ୍ତି ହେବା, ଜିଭରେ ଲାଲ୍ ପଡ଼ିବା, ଆଖି ଲାଲ୍ ପଡ଼ିବା, ଚର୍ମ ସଂକ୍ରମଣ ଆଦି ନୂଆ ଲକ୍ଷଣ ଦେଖାଯାଉଛି । ପିଲାମାନଙ୍କ କ୍ଷେତ୍ରରେ ପ୍ରଚଳିତ ଔଷଧ ଡାକ୍ତରଙ୍କ ପରାମର୍ଶକ୍ରମେ ଦିଆଯାଇ ପାରିବ । ଶିଶୁଙ୍କ ଠାରେ ରୋଗ ପ୍ରତିଷେଧକ ଶକ୍ତି ଅଧିକ ଥିବାରୁ ସେମାନେ ଶୀଘ୍ର କୋଭିଡ୍ ମୁକ୍ତ ହେଉଛନ୍ତି ।

ଛୁଆ କୋଭିଡ୍ ସଂକ୍ରମିତ ହୋଇଥିଲେ ଘରେ ହୋମ୍ ଆଇସୋଲେସନରେ ରହି ପାରିବେ । ସମସ୍ତ ପ୍ରକାର କୋଭିଡ୍ ନିୟମକୁ ପାଳନ କରିବାକୁ ପଡ଼ିବ । ତେବେ ଛୁଆକୁ ୪ ମାସ ହୋଇଥିବା ବେଳେ ମାଆ ସଂକ୍ରମିତ ହେଲେ ଛୁଆକୁ ସ୍ତନ୍ୟପାନ କରାଇପାରିବେ । ଛୁଆକୁ କ୍ଷୀର ଦେବା ପୂର୍ବରୁ ମାଆ ସାବୁନରେ ହାତ ଧୋଇବା ସହ ମାସ୍କ ପିନ୍ଧିବା ଉଚିତ୍ ବୋଲି ଡାକ୍ତର କହିଛନ୍ତି ।

Leave a Reply